କନକ ବ୍ୟୁରୋ : ବହୁଚର୍ଚ୍ଚିତ ୫ ଶହ କୋଟିର ସି-ସୋର ଚିଟଫଣ୍ଡ ଠକେଇ ମାମଲାରେ ସିବିଆର ଚାର୍ଜସିଟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସିବିଆଇ କୋର୍ଟରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ନାଁରେ ବେଆଇନ ଅର୍ଥ କାରବାର ଅଭିଯୋଗରେ ଚାର୍ଜଫ୍ରେମ ହୋଇଛି । ଏମାନଙ୍କ ବିରୋଧରେ ଷଡଯନ୍ତ୍ର, ଜାଲିଆତି ଓ ଠକେଇ ଭଳି ଦଫା ଲାଗିଛି । ଓଡିଶା ହାଇକୋର୍ଟ ଗତ ଏପ୍ରିଲ ମାସରେ ବିଶ୍ୱାଳଙ୍କ ବିରୋଧରେ ଚାର୍ଜଫ୍ରେମ କରିବା ସହ ମାମଲାର ଶୁଣାଣି ବର୍ଷକ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଭାତ ବିଶ୍ୱାଳ କହିଛନ୍ତି, ସିବିଆଇ ଅଭିଯୋଗର କେତେ ସତ୍ୟତା ରହିଛି, ତାହା କୋର୍ଟ ବିଚାର କରିବେ । ଏପରି ଚାର୍ଜଫ୍ରେମ୍ ତାଙ୍କ ରାଜନୈତିକ କ୍ୟାରିୟରରେ କୌଣସି ପ୍ରଭାବ ପଡିବ ନାହିଁ । ଶୁଣାଣି ଶେଷ ନହେବା ଯାଏଁ ସେ ଭୋଟ୍ ରାଜନୀତିରେ ସାମିଲ ହେବେ ନାହିଁ ।

Advertisment

ସିସୋର ଚିଟଫଣ୍ଡ ଗ୍ରୁପ ସହ ଜମି କିଣାବିକାକୁ ନେଇ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ଟଙ୍କା କାରବାର ଅଭିଯୋଗ ହୋଇଛି । ଏବେ ସିବିଆଇ ଚାର୍ଜଫ୍ରେମ ହେବା ପରେ ପ୍ରଶ୍ନ ଉଠୁଛି ଆଗକୁ କଣ ହେବ ।

-ମାମଲାର ଶୁଣାଣି ନଭେମ୍ବରରୁ ଆରମ୍ଭ ହେବ
-ଅଭିଯୁକ୍ତ ଓକିଲଙ୍କ ଜରିଆରେ କିମ୍ବା ବ୍ୟକ୍ତିଗତ ଭାବେ ହାଜର ହୋଇପାରିବେ
-ସାକ୍ଷୀମାନଙ୍କୁ ଡାକି ଜମାନବନ୍ଦୀ ନିଆଯିବ
-ଚାର୍ଜଫ୍ରେମ ବିରୋଧରେ ପୂର୍ବତନ ବିଧାୟକ ହାଇକୋର୍ଟ ବି ଯାଇପାରିବେ
-ହାଇକୋର୍ଟ ଚାର୍ଜଫ୍ରେମ ଅର୍ଡରର ତର୍ଜମା କରି ମାମଲାରେ ହସ୍ତକ୍ଷେପ କରିପାରିବେ
-ବିଚାର ସରିବା ଯାଏଁ ଗିରଫଦାରୀର ସମ୍ଭାବନା କମ୍

ସିସୋର ଚିଟଫଣ୍ଡ ମାମଲାରେ ବହୁ ବଡବଡିଆ ସଂପୃକ୍ତ ଥିବା ଅଭିଯୋଗ ହୋଇଛ୍ି । ଏ ନେଇ ପ୍ରଭାତ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀଙ୍କୁ ସିବିଆଇ ପଚରାଉଚରା କରିଥିଲା । କଟକ ଓ ଭୁବନେଶ୍ୱର ବାସଭବନରେ ଚଢାଉ ବି ହୋଇଥିଲା । ଏବେ ନିର୍ବାଚନ ପାଖେଇ ଆସିଥିବାରୁ ସିବିଆଇର କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା ଜୋର ଧରିଛି ।