ଉତ୍ତରପ୍ରଦେଶର ବହୁ ଚର୍ଚ୍ଚିତ ହାଥରସ୍ ଗଣଦୁଷ୍କର୍ମ ଘଟଣାରେ ସିବିଆଇ ଦାଖଲ କଲା ଚାର୍ଜସିଟ୍ । ଗଣଦୁଷ୍କର୍ମ ପରେ ହତ୍ୟା ନେଇ ରିପୋର୍ଟରେ ସ୍ପଷ୍ଟ

184

କନକ ବ୍ୟୁରୋ : ଉତ୍ତରପ୍ରଦେଶର ବହୁଚର୍ଚିତ ହାଥରସ୍ ଦୁଷ୍କର୍ମ ହତ୍ୟା ମାମଲା । ଘଟଣାରେ ୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଦାଖଲ କରିଛି ଚାର୍ଜସିଟ୍ । ହାଥରସ୍ ର ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଚାର୍ଜସିଟରେ ଉଲ୍ଲେଖ କରିଛି ସିବିଆଇ । ସନ୍ଦୀପ୍, ଲବକୁଶ, ରବି ଏବଂ ରାମୁ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ଗତ ୨୦୨୦ ସେପ୍ଟେମ୍ୱର ୧୪ ତାରିଖରେ ଦଳିତ ଯୁବତୀଙ୍କସହିତ ଘଟିଥିଲା ଗଣଦୁଷ୍କର୍ମ ।

୪ ଜଣ ଉଚ୍ଚଜାତିର ଯୁବକ ଗଣଦୁଷ୍କର୍ମ କରିବା ପରେ ଗୁରୁତର ଅବସ୍ଥାରେ ତାକୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ୨୦୨୦ ସେପ୍ଟେମ୍ୱର ୨୯ ତାରିଖରେ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ସେ ଆଖି ମୁଜିବା ପରେ ସେପ୍ଟେମ୍ୱର ୩୦ ତାରିଖର ରାତିରେ କଡା ସୁରକ୍ଷା ବଳୟ ଭିତରେ ଅନ୍ତିମ ସଂସ୍କାର କରାଯାଇଥିଲା । ସେତେବେଳେ ପରିବାର ଲୋକେ ଅଭିଯୋଗ ଆଣିଥିଲେ ତରବରିଆ ଭାବେ ଅନ୍ତିମ ସଂସ୍କାର ପାଇଁ ପୋଲିସ ଚାପ ପକାଇଥିଲା ।

ମାମଲାରେ ଗିରଫ ପରେ ୪ ଅଭିଯୁକ୍ତ ସନ୍ଦୀପ୍, ଲବକୁଶ, ରବି ଏବଂ ରାମୁ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ସେମାନଙ୍କର ବିଭିନ୍ନ ପର୍ଯ୍ୟାୟରେ ଫରେନସିକ୍ ଯାଂଚ କରାଯାଇଥିଲ।। ସିବିଆଇ ଟିମ୍ ପୀଡିତାଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଟିମକୁ ମଧ୍ୟ ସାକ୍ଷାତ କରିଥିଲା । ପରିବାର ଲୋକଙ୍କ ବୟାନ୍ ରେକର୍ଡ କରିଥିଲା ସିବିଆଇ ଟିମ୍ । ଏସବୁ ପରେ ଆଜି ସିବିଆଇ ହାଥରସ୍ ମାମଲାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରି ଗଣଦୁଷ୍କର୍ମ ଘଟଣା ଉପରେ ମୋହର ମାରିଛି । ଏହି ଘଟଣାକୁ ନେଇ ଯୋଗୀ ସରକାରଙ୍କୁ ଘେରିଥିଲେ ବିରୋଧୀ ।