କନକ ବ୍ୟୁରୋ : କାବେରୀ ନଦୀ ଜଳ ବଂଟାକୁ ନେଇ କର୍ଣ୍ଣାଟକ ସରକାରଙ୍କ ନିଷ୍ପକୁ ବିରୋଧ କରି ମଙ୍ଗଳବାର ପ୍ରଦର୍ଶନ କରିଛନ୍ତି ବିଭିନ୍ନ ଚାଷୀ ସଙ୍ଗଠନ । ରାଜଧାନୀ ବେଙ୍ଗାଲୁରୁ ବନ୍ଦ ଡାକରା ଦେବା ସହ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଚାଷୀ ଓ ବିଭିନ୍ନ ବିରୋଧୀ ଦଳ । ରାଜଧାନୀ ବେଙ୍ଗାଲୁରୁରେ ଦୋକାନ-ବଜାର, ମଲ, ରେସ୍ତୁରାଁ ସବୁକିଛି ବନ୍ଦ । ଗାଡି ଚଳାଚଳ ବନ୍ଦ ସହ, ବସ୍ ଓ ଟ୍ରେନ୍ ଚଳାଚଳ ବି ବନ୍ଦ ରହିଛି । କର୍ଣ୍ଣାଟକର ବିଭିନ୍ନ ଚାଷୀ ସଙ୍ଗଠନ, କନ୍ନଡ ସଂସ୍ଥା ଏବଂ ବିରୋଧୀ ଦଳ ଏହି ପ୍ରଦର୍ଶନରେ ସାମିଲ ହୋଇଛନ୍ତି ।

Advertisment

କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ କାବେରୀ ଜଳକୁ ନେଇ ବିବାଦ ବହୁ ପୁରୁଣା । ଗତ ସେପ୍ଟେମ୍ବର ୧୩ ତାରିଖରେ କାବେରୀ ରେଗୁଲେସନ୍ କମିଟି, ତାମିଲନାଡୁକୁ ୫ହଜାର କ୍ୟୁସେକ୍ ଜଳ ଛାଡିବାକୁ କର୍ଣ୍ଣାଟକ ସରକାରଙ୍କୁ ସୁପାରିଶ କରିଥିଲା । ଏହାକୁ ନେଇ ସର୍ବଦଳୀୟ ବୈଠକ ଡାକିଥିଲେ ସିଦ୍ଧରମୈୟାଙ୍କ ସରକାର । ପରେ ସିଦ୍ଧରମୈୟା ସରକାର ପାଣି ଛଡାଯିବାକୁ ନେଇ ରାଜରାସ୍ତାକୁ ଓହ୍ଳାଇଛନ୍ତି କର୍ଣ୍ଣାଟକ ଚାଷୀ ।

କ’ଣ ଏହି କାବେରୀ ଜଳ ବିବାଦ?
- ୮୦୦ କି.ମି. ଲମ୍ବା କାବେରୀ ନଦୀ କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ବ୍ରହ୍ମଗିରି ପାହାଡରୁ ବାହାରିଛି
- ତାମିଲନାଡୁ ଦେଇ ବଙ୍ଗୋପ ସାଗରରେ ମିଶିଛି କାବେରୀ ନଦୀ
- କର୍ଣ୍ଣାଟକରେ ୩୨ ହଜାର ବର୍ଗ କିଲୋମିଟର କାବେରୀ ଅବବାହିକା ରହିଛି
- ତାମିଲନାଡୁରେ ୪୪ ହଜାର ବର୍ଗ କିଲୋମିଟର କାବେରୀ ଅବବାହିକା ରହିଛି
- ଉଭୟ କର୍ଣ୍ଣାଟକ ଓ ତାମିଲନାଡୁ ଚାଷ ପାଇଁ କାବେରୀ ନଦୀ ଜଳ ଉପରେ ନିର୍ଭର କରନ୍ତି
- କାବେରୀ ନଦୀ ଜଳକୁ ନେଇ ୧୪୦ ବର୍ଷ ଧରି ଦୁଇ ରାଜ୍ୟରେ ବିବାଦ ରହିଛି
- ୧୯୯୦ରେ କାବେରୀ ୱାଟର ଡିସପ୍ୟୁଟ ଟ୍ରିବ୍ୟୁନାଲ ଗଠିତ
- ଟ୍ରିବ୍ୟୁନାଲ, ତାମିଲନାଡୁକୁ ପାଣି ଦେବାକୁ କର୍ଣ୍ଣାଟକକୁ ନିର୍ଦ୍ଦେଶ ଦେଲା
- କର୍ଣ୍ଣାଟକ ପର୍ଯ୍ୟାପ୍ତ ପାଣି ଛାଡୁନଥିବା ଅଭିଯୋଗରେ ୨୦୧୬ରେ ତାମିଲନାଡୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ଏବେ ବି ସୁପ୍ରିମକୋର୍ଟରେ ଚାଲିଛି କାବେରୀ ଜଳ ମାମଲା । ହେଲେ ଏପଟେ ତାମିଲନାଡୁକୁ କାବେରୀ ଜଳ ଛାଡିବା ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଏ ବିବାଦ କେବେ ଶେଷ ହେବ ତାହା କହିବା ଏବେ ସମ୍ଭବ ନୁହଁ ।