ବଢିଲା ଶିଳ୍ପପତି ମହିମା ମିଶ୍ରଙ୍କ ଅଡୁଆ: ମହିମାଙ୍କ ସାନପୁଅକୁ ଗିରଫ କଲା ସିବିଆଇ, ପାରାଦ୍ୱୀପ ବ୍ୟବସାୟକୁ ବୁଝୁଥିଲେ ଚର୍ଚ୍ଚିତ୍

99

କନକ ବ୍ୟୁରୋ: ପାରାଦ୍ୱୀପ ବନ୍ଦରରେ ହୋଇଥିବା ଲାଂଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ଅଢୁଆ ବଢିବାରେ ଲାଗିଛି । ଲାଗାତାର ୩ ଦିନ ହେଲା ତନାଘନା କରୁଛି ସିବିଆଇ । ମହିମାଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି ସିବିଆଇ । ଭୋର ୪ଟା ବେଳେ ଚର୍ଚ୍ଚିତ, ସିବିଆଇ ଅଫିସରେ ହାଜର ହୋଇଥିଲେ । ତାଙ୍କୁ ଗୁଡାଇ ତୁଡାଇ ପଚରାଉଚରା କରିବା ପରେ ଗିରଫ କରିଥିଲା ତଦନ୍ତକାରୀ ସଂସ୍ଥା । ଚର୍ଚ୍ଚିତଙ୍କ ବିରୋଧରେ ଆଇପିସିର ଦଫା ୧୨୦-ବି ଓ ଦୁର୍ନୀତି ନିବାରଣ ଆଇନ ୨୦୧୮ର ଧାରା ୭,୮, ୯, ୧୦,୧୨ରେ ମାମଲା ରୁଜ ହୋଇଛି । ଅପରାଧିକ ଷଡଯନ୍ତ୍ର, ସରକାରୀ କର୍ମଚାରୀଙ୍କୁ ଲାଂଚ ଏବଂ ବାଣିଜ୍ୟିକ ସଂସ୍ଥା ଦ୍ୱାରା ଲାଂଚ ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । କୋର୍ଟରେ ହାଜର ପରେ ୯ ତାରିଖ ଯାଏଁ ଚର୍ଚ୍ଚିତଙ୍କୁ ରିମାଣ୍ଡରେ ନେଇଛି ସିବିଆଇ । ଚର୍ଚ୍ଚିତ କହିଛନ୍ତି, ସେ ଯାହା କହିବେ କୋର୍ଟରେ କହିବେ ।

ସେପଟେ ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ବଡ ପୁଅ ଚନ୍ଦନ ମିଶ୍ରଙ୍କୁ ଘନ ଘନ ଜେରା କରିଛି ସିବିଆଇ । ରାତିସାରା ପଚରାଉଚରା କରିବା ପରେ ସେମାନେ ଶନିବାର ସକାଳେ ସିବିଆଇ ଅଫିସରୁ ବାହାରିଥିଲେ । ଶୁକ୍ରବାରଦିନ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ, କେସିଟି ଗ୍ରୁପର ମ୍ୟାନେଜର ପୋର୍ଟ ଅପରେସନ ଶଙ୍ଖଶୁଭ ମିତ୍ର, ଠିକାଦାର ସୁମନ୍ତ ରାଉତ ଏବଂ ଓଏସଏଲ ସଂସ୍ଥାର ଡିଜିଏମ ଅପରେସନ ସୂର୍ଯ୍ୟ ନାରାୟଣ ସାହୁଙ୍କୁ ସିବିଆଇ ଗିରଫ କରି ରିମାଣ୍ଡରେ ନେଇଛି । ସେପଟେ ଏହି ଲାଂଚ କରାବାର ମାମଲାରେ ବିଲଡର ଶିଶିର ଦାସଙ୍କୁ ବି ଗିରଫ କରିଛି ସିବିଆଇ ।

ସିବିଆଇର ସୂଚନା ଅନୁସାରେ, ବନ୍ଦରର ଚିଫ ମେକାନିକାଲ ଇଂଜିନିୟର ସରୋଜ ଦାସ ବନ୍ଦରରେ ନିୟୋଜିତ ଘରୋଇ କମ୍ପାନୀକୁ ଅନୁକମ୍ପା ଦେଖାଇଥିଲେ । ସେ ମଧ୍ୟସ୍ଥିଙ୍କ ଜରିଆରେ ଓଡିଶା ଷ୍ଟିଭେଡର୍ସ ଲିମିଟେଡଠାରୁ ୬୦ ଲକ୍ଷ ଟଙ୍କା ଡିଲ କରିଥିଲେ । ଆଉ ୬୦ ଲକ୍ଷ ମଧ୍ୟରୁ ମଧ୍ୟସ୍ଥି ୨୫ ଲକ୍ଷ ଗ୍ରହଣ କରିଥିଲା । ଆଉ ଏହାର ପର୍ଦ୍ଦାଫାସ କରିବାକୁ ସିବିଆଇ ଏକ ଟିମ ବନେଇ ତନାଘନା କରୁଛି ।