ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକେଇର ଖୋଳତାଡ କରୁଛି ସିବିଆଇ । ଏବିଜି ସିପୟାର୍ଡ କମ୍ପାନୀର ପୂର୍ବ ସିଇଓଙ୍କୁ ଜେରା ।

110

କନକ ବ୍ୟୁରୋ : ଦେଶର ବୃହତ ଜାହଜ ନିର୍ମାଣକାରୀ କମ୍ପାନୀ ଏବିଜିର ବଡ ଠକେଇର ପର୍ଦ୍ଦାଫାଶ ହୋଇସାରିଛି । ୨୮ଟି ବ୍ୟାଙ୍କରୁ ଜାଲିଆତି କରି ପାଖାପାଖି ୨୩ ହଜାର କୋଟିରୁ ଅଧିକ ଟଙ୍କାର ଋଣ ନେଇ ଠକିଥିବା ଅଭିଯୋଗରେ ଏବେ କମ୍ପାନୀ ନାଁରେ ଚାଲିଛି ମାମଲା । ବର୍ତମାନ ମାମଲାର ତନାଘନା କରୁଛି ସିବିଆଇ । ସେପଟେ ଆଜି ସିବିଆଇ ମୁଖ୍ୟାଳୟରେ ପହଞ୍ଚି ଜେରାର ସମ୍ମୁଖୀନ ହୋଇଛନ୍ତି କମ୍ପାନୀର ପୂର୍ବତନ ସିଇଓ ଓ ଏମଡି ଋଷି ଅଗ୍ରୱାଲ ।

ଦେଶର ସବୁଠୁ ବଡ ବ୍ୟାଙ୍କ ଠକେଇ ମାମଲାର ମାରାଥନ ଜେରା କରୁଛି ସିବିିଆଇ । ୨୨ ହଜାର ୮୪୨ କୋଟି ଟଙ୍କାର ଋଷ ଜାଲିଆତି ଘଟଣାରେ ତଦନ୍ତ ଭାର ଏବେ ସିବିଆଇକୁ ଦିଆଯାଇଛି । ସୋମବାର ଏହି ଘଟଣାରେ ଏବିଜି ସିପୟାର୍ଡର ପୂର୍ବତନ ସିଇଓ ଋଷି ଅଗ୍ରୱାଲଙ୍କୁ ଜେରା କରିଛି ସିବିଆଇ । ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ପହଞ୍ଚି ଜେରାର ସମ୍ମୁଖୀନ ହୋଇଛନ୍ତି ଋଷି ଅଗ୍ର୍ୱାଲ । ଦେଶର ପ୍ରାୟ ୨୮ଟି ବ୍ୟାଙ୍କରୁ ଋଣ ଜାଲିଆତି କରିଛି ଦେଶର ଏହି ବୃହତମ ଶିପୟାଡ କମ୍ପାନୀ ।

ଘଟଣାକୁ ନେଇ ୨୦୨୦ ମସିହାରେ ଅଗଷ୍ଟ ୨୫ରେ ସିବିଆଇ ନିକଟରେ ଅଭିଯୋଗ କରିଥିଲା ଏସିବିଆଇ । ଦୁଇବର୍ଷର ଅଭିଯୋଗ ପରେ ସିବିଆଇ ଆକ୍ସନ ମୁଡରେ ଆସିବା ସହ ଖୋଲତାଡ ଆରମ୍ଭ କରିଛି । ସିବିଆଇ ଫେବୃଆରୀ ୭ ତାରିଖରେ ଏଫଆଇଆର ରୁଜୁ କରିଥିଲା । ମାମଲାରେ ସମ୍ପୃକ୍ତ ଅଭିଯୋଗ ଦେଶଛାଡି ନଯିବା ପାଇଁ ସିବିଆଇ ଲୁକଆଉଟ ନୋଟିସ ମଧ୍ୟ ଜାରି କରିଛି । ଦେଶର ସବୁଠୁ ବଡ ଜାହଜ ନିର୍ମାଣକାରୀ ସଂସ୍ଥା ଶିପୟାଡ୍ ଦେଶର ପ୍ରାୟ ୨୮ଟି ବ୍ୟାଙ୍କରୁ ୨୨ହଜାର ୮୪୨ କୋଟି ଟଙ୍କା ଋଣ ଜାଲିଆତି କରିଛି । ଭାରତୀୟ ଷ୍ଟେଟବ୍ୟାଙ୍କ ସମେତ ଅନ୍ୟାନ୍ୟ ୨୭ଟି ବ୍ୟାଙ୍କକୁ ଚୂନ ଲଗାଯାଇଛି ।

କମ୍ପାନୀର ବଡ ଠକେଇ
. ଏପ୍ରିଲ ୨୦୧୨ରୁ ୨୦୧୭ ମଧ୍ୟରେ ଠକେଇ
. ଏସବିଆଇରୁ ୨୯୨୫କୋଟି ଟଙ୍କା
. ଆଇସିଆଇସିଆଇରୁ ୭୦୮୯ କୋଟି ଟଙ୍କା
. ବ୍ୟାଙ୍କ ଅଫ ବରୋଦାରୁ ୧୬୧୪କୋଟି ଟଙ୍କା
. ପିଏନବିରୁ ୧୨୪୪ କୋଟି ଟଙ୍କା
. ଆଇଡିବିଆଇରୁ ୩୬୪୯କୋଟି ଟଙ୍କା
. ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ୧୨୨୮କୋଟି ଟଙ୍କା

ଠକେଇ ଅଭିଯୋଗ ଆସିବା ପରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଠକେଇ, ଅପରାଧିକ ଷଡଯନ୍ତ୍ର, ଅପରାଧିକ ବିଶ୍ୱାସଭଙ୍ଗ ଓ ପଦବୀର ଅପବ୍ୟବହାର ଆଦି ଦଫାରେ ମାମଲା ରୁଜୁ କରାଯାଇଛି । କମ୍ପାନୀର ପୂର୍ବତନ କାର୍ଯ୍ୟକାରୀ ନିର୍ଦ୍ଦେଶକ ସନ୍ଥମ ମୁଥୁସ୍ୱାମୀ, ନିର୍ଦ୍ଦେଶକ ଅଶ୍ୱୀନୀ କୁମାର, ସୁଶୀଲ କୁମାର ଅଗ୍ରୱାଲ, ରବି ବିମଳଙ୍କ ସହ ଅନ୍ୟ କିଛି ବରିଷ୍ଠ ଅଧିକାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ଆସନ୍ତୁ ନଜର ପକାଇବା କମ୍ପାନୀ ଉପରେ: ଏବିଜି ଶିପୟାଡ କମ୍ପାନୀ ଦେଶର ସର୍ବବୃହତ ଘରୋଇ ଜାହାଜ ନିର୍ମାଣକାରୀ କମ୍ପାନୀ । ୧୬ବର୍ଷ ଭିତରେ ୧୬୫ରୁ ଅଧିକ ଜାହଜ ନିର୍ମାଣ କରିଛି । ଭାରତ ସମେତ ୩୫ଟି ଅନ୍ୟ ଦେଶପାଇଁ ଜାହାଜ ନିର୍ମାଣ କରିଛି । ନୌସେନା ଓ କୋଷ୍ଟଗାର୍ଡ ପାଇଁ ଜାହଜ ନିର୍ମାଣ କରିଛି ।

କମ୍ପାନୀ ଦ୍ୱାରା ଠକେଇର ଶିକାର ହେଉଥିବା ଖବର ଏସବିଆଇ ୨୦୧୩ ମସିହାରେ ଜାଣିବାକୁ ପାଇଥିଲା । କମ୍ପାନୀର ଲୋନ ଏନପିଏ ହେବା ପରେ ବ୍ୟାଙ୍କ ସହେନ୍ଦ ପ୍ରକାଶ କରି ବ୍ୟାଙ୍କ ଋଣ ଆଦାୟ ପାଇଁ ପ୍ରୟାସ କରିଥିଲା । ଋଣ ଆଦାୟରେ ବିଫଳ ହେବା ପରେ ଅଭିଯୋଗ ଆଣିଥିଲା ଏସବିଆଇ ।

ଜାହଜ କମ୍ପାନୀ ନାଁରେ ମାମଲା ରୁଜୁ ହେବା ପରେ ଫେବୃଆରୀ ୧୨ ତାରିଖରେ ସିବିଆଇ ୧୩ଟି ଠିକଣାରେ ଚଢାଊ କରିଥିଲା । ଠିକଣାରୁ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟ ମିଳିଛି । ଯାହାକୁ ଅନୁଧ୍ୟାନ କରି ସିବିଆଇ ତଦନ୍ତ କରୁଛି । ବିଜୟ ମାଲ୍ୟାଙ୍କ ୯ହଜାର କୋଟି ଟଙ୍କାର ଠକେଇ ଓ ନୀରବ ମୋଦିଙ୍କ ୧୪ହଜାର ଟଙ୍କା ଠକେଇଠୁ ବି ବେଶ ଅଧିକ ବଡ ରହିଛି ଜାହାଜ କମ୍ପାନୀ ଏବିଜିର ଏହି ଠକେଇ ।