କନକ ବ୍ୟୁରୋ : ‘ଅଖିଳ ଭାରତୀୟ ଆଖଡ଼ା ପରିଷଦ୍’ର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାକୁ ନେଇ ଚାର୍ଜସିଟ ଦାଖଲ କରିଛି ସିବିଆଇ । ଜେଲରେ ଥିବା ତିନିଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ପ୍ରୟାଗରାଜ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଛି । ସିବିଆଇ ଅନୁଯାୟୀ, ଜେଲରେ ଥିବା ତିନି ଅଭିଯୁକ୍ତ ଆନନ୍ଦ ଗିରି, ଆଧ୍ୟା ତିୱାରୀ ଏବଂ ସନ୍ଦୀପ ତିୱାରୀ ମହନ୍ତ ନରେନ୍ଦ୍ର ଗିରିଙ୍କ ଆତ୍ମହତ୍ୟା ପାଇଁ ଦାୟୀ । ଅନ୍ୟପକ୍ଷର, ଚାର୍ଜସିଟ୍ର ଦାଖଲ ପରେ ସିଜେଏମ୍ କୋର୍ଟ ଶୁଣାଣି ପାଇଁ ନଭେମ୍ବର ୨୫ ତାରିଖ ସ୍ଥିର କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨୦ରେ ମଧ୍ୟାହ୍ନ ଭୋଜନ ପରେ ୭୨ ବର୍ଷିୟ ମହନ୍ତ ତାଙ୍କ କକ୍ଷକୁ ପ୍ରବେଶ କରିଥିବା ଦେଖାଯାଇଥିଲା । ସନ୍ଧ୍ୟାବେଳେ ଶିଷ୍ୟମାନେ ତାଙ୍କ କବାଟ ବାଡ଼େଇବାରୁ ଭିତରୁ କୌଣସି ଜବାବ ମିଳିନଥିଲା । ତାଙ୍କ ମୋବାଇଲ୍ ଫୋନ୍କୁ ବାରମ୍ବାର କଲ୍ କରିବା ସତ୍ତ୍ବେ ଉତ୍ତର ନ ମିଳିବାରୁ ଶିଷ୍ୟମାନେ କବାଟ ତାଡ଼ି କୋଠରି ମଧ୍ୟକୁ ପ୍ରବେଶ କରିଥିଲେ । ଭିତରେ ନରେନ୍ଦ୍ର ଗିରି ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଦେଖାଯାଇଥିଲା ।
ଏହାଛଡ଼ା, କୋଠରି ମଧ୍ୟରୁ ତାଙ୍କ ହସ୍ତଲିଖିତ ଏକ ‘ଆତ୍ମହତ୍ୟା ଚିଟାଉ’ ମଧ୍ୟ ମିଳିଥିଲା । ସେଥିରେ ଗିରି ତାଙ୍କ ଇଚ୍ଛା ଏବଂ ତାଙ୍କୁ ହଇରାଣ କରୁଥିବା ଗୁଡ଼ାଏ ବ୍ୟକ୍ତିଙ୍କ ନାଁ ଲେଖିଥିଲେ । ‘ମୁଁ ସମ୍ମାନ ସହ ବଞ୍ଚୁଥିଲି । ହେଲେ ଏବେ ଅସମ୍ମାନିତ ହୋଇ ବଞ୍ଚିପାରିବି ନାହିଁ ବୋଲି ଜୀବନ ହାରୁଛି । ୮ପୃଷ୍ଠା ସମ୍ବଳିତ ସୁଇସାଇଡ ନୋଟରେ ଗିରି ଏଭଳି ଲେଖିଥିବା କଥା ପୁଲିସ କହିଥିଲା ।