କନକ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣାକୁ ଆଜି ମାସେ ପୁରିଛି । ଏହି ଟ୍ରେନ ଦୁର୍ଘଟଣା ପାଇଁ କିଏ ଦାୟୀ ମାସେ ପରେ ବି ଜଣାପଡି ନାହିଁ । ରେଳ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ହାତ ବି ଖାଲି । ଦୀର୍ଘ ୨୦ ଦିନ ହେଲା ସିବିଆଇ ଏହି ମାମଲାର ତଦନ୍ତ ଚଲାଇଛି ।

Advertisment

ଏହି ରେଳ ଦୁର୍ଘଟଣା ପଛରେ କୌଣସି ଷଡଯନ୍ତ୍ର ତ ନାହିଁ । ସେଇଥିପାଇଁ ରେଳ ବିଭାଗ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲା । ସିବିଆଇ ବାହନଗା ରେଳ ଷ୍ଟେସନର ସମସ୍ତ କର୍ମଚାରୀଙ୍କୁ ଗୋଟି ଗୋଟି କରି ପଚରା ଉଚରା କରିଛି । ଘଟଣାସ୍ଥଳ ବୁଲି ଦେଖିଛି । ଷ୍ଟେସନ ମାଷ୍ଟର ଏସବି ମହାନ୍ତି, ଜୁନିୟର ଇଂଜିନିୟର ଅମିର ଖାନଙ୍କ ସମେତ ମୋଟ ୬ ଜଣ କର୍ମଚାରୀ ସିବିଆଇ ହେପାଜତରେ ଅଛନ୍ତି । କିନ୍ତୁ କାହାରିକୁ ଗିରଫ ଘୋଷଣା କରାଯାଇ ନାହିଁ । ବର୍ତମାନ ସୁଦ୍ଧା ତଦନ୍ତରୁ ସିବିଆଇ କଣ ପାଇଛି ତାହ କାହାକୁ ଜଣା ନାହିଁ । କୌଣସି କର୍ମଚାରୀଙ୍କ ଅବହେଳା ପାଇଁ ଦୁର୍ଘଟଣା ଘଟିଲା ନା ଏହା ପଛରେ ଷଡଯନ୍ତ୍ର ଅଛି, ତାହା ସ୍ପଷ୍ଟ ହୋଇପାରୁ ନାହିଁ । ବାହନଗା ଷ୍ଟେସନରେ ଜୁନ ୨ ସନ୍ଧ୍ୟାରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଓ ୧୨ଶହରୁ ଅଧିକ ଯାତ୍ରା ଆହତ ହୋଇଥିଲେ ।