ଚତୁର୍ଥ ଦିନରେ ବି ଆକ୍ସନ ମୁଡରେ ସିବିଆଇ । ଆଜି ପୁଣି ସୁଶାନ୍ତଙ୍କ ରୋଷେୟା ନୀରଜ, ବନ୍ଧୁ ସିଦ୍ଧାର୍ଥ ଓ କେଶବଙ୍କୁ ପଚରାଉଚରା, ରିଆଙ୍କ ଭାଇଙ୍କୁ ବି ଜେରା । ପୋଷ୍ଟମର୍ଟମ ହୋଇଥିବା ଡାକ୍ତରଖାନାରେ ବି ଖୋଳତାଡ ।

731

କନକ ବ୍ୟୁରୋ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇର ମିଶନ ମୁମ୍ବାଇ ପ୍ରତିଦିନ ଖୋଲୁଛି ନୂଆ ଗୁମର । ଅଭିଯୁକ୍ତଙ୍କୁ ଜେରା କରିବା ସହ ଘଟଣାସ୍ଥଳରେ ପହଞ୍ଚି ସବୁ ବିନ୍ଦୁ ଉପରେ ତଦନ୍ତ କରୁଛି ସିବିଆଇର ଗଠିତ ଏସଆଇଟି ଟିମ୍ । ଅନ୍ୟପଟେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟନଙ୍କ ମୃତ୍ୟୁ ପରେ ମଧ୍ୟ ମୋବାଇଲ ଚାଲିଥିବା ତଥ୍ୟ ପଦାକୁ ଆସିଛି । ତେଣୁ ସବୁ ଦୃଷ୍ଟି କୋଣରୁ ତଦନ୍ତ କରୁଛି ସିବିଆଇ ।

ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ସିବିଆଇ ଚତୁର୍ଥ ଦିନରେ ମଧ୍ୟ ଆକ୍ସନ ମୁଡରେ ଥିବା ନଜର ଆସିଛି । ପୁଣି ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀ ଓ ଘରୋଇ ସହାୟକ ନୀରଜ ସିଂହ ଓ କେଶବକୁ ପଚରାଉଚରା କରିଛି ସିବିଆଇ । ରିିଆଙ୍କ ଭାଇ ସୌଭିକ ଚକ୍ରବର୍ତୀଙ୍କୁ ମଧ୍ୟ ଜେରା କରିଛି । ଏଥିସହ ଜେରା ପାଇଁ ରିଆ ଚକ୍ରବର୍ତୀ ଓ ବାପାଙ୍କ ସମନ ପଠାଯାଇଥିବା ଖବର ଆସିଛି । କିନ୍ତୁ ସମନ ପଠାଯିବାକୁ ଖଣ୍ଡନ କରିଛନ୍ତି ରିୟାଙ୍କ ଓକିଲ ସତୀଶ ମାନସିନେ୍ଧ । ଏପର୍ଯ୍ୟନ୍ତ କୌଣସି ସମନ ମିଳିନି ଓ ମିଳିଲେ ରିଆ ତତନ୍ତରେ ସହଯୋଗ କରିବେ ବୋଲି ସେ କହିଛନ୍ତି । ତେବେ ସୁଶାନ୍ତ ମୃତ୍ୟୁ ମାମଲାରେ ସିବିଆଇର ତଦନ୍ତ ପ୍ରକିୟା ଉପରେ ବିଶ୍ୱାସ ପ୍ରକାଶ କରିବା ସହ ଖୁବ ଶିଘ୍ର ନୂଆ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂ ।

ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟର ମଧ୍ୟ ତଦନ୍ତ ଆରମ୍ଭ କରିଛି ସିବିଆଇ । ସିବିଆଇର ଗୋଟିଏ ଟିମ୍ କୁପର ହସପିଟାଲକୁ ଯାଇ ଅଟୋପ୍ସି ରିର୍ପୋଟ ପ୍ରସ୍ତୁତ କରିଥିବା ଡାକ୍ତରଙ୍କୁ ପଚରାଉଚରା କରିଛି । ଏଥିସହ ଆଉ ଏକ ଟିମ୍ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଥିବା ବିଭିନ୍ନ ବ୍ୟାଙ୍କକୁ ଯାଇ ଖୋଳତାଡ କରିଛି । ସିବିଆଇ ଟିମ୍ ଅନେ୍ଧରୀରେ ଥିବା ୱାଟରଷ୍ଟୋନ ରିର୍ସୋଟରେ ମଧ୍ୟ ପହଁଚିଛି । କୁହାଯାଉଛି ଏଠାରେ ଦୁଇମାସ ରହି ସୁଶାନ୍ତ ଆଧ୍ୟାତ୍ମିକ ଥେରାପି ନେଇଥିଲେ । ଏଠି ରହିବା ପାଇଁ ପୂରା ବ୍ୟବସ୍ଥା କରିଥିଲେ ରିଆ ଓ ତାଙ୍କ ଭାଇ ସୌଭିକ । ଆଗକୁ ଆଧ୍ୟାତ୍ମିକ ଗୁରୁ ମୋହନ ଯୋଶୀ ମଧ୍ୟ ସିବିଆଇ ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି ବୋଲି କୁହଯାଇଛି ।

ସୁଶାନ୍ତଙ୍କ ମୃତ୍ୟୁ ମାମଲା ଏବେ ବି ରହସ୍ୟମୟ ହୋଇ ରହଥିବାବେଳେ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ ମୃତ୍ୟୁ ମାମଲାରେ ସନ୍ଦେହ ବୃଦ୍ଧି ପାଉଛି । ଦିଶାଙ୍କ ମୃତ୍ୟୁ ଜୁନ ୮ ତାରିଖରେ ହୋଇଥିଲେ ବି ଜୁନ ୧୭ ପର୍ଯ୍ୟନ୍ତ ତାଙ୍କ ମୋବାଇଲ ଫୋନର ସୁଇଚ ଅନ୍ ଥିବା ତଦନ୍ତରୁ ଜଣାପଡିଛି । ତେଣୁ ସୁଶାନ୍ତ ଓ ଦିଶାଙ୍କ ମୃତ୍ୟୁର କିଛି ଲିଙ୍କ ଅଛି କି ନାହିଁ ସେ ନେଇ ମଧ୍ୟ ଖୋଳତାଡ କରିବ ସିବିଆଇ ।