ସାବଧାନ୍ ! ଆପଣ ବ୍ୟବହାର କରୁନାହାନ୍ତି ତ ବିଷାକ୍ତ ସାନିଟାଇଜର…ହ୍ୟାଣ୍ଡ ସାନିଟାଇଜରକୁ ନେଇ ସତର୍କ କରାଇଲା ସିବିଆଇ: ଭାରତରେ ବି ଉପୁଜିପାରେ ଇରାନ୍ ଭଳି ପରିସ୍ଥିତି, କରୋନା ପ୍ରତିହତ ଆଳରେ ଚାଲିଯାଇଥିଲା ୭ ଶହରୁ ଅଧିକ ଲୋକଙ୍କ ଜୀବନ

746

କନକ ବ୍ୟୁରୋ: କରୋନା ସଂକଟ କାଳରେ ବି ମାତିଛନ୍ତି ଅସାମାଜିକ ଯୁବକ । ଆଉ ଏହି ଅସାମାଜିକ ବ୍ୟକ୍ତିମାନେ ହ୍ୟାଣ୍ଡ ସାନିଟାଇଜର ନାଁରେ ଲୋକଙ୍କୁ ବିକ୍ରି କରୁଛନ୍ତି ବିଷାକ୍ତ ମିଥାନଲ । ଖାଲି ହ୍ୟାଣ୍ଡ ସାନିଟାଇଜର ନୁହେଁ ପିପିଇ କିଟ୍, ମେଡିକାଲ ଇନଫ୍ରାଷ୍ଟ୍ରକଚର ନାଁରେ ମଧ୍ୟ ଲୋକଙ୍କୁ ଲୁଟିବା ଆରମ୍ଭ କରିଦେଇଛନ୍ତି । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏନେଇ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳଗୁଡିକର ଥାନାଧିକାରୀଙ୍କ ସତର୍କ କରାଇଛି କ୍ରାଇମ୍ ବ୍ରାଂଚ ।

ସିବିଆଇକୁ ମିଳିଥିବା ତଥ୍ୟ ଅନୁସାରେ, କରୋନା ସଂକଟ କାଳରେ ଲୋକଙ୍କ ଜୀବନ ସହ ଖେଳୁଥିବା  ଏଭଳି ଅନେକ ଗ୍ୟାଙ୍ଗ କୋଭିଡ-୧୯ ହସ୍ପିଟାଲରେ ବୃଦ୍ଧି ପାଉଥିବା ଭିଡ ଏବଂ  ଡରର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି । ତେବେ ଏଭଳି ଗ୍ୟାଙ୍ଗ ପିପିଇ କିଟ୍  ଏବଂ ଅନାନ୍ୟ ମେଡିକାଲ ପ୍ରୋଟେକ୍ଟିଭ ସାମଗ୍ରୀ ନାଁରେ ଡୁପ୍ଲିକେଟ୍ ସାମଗ୍ରୀ ବିକ୍ରି କରି ଲୋକଙ୍କୁ ଭୁଆଁ ବୁଲାଇବା ସହ ସେମାନଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ।

ଅନଲାଇନ ପେମେଂଟ ପରେ ବି ମିଳୁନି ଜିନିଷ

ସିବିଆଇ ତଦନ୍ତରୁ ଆହୁରୀ ମଧ୍ୟ ତଥ୍ୟ ସାମ୍ନାକୁ ଆସିଛି ଯେ, ଏମାନେ କୋଭିଡ-୧୯ ସହ ଜଡିତ ମେଡିକାଲ ଉପକରଣ କିଣୁଥିବା ମେଡିକାଲ ଏବଂ ଅନ୍ୟ ସଂସ୍ଥାଗୁଡିକ ସହ ଅନଲାଇନ ବୁକିଂ ନାଁରେ ବି ଠକେଇ କରୁଛନ୍ତି । ଏପରିକି ଅନଲାଇନ ପେମେଂଟ ପରେ ବି କୌଣସି ସାମଗ୍ରୀ ପଠାଉନଥିବା ମଧ୍ୟ ନଜିର ରହିଛି ।

ମିଥାନଲ ପିଇ ଶହ ଶହ ଲୋକ ମୃତ

ବଡ କଥା ହେଲା କି, କରୋନା ମହାମାରୀ ଚିକିତ୍ସା ନାଁରେ ମିଥାନଲ ପିଇବା ଖବର ନିକଟକରେ ସାମ୍ନାକୁ ଆସିଥିଲା । ଯେଉଁଥିରେ ଇରାନର ପ୍ରାୟ ୭୨୮ରୁ ଅଧିକ ଲୋକଙ୍କର ଜୀବନ ମଧ୍ୟ ଚାଲିଯିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ତେବେ ଭାରତରେ ମଧ୍ୟ ଏଭଳି ହିଁ କିଛି କାଣ୍ଡ ଘଟାଇବାକୁ ଷଡଯନ୍ତ୍ର ରଚାଯାଉଥିବା ନେଇ ସିବିଆଇ ପକ୍ଷରୁ ଆଶଙ୍କା କରାଯାଉଛି ।