ପାକିସ୍ତାନ ଛାଡିଲା ଏକୁଟିଆ ରହୁଥିବା ହାତୀ କାୱନ । ଇସଲାମାବାଦର ଚିଡିଆଖାନାରୁ କମ୍ବୋଡିଆ ଅଭୟାରଣ୍ୟକୁ କରାଗଲା ଏୟାରଲିଫ୍ଟ

235

କନକ ବ୍ୟୁରୋ : ପାକିସ୍ତାନରୁ ମୁକ୍ତ ହେଲା ବିଶ୍ୱର ଏକୁଟିଆ ଥିବା ହାତୀ କାୱନ । ଦୀର୍ଘ ବର୍ଷର ଆଇନ କାନୁନ ଲଢେଇ ପରେ ଶେଷରେ ପାକିସ୍ତାନରୁ ଏୟାରଲିଫ୍ଟ କରାଯାଇ କମ୍ବୋଡିଆରେ ପହଂଚିଛି ଏହି ହାତୀ । ଦୀର୍ଘ ୩୬ବର୍ଷ ଧରି ପାକିସ୍ତାନର ଚିଡିଆଖାନାରେ ରହିଆସୁଥିଲା କାୱନ । ୨୦୧୨ରେ ତାର ସାଥୀର ମୃତ୍ୟୁ ପରେ ସେ ପୁରା ଏକୁଟିଆ ଭାବେ ଭୀବନଯାପନ କରୁଥିଲା । ସାରା ବିଶ୍ୱରେ ଏକାନ୍ତ ଭାବେ ବସବାସ କରୁଥିବା ହାତୀ ଭାବେ ଜଣାଶୁଣଶ କାୱନ ।

ଆମେରିକାର ପପଷ୍ଟାର ଚେର୍ ଓ ରେସକ୍ୟୁ ସଂସ୍ଥା ଫୋର ପ’ ଦୀର୍ଘ ବର୍ଷ ହେଲା କାୱନକୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ଶେଷରେ ସେ ଏଥିରେ ବିଜୟୀ ହୋଇଛନ୍ତି । ଏବଂ କାୱନକୁ ଏୟାରଲିଫ୍ଟ କରାଯାଇ କମ୍ବୋଡିଆର ଅଭୟାରଣ୍ୟକୁ ସ୍ଥାନାନ୍ତରିତ କରାଯାଇଛି । କାୱନକୁ ସ୍ଥାନାନ୍ତରିତ କରିବା ପାଇଁ ୨୦୧୬ରେ କ୍ୟାମ୍ପେନ ଆରମ୍ଭ ହୋଇଥିଲା । ୨୦୧୨ରେ ତାର ସାଥୀ ହାତୀର ମୃତ୍ୟୁ ପରେ ଏକୁଟିଆ ରହୁଥିଲା କାୱନ । ଏପରିକି କୁପୋଷଣର ଶିକାର ହେବା ସହ ତାର ବ୍ୟବହାରରେ ମଧ୍ୟ ଅନେକ ପରିବର୍ତନ ଦେଖିବାକୁ ମିଳିଥିଲା । ଏଥିପାଇଁ ତାକୁ ଇସଲାମାବାଦରୁ ମୁକ୍ତି କରି କମ୍ବୋଡିଆକୁ ନେବା ପାଇଁ କ୍ୟାମ୍ପେନ ଆରମ୍ଭ ହୋଇଥିଲା । ଏବେ କମ୍ବୋଡିଆରେ ଅନ୍ୟ ହାତୀଙ୍କ ସହ ଜୀବନ ବିତାଇବ କାୱନ ।

୪ଦଶମିକ ୮ଟନ୍ ଓନଜର ଏହି ହାତୀକୁ ଏୟାରଲିଫ୍ଟ କରି ନେବା ବେଶ କଷ୍ଟକର ଥିଲା । କାୱନ ପାଇଁ ମଧ୍ୟ ଏହା ସହଜ ନଥିଲା । ତେଣୁ ଦୀର୍ଘ ମାସ ଧରି କାୱନକୁ ଏଥିପାଇଁ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା । ସେପଟେ କାୱନକୁ ଇସଲାମାବାଦ ଚିଡିଆଖାନାରୁ ବିଦାୟ ଦେବା ପାଇଁ ସ୍ୱତନ୍ତ୍ର ସମାରୋହର ଆୟୋଜନ କରାଯାଇଥିଲା । ରବିବାର ଦିନ କାୱନ ଇସାଲାମାଦରୁ କମ୍ବୋଡିଆ ଯାତ୍ରା କରିଛି । ଏହି ସମୟରେ ତାସହ ପ୍ରାୟ ୨ଶହ କେଜିର କଦଳୀ ଓ ତରଭୁଜ ଦିଆଯାଇଥିଲା । କାୱନକୁ ଇସାଲାମାବାଦର ଚିଡିଆଖାନାରୁ ଜୁମ୍ବୋ ଜେଟ ମାଧ୍ୟମରେ ଏୟାର ଲିଫ୍ଟ କରାଯାଇ ଦକ୍ଷିଣ କମ୍ବୋଡିଆକୁ ନିଆଯାଇଛି । ସେଠାରେ ଅଭୟାରଣ୍ୟରେ ସେ ଅନ୍ୟ ହାତୀଙ୍କ ସହ ଜୀବନଯାପନ କରିବ ।