ଗୁଜୁରାଟ ମଡେଲର ଗୁମର ଚିତ୍ର । ସାମାନ୍ୟ ଚାଉଳ କମ୍ପାନୀ ଲୁଟିନେଲା ୧୧୪ କୋଟି, ସିବିଆଇ ଦାଖଲ କଲା ଅଭିଯୋଗ

123

କନକ ବ୍ୟୁରୋ : ୨୦୧୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଗୁଜୁରାଟ ମଡେଲ ଦେଖାଇ ଦେଶବାସୀଙ୍କ ବିଶ୍ୱାସ ଭାଜନ ହୋଇଥିଲେ ସେହି ଗୁଜୁରାଟରେ ସାମାନ୍ୟ ଏକ ଚାଉଳ କମ୍ପାନୀ ୩ ଟି ବ୍ୟାଙ୍କରୁ ମୋଟ ୧୧୪ କୋଟି ଟଙ୍କା ଲୁଟ କରିବା ପରେ ଏବେ ଗୁଜୁରାଟ ମଡେଲ ପଦାରେ ପଡିଛି ।

ସୂଚନା ମୁତାବକ କେନ୍ଦ୍ରୀୟ ଯାଂଚ ଏଜେନ୍ସି (ସିବିଆଇ) ଗୁଜୁରାଟର ଏକ ଚାଉଳ କମ୍ପାନୀ ଉପରେ ୧୧୪ କୋଟି ଟଙ୍କା ବ୍ୟାଙ୍କରୁ ଠକେଇ କରିଥିବା ଅଭି ଯୋଗରେ ମାମଲା ରୁଜୁ କରିଛି । ଏହି ଅଭିଯୋଗ ମୁତାବକ ଅଭିଯୁକ୍ତ ୩ ଟି ବ୍ୟାଙ୍କରୁ ୧୧୪.୦୬ କୋଟି ଟଙ୍କା ଠକି ନେଇଥିବା କଥା କୁହାଯାଇଛି । ଅଭିଯୁକ୍ତ ଠକିଥିବା ୩ ବ୍ୟାଙ୍କ ମଧ୍ୟରେ ରହିଛି ବ୍ୟାଙ୍କ ଅଫ୍ ବରୋଦା, କର୍ପୋରେଶନ ବ୍ୟାଙ୍କ, ଓ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଏହି ୩ ବ୍ୟାଙ୍କର ଅଭିଯୋଗ କ୍ରମେ ସିବିଆଇ ନଡିୟାଦ ଠାରେ ଥିବା ଜଲାରାମ ରାଇସ ଇଣ୍ଡଷ୍ଟ୍ରିଜର ନିର୍ଦ୍ଦେଶକ ଜୟଶ ତ୍ରିଭୂବନଦାସ ଗାନାତ୍ରା ଓ ବିପିନ ତ୍ରିଭୂବନଦାସ ଗାନାତ୍ରା ବିରୋଧରେ ମାମଲା ରୁଜୁ କରିଛି ।

ସିବିଆଇ ରୁଜୁ କରିଥିବା ମାମଲା ମୁତାବକ ଏହି ଦୁଇ ବ୍ୟକ୍ତି ୨୦୧୦-୨୦୧୫ ମଧ୍ୟରେ ଉପରୋକ୍ତ ୩ ଟି ବ୍ୟାଙ୍କରୁ ୧୧୪.୦୬ କୋଟି ଟଙ୍କା ଠକେଇ କରିଛନ୍ତି । ଅଭିଯୋଗ ମୁତାବକ ଅଭିଯୁକ୍ତ ବ୍ୟକ୍ତିମାନଙ୍କୁ କନସୋର୍ଟିୟମ ନିୟମ ମୁତାବକ ବିଭିନ୍ନ ବ୍ୟାଙ୍କିଙ୍ଗ୍ ସୁବିଧା ଦିଆଯାଇଥିଲା । ହେଲେ ସେମାନେ ନକଲି କାର୍ଡ ଦେଖାଇ ବ୍ୟାଙ୍କରୁ କ୍ରେଡିଟ୍ ନେଇଥିବା କଥା ବ୍ୟାଙ୍କ ଅଭିଯୋଗ କରିଛି । ହେଲେ କଥା ଉଠୁଛି ଯେ ଜଣେ ସାଧାରଣ ଲୋକ ବ୍ୟାଙ୍କର ୫୦ ହଜାର କି ଲକ୍ଷେ ଟଙ୍କା ଋଣ ଆଣିବାକୁ ଗଲାବେଳେ ବ୍ୟାଙ୍କ ଅଧିକାରୀ ଋଣ ଦେବା ପୂର୍ବରୁ ଲୋକର ଘରଦ୍ୱାର ବୋଲି ଦେଖୁଛି । ହେଲେ ଏତେ ପରିମାଣର ଅର୍ଥ ଋଣ ଦେବା ବେଳେ ବ୍ୟାଙ୍କ କିଭଳି ଆଖିବୁଜିଦେଲା ।

ସେପଟେ ବ୍ୟାଙ୍କ କହିଛି କି ଋଣ ନେଇଥିବା କମ୍ପାନୀ ଋଣ ରାଶିକୁ ଆତ୍ମସାତ କରିଦେଇଛି ଫଳରେ ଏହି ୩ ଟି ବ୍ୟାଙ୍କ ଏବେ ୧୧୪.୦୬ କୋଟି ଟଙ୍କାର ଆର୍ଥିକ ବୋଝ ମୁଣ୍ଡାଇବାକୁ ବାଧ୍ୟ ହୋଇଛନ୍ତି ।  ଅନ୍ୟପଟେ ଏହି ମାମଲାର ତଦନ୍ତ କରୁଥିବା ସିବିଆଇ କହିଛି କି ଗୁଜୁରାଟର ଅହମ୍ମଦାବାଦ, ନଡିୟାଦ, ବାବଲା ସହିତ ୬ ଟି ସ୍ଥାନରେ ଚଢାଉ କରି ଅନେକ ଆପତ୍ତିଜନକ ଦସ୍ତାବିଜ ଜବତ୍ କରିଛି ।