୨୧ ବର୍ଷ ତଳର କୋଇଲା ଆବଂଟନ ମାମଲାରେ ଦିଲ୍ଲୀପ ରାୟଙ୍କୁ ଜାମିନ । ୩ ବର୍ଷ ଦଣ୍ଡାଦେଶ ପରେ ଜାମିନ ପାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ୧ ଲକ୍ଷ ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ବେଲ୍ ।

416

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ପ୍ରଥମେ ଜେଲ ଏବଂ ପରେ ମିଳିଲା ବେଲ୍ । ଜଣେ ଜାମିନଦାର ଓ ୧ଲକ୍ଷ ଟଙ୍କା ବେଲବଣ୍ଡରେ ଜାମିନ ଦେଇଛନ୍ତି କୋର୍ଟ । ୧୯୯୯ ମସିହା ଝାଡଖଣ୍ଡର ବ୍ରହ୍ମାଡିହା କୋଇଲା ଖଣି ଆବଂଟନ ମାମଲାରେ ଆଜି ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ଅନ୍ୟ ଦୁଇ ଦୋଷୀଙ୍କୁ ମଧ୍ୟ ଜାମିନ ମିଳିଛି । ସେମାନଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଦଣ୍ଡାଦେଶ ଦେଇଥିଲେ କୋର୍ଟ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ବର୍ଷ ଜେଲ୍ । ଜେଲ୍ ଆଦେଶ ପରେ ତୁରନ୍ତ ମିଳିଲା ବେଲ୍ । ୨୦ ବର୍ଷ ତଳେ ୧୯୯୯ ମସିହାର ସେହି କୋଇଲା ଆବଂଟନ ଦୁର୍ନୀତି ଦିଲ୍ଲୀପ ରାୟଙ୍କ ପାଇଁ ଏକ ଏଭଳି ଦୁଃସ୍ୱପ୍ନ ହୋଇ ରହିଛି ଯାହା କେବେ ବି ତାଙ୍କର ପିଛା ଛାଡିବନି । ସୋମବାର ଅବଶ୍ୟ ତାଙ୍କୁ ଆଶ୍ୱସ୍ତି ମିଳିଛି, ଯେତେବେଳେ ୩ବର୍ଷର ଜେଲ ଦଣ୍ଡ ପରେ ତୁରନ୍ତ ତାଙ୍କୁ ବେଲ୍ ମିଳିଯାଇଥିଲା । ସିବିଆଇର ସ୍ୱତନ୍ତ୍ର କୋର୍ଟ ଝାରଖଣ୍ଡ ବ୍ରହ୍ମାଡିହା କୋଇଲା ଆବଂଟନ ଦୁର୍ନୀତି ମାମଲାରେ ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ୧ଲକ୍ଷ ଟଙ୍କା ବେଲବଣ୍ଡରେ ଜାମିନ ଦେଇଛନ୍ତି ।

କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ କୋଇଲା ମନ୍ତ୍ରୀ ଥିବା ଦିଲ୍ଲୀପ ରାୟଙ୍କ ବିରୋଧରେ ଅଭିଯୋଗ ଥିଲା ସିଟିଏଲ ନାମକ ଏକ କଂପାନୀକୁ ଅନୁକମ୍ପା ଦେଖାଇ ଖଣି ଆବଂଟନ କରିଥିଲେ । ସିବିଆଇ କୋର୍ଟରେ ଏହା ପ୍ରମାଣିତ ହେବା ପରେ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ ।

କେମିତି ହୋଇଥିଲା କୋଇଲା ଖଣି ଆଂବଟନ ? କ’ଣ ଆସିଥିଲା ମନ୍ତ୍ରୀଙ୍କ ନାରେ ଅଭିଯୋଗ ? କାଷ୍ଟ୍ରଲ ଟେକ୍ନୋଲୋଜି ଲିମିଟେଡ ନାମକ ଏକ କମ୍ପାନି ୧୯୯୮ରେ ଝାରଖଣ୍ଡର ବ୍ରହ୍ମଡିହ କୋଇଲା ଖଣି ପାଇଁ ଆବେଦନ କରିଥିଲା । କିନ୍ତୁ କୋଲ ଇଣ୍ଡିଆ ଲିମିଟେଡ ଏହି ଖଣି ଆବଂଟନ କରିବା ପାଇଁ ସୁପାରିଶରେ ମନା କରିଥିଲା । କୋଲ ଇଣ୍ଡିଆ ଲିମିଟେଡ କାରଣ ଦେଖାଇଥିଲା ଏହି ଖଣିରେ ପାଣି ଜମିରହିଥିବା ଯୋଗୁଁ ନିକଟରେ ଥିବା ଅନ୍ୟ କୋଇଲା ଖଣି ପାଇଁ ଏହା ବିପଦଜନକ ହେବ ।

କୋଲ ଇଣ୍ଡିଆ ଲିମିଟେଡର ଏଭଳି ମନ୍ତବ୍ୟ ପରେ ଘଟଣା ସେଇଠି ଅଟକି ଯାଇଥିଲା । ତେବେ ୧୯୯୯ରେ ଦିଲ୍ଲୀପ ରାୟ ମନ୍ତ୍ରୀ ଥିବା ସମୟରେ ପୁଣି ଥରେ ସେହି କମ୍ପାନୀ କୋଇଲା ବ୍ଲକ ପାଇଁ ଆବେଦନ କଲା ।

ତତ୍କାଳୀନ ମନ୍ତ୍ରୀ ଦିଲ୍ଲୀପ ରାୟ ଏହି ଆବେଦନକୁ ପରୀକ୍ଷା ନୀରିକ୍ଷା କରିବା ପାଇଁ କୋଇଲା ମନ୍ତ୍ରାଳୟର ଅଧିକାରୀମାନଙ୍କୁ ପଠାଇ ଦେଲେ । ଅଧିକାରୀଙ୍କ ସକରାତ୍ମକ ଆଭିମୁଖ୍ୟ ଦେଖିବା ପରେ କାଷ୍ଟ୍ରଲ ଟେକ୍ନୋଲଜି ଲିମିଟେଡକୁ କୋଇଲା ଖଣି ଆବଂଟନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହି ମାମଲାରେ କୋଇଲା ମନ୍ତ୍ରାଳୟର ଦୁଇ ପୂର୍ବତନ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କାଷ୍ଟ୍ରୋନ ଟେକ୍ନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ମାମଲାରେ ସିବିଆଇ ଦିଲ୍ଲୀପଙ୍କୁ ଆଜୀବନ କାରାଦଣ୍ଡାଦେଶ ପାଇଁ ସିବିଆଇ ସ୍ୱତନ୍ତ୍ର ଅଦାଲତରେ ଯୁକ୍ତି ବାଢିଥିଲା । କିନ୍ତୁ ଦିଲ୍ଲୀପଙ୍କ ଓକିଲ ତାଙ୍କର ବୟସ ଏବଂ ପୂର୍ବର ଭଲ ଛବିକୁ ଦୃଷ୍ଟିରେ ରଖି ଦଣ୍ଡ ବିଧାନ କୋହଳ କରିବାକୁ ଅନୁରୋଧ କରିଥିଲେ ।