କନକ ବ୍ୟୁରୋ : ସିବିଆଇ କାହାଣୀରେ ନୂଆ ମୋଡ଼ । ମନ୍ତ୍ରୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଟାଣିଲେ ସିବିଆଇ ଅଧିକାରୀ । ବିଭିନ୍ନ ମାମଲାରେ ମନ୍ତ୍ରୀ ଲାଂଚ ନେଉଛନ୍ତି ଓ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ହସ୍ତକ୍ଷେପ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସିବିଆଇ ଡିଆଇଜି ମନୀଷ କୁମାର ସିହ୍ନା । ହାଇଦ୍ରାବାଦ ବ୍ୟବସାୟୀ ସତୀଶ ସିହ୍ନାଙ୍କ ମାମଲାରେ ଜଣେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କୋଟି କୋଟି ଟଙ୍କା ଲାଂଚ ନେଇଥିବା ବେଳେ ଡୋଭଲ ହସ୍ତକ୍ଷେପ କରିଥିବା ସିହ୍ନା ଅଭିଯୋଗ କରିଛନ୍ତି । ସେହିପରି ରାକେଶ ଅସ୍ଥାନା ମାମଲାରେ ମଧ୍ୟ ଡୋଭଲ ବାଧା ସୃଷ୍ଟି କରିଥିବା ସେ କହିଛନ୍ତି ।
ଲାଂଚ ମାମଲାରେ ଦୁଇଜଣ ଦଲାଲ ଡୋଭାଲଙ୍କର ଖାସ ଲୋକ ହୋଇଥିବା ଓ ଡୋଭାଲଙ୍କୁ ବାରମ୍ବାର ଭେଟିଥିବା ସେ କହିଛନ୍ତି । ସେହିପରି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ହରିଭାଇ ଚୌଧୁରୀ ମୋଦିଙ୍କ ଘନିଷ୍ଠ ହୋଇଥିବାରୁ ସେ ସିବିଆଇକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ସିହ୍ନା କହିଛନ୍ତି । ସିବିଆଇ ଡିଆଇଜି ମନୀଷ କୁମାର ସିହ୍ନା ନିଜ ବଦଳି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।
ନାଗପୁରକୁ ତାଙ୍କ ବଦଳି ହୋଇଥିବାବେଳେ ମାମଲାର ଯାଂଚ ଚାଲିଥିବାରୁ ତାହାକୁ ରବ୍ଦ କରାଯାଉ ବୋଲି ସେ ଆବେଦନରେ ଦର୍ଶାଇଛନ୍ତି । ଏପରିକି ଏହି ବଦଳି ମାମଲାରେ ଏସଆଇଟି ଯାଞ୍ଚ କରାଯାଉ ବୋଲି ସେ କହିଛନ୍ତି । ମନୀଷ କୁମାର ସିହ୍ନା ସିବିଆଇ ଅଧିକାରୀ ରାକେଶ ଅସ୍ଥାନାଙ୍କ ବିରୋଧରେ ଲାଞ୍ଚ ନେଇଥିବା ମାମଲାର ଯାଞ୍ଚ କରୁଛନ୍ତି । ସେପଟେ ଆଲୋକ ବର୍ମା ଗତକାଲି ରେସପୋନ୍ସ ରିପୋର୍ଟ ଦାଖଲ୍ କରିବା ପରେ ଆଜି ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହେବ ।