କନକ ବ୍ୟୁରୋ : ଜିନ୍ସ, ଟି-ସାର୍ଟ କିମ୍ବା ସ୍ପୋର୍ଟ୍ସ ଜୋତା ପିନ୍ଧିବା ମନା । କେବଳ ଫର୍ମାଲ ପୋଷାକ ପିନ୍ଧି ଅଫିସ ଆସିବେ ଅଧିକାରୀ । ଆଉ ଏହି ନିୟମକୁ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରିଛନ୍ତି ସିବିଆଇର ନୂଆ ନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ୱାଲ । ଅଥାର୍ତ ସିବିଆଇ ଅଫିସରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ କାଜୁଆଲ ପୋଷାକ ପିନ୍ଧି ଆସିବେ ନାହିଁ ବୋଲି ନିର୍ଦ୍ଦେଶାନାମା ଜାରି କରିଛନ୍ତି ନୂଆ ନିର୍ଦ୍ଦେଶକ ।
ଏହି ନିର୍ଦ୍ଦେଶାନାମା ଅନୁଯାୟୀ, ପୁରୁଷମାନେ ଫର୍ମାଲ୍ ସାର୍ଟ, ପ୍ୟାଣ୍ଟ ଓ ଜୋତା ପିନ୍ଧିବା ସହ ଉତ୍ତମରୂପେ କ୍ଷୌର ହୋଇ ଅଫିସକୁ ଆସିବା ଉଚିତ। ମହିଳା କର୍ମଚାରୀମାନେ କେବଳ ଶାଢ଼ି, ସୁଟ୍, ଫର୍ମାଲ୍ ସାର୍ଟ ଏବଂ ଟ୍ରାଉଜର୍ସ ପିନ୍ଧି ପାରିବେ। ଅଫିସ ମଧ୍ୟରେ ଜିନ୍ସ୍, ଟି-ସାର୍ଟ, ସ୍ପୋର୍ଟସ୍ ସୁଜ୍, ଚପଲ ଏବଂ କାଜୁଆଲ୍ ପରିଧାନ ପାଇଁ ଅନୁମତି ଦିଆଯିବ ନାହିଁ। ଏହି ଗାଇଡ୍ଲାଇନ୍ ପାଳନ କରିବା ଲାଗି ଦେଶରେ ଥିବା ‘ସିବିଆଇ’ର ସମସ୍ତ ଶାଖା ମୁଖ୍ୟଙ୍କୁ ନିର୍ଦେଶ ଦିଆଯାଇଛି।
କେତେକ ‘ସିବିଆଇ’ ଅଧିକାରୀ କହିଛନ୍ତି ଯେ, ଏହା ଗୋଟାଏ ଉତ୍ତମ ଆଦେଶ। ପ୍ରତ୍ୟେକ ଅଧିକାରୀ ଏବଂ କର୍ମଚାରୀମାନେ ‘ଫର୍ମାଲ୍’ ପୋଷାକ ପିନ୍ଧିବା ଆବଶ୍ୟକ। କିନ୍ତୁ, କିଛି ବର୍ଷ ହେବ ଲୋକେ ଜିନ୍ସ୍ ଓ ଟି-ସାର୍ଟ ଭଳି ‘କାଜୁଆଲ୍’ ପୋଷାକ ପରିଧାନ କରୁଥିଲେ ବି କେହି ମନା କରୁ ନ ଥିଲେ। ‘ସିବିଆଇ’ ଅଧିକାରୀମାନେ ଅନୂନ୍ୟ କୋଲାର୍ ଥିବା ସାର୍ଟ, ଟ୍ରାଉଜର୍ସ୍ ଏବଂ ଜୋତା ପିନ୍ଧିବା ଆବଶ୍ୟକ।
‘ସିବିଆଇ’ ବିଷୟରେ ଅବଗତ ଥିବା ଲୋକଙ୍କ କହିବା ଅନୁସାରେ, ଗତ ସପ୍ତାହରେ ୩୩ତମ ନିର୍ଦେଶକ ଭାବେ ଯୋଗ ଦେଇଥିବା ଜୟସୱାଲ୍ ‘ସିବିଆଇ’ର ପାରଦର୍ଶିତା ଓ ଭାବମୂର୍ତ୍ତି ଉନ୍ନତ କରିବା ଲାଗି କେତେକ ଗୁରୁତ୍ବପୂର୍ଣ୍ଣ ପ୍ରଶାସନିକ ପରିବର୍ତ୍ତନ ଆଣି ପାରନ୍ତି।