ମାହାଙ୍ଗା ବିଜେପି ନେତାଙ୍କୁ ବିଭତ୍ସ ହତ୍ୟାକାଣ୍ଡରେ ୪ ଗିରଫ । କାହିଁକି କୂଳମଣୀଙ୍କୁ କରାଗଲା ହତ୍ୟା ? ନଜର ପକାନ୍ତୁ କେତୋଟି କାରଣ… ?

700

କନକ ବ୍ୟୁରୋ: ମାହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣୀ ବରାଳ ଏବଂ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟାର ପ୍ରକୃତ କାରଣ କ’ଣ? ଏହାକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା । କିଏ ରାଜନୈତିକ ବିବାଦର ପରିମାଣ କହୁଛି, ତ ଆଉ କିଏ କହୁଛି ବ୍ୟକ୍ତିଗତ ବିବାଦର ଫଳ । ପ୍ରକୃତ କାରଣ ନେଇ ପୁଲିସ୍ ତଦନ୍ତ କରୁଥିବା ବେଳେ କ’ଣ ହୋଇପାରେ ହତ୍ୟାକାଣ୍ଡ ପଛର କାରଣ ।

କାରଣ ନମ୍ବର-୧
ସରକାରୀ ଅନୁଦାନ
ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବା ସ୍ଥାନୀୟ ସରପଂଚଙ୍କ ସ୍ୱାମୀ ଏବଂ ସମିତି ସଭ୍ୟ ଥିବା କୂଳମଣୀ ବରାଳଙ୍କ ପୁଅଙ୍କ ଭିତରେ ସରକାରୀ ଟଙ୍କାକୁ ନେଇ ଅନେକ ସମୟରେ ମୁହାଁମୁହିଁ ଭଳି ସ୍ଥିତି ସୃଷ୍ଟି ହୋଇଛି । ଟଙ୍କା ଖର୍ଚ୍ଚକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଥିବା ବିବାଦ ପରବର୍ତୀ ସମୟରେ ହିଂସାର ରୁପ ନେଇଥାଇପାରେ । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ଅଭିଯୋଗ କରି ଆସୁଥିଲେ ମୃତ କୂଳମଣୀ । ଯାହା ହତ୍ୟାକାଣ୍ଡର ପ୍ରମୁଖ କାରଣ ହୋଇପାରେ ।

କାରଣ ନମ୍ବର-୨
ରାଜନୈତିକ ବିବାଦ
ମାହାଙ୍ଗାରେ ଶାସକ-ବିରୋଧୀ କର୍ମୀଙ୍କ ଭିତରେ ଛକାପଞ୍ଝା କାହାରିକୁ ଅଛପା ନାହିଁ । ସ୍ଥାନୀୟ ରାଜନୀତିରେ ବେଶ୍ ସକ୍ରିୟ ଥିବା କୁଳମଣୀ ବରାଳ ଏବଂ ପ୍ରତିପକ୍ଷ ଗୋଷ୍ଠୀ ମଧ୍ୟରେ ନିୟମିତ ବ୍ୟବଧାନରେ ମୁହାଁମୁହିଁ ହେଉଥିଲା । ଆଉ ଏହା ପଛରେ ଥିଲା ରାଜନୈତିକ ପ୍ରତିଦ୍ୱନ୍ଦିତା । ଆଉ ଏହି ପ୍ରତିନ୍ଦ୍ୱନ୍ଦିତା ହିଂସାର ରୁପ ନେଇ ହତ୍ୟାକାଣ୍ଡର ରୁପ ନେଇଥିବା ଆଶଙ୍କା କରାଯାଉଛି ।

କାରଣ ନମ୍ବର-୩
ମିଛ ମାମଲା
ମୃତ କୂଳମଣୀ ବରାଳଙ୍କ ଗୋଷ୍ଠୀ ଏବଂ ପ୍ରତିପକ୍ଷ ଗୋଷ୍ଠୀ ମଧ୍ୟରେ ନିୟମିତ ପାଟିତୁଣ୍ଡ ଓ ଝଗଡ଼ା ହେଉଥିଲା । ଆଉ ଯେତେ- ବେଳେ ବି ଗଣ୍ଡଗୋଳ ହେଉଥିଲା, ଗୋଟିଏ ଗୋଷ୍ଠୀ ଆଉ ଗୋଟିଏ ଗୋଷ୍ଠୀ ନାଁରେ ସମୁହ ମାମଲା ରୁଜୁ କରୁଥିଲା । ଦୁଇ ଗୋଷ୍ଠୀ ନାଁରେ ୩୦ରୁ ୪୦ ଜଣ ଲେଖାଏଁଙ୍କ ନାଁରେ ମାମଲା ରହିଛି । ସଂପୃକ୍ତ ଥାଉ କି ନଥାଉ, ଗଣ୍ଡଗୋଳ ପାଇଁ ମିଛ ମାମଲା ଅନ୍ୟତମ କାରଣ ହୋଇପାରେ ।

କାରଣ ନମ୍ବର-୪
ପତିଆରା ବିବାଦ
ଦୁଇ ଗୋଷ୍ଠୀ ମଧ୍ୟରେ ପତିଆରାର ଲଢ଼େଇ ହତ୍ୟାକାଣ୍ଡର ଆଉ ଏକ କାରଣ ହୋଇପାରେ । ୭୦ ଦଶକରୁ ରାଜନୀତିରେ ଥିଲେ କୁଳମଣୀ । ଏହାରି ଭିତରେ ଦଳ ବଦିଳିଛି, ଶାସନ ବଦଳିଛି । ଆଉ ଏହାରି ଭିତରେ କେତେବେଳେ ତାଙ୍କ ଗୋଷ୍ଠୀ ମଜବୁତ ହୋଇଛନ୍ତି, ତ ଆଉ କେତେବେଳେ ପ୍ରତିପକ୍ଷ ଗୋଷ୍ଠୀ ତାଙ୍କ ଗୋଷ୍ଠିକୁ ଭାରି ପଡ଼ିଛନ୍ତି ।

କାରଣ ନମ୍ବର-୫
ମନ୍ତ୍ରୀଙ୍କ ସୁରକ୍ଷା ?
ଦୁଇ ଗୋଷ୍ଠୀର ବିବାଦ ଭିତରେ ଗୋଟିଏ ଗୋଷ୍ଠୀ, କ୍ଷମତାଶାଳୀ ନେତା ଓ ମନ୍ତ୍ରୀଙ୍କ ସୁରକ୍ଷା ପାଉଥିବା ନେଇ ଅଭିଯୋଗ ହେଉଛି । ଆଉ ମନ୍ତ୍ରୀ ନେତାଙ୍କ ସୁରକ୍ଷା ପାଇ ଗୋଟିଏ ଗୋଷ୍ଠୀ ହିଂସାକାଣ୍ଡ ଘଟାଇ ଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

କାରଣ ନମ୍ବର-୬
ସବର୍ଣ୍ଣ-ଅସବର୍ଣ୍ଣ ବିବାଦ
ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ହତ୍ୟାକାଣ୍ଡର ଆଉ ଗୋଟିଏ କାରଣ ହୋଇପାରେ । ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥିବା ପଂଚାନନ ସେଠୀଙ୍କ ଜାତିକୁ ନେଇ ଅନେକ ସମୟରେ ଆକ୍ଷେପ ନେଇ ମଧ୍ୟ ଅଭିଯୋଗ ହୋଇଛି । ଆଉ ଏହି ପ୍ରସଙ୍ଗକୁ ନେଇ ଏକାଧିକ ଥର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ମଧ୍ୟ ହୋଇଛି ।

କାରଣ ନମ୍ବର-୭
ଗୋଷ୍ଠୀ ବିବାଦ
ଶେଷଥର ପାଇଁ ଗତ ୨୭ ତାରିଖରେ ଦୁଇ ଗୋଷ୍ଠୀ ମଧ୍ୟରେ ସାମ୍ନାସାମ୍ନି ସ୍ଥିତି ଦେଖିବାକୁ ମିଳିଲା । ଉଭୟ ପକ୍ଷରୁ ଶୋଭାଯାତ୍ରା କରି ଗୋଟିଏ ଗୋଷ୍ଠି ଆଉ ଗୋଟିଏ ଗୋଷ୍ଠୀ ଉପରେ ଆକ୍ଷେପ କରିଥିଲେ । ଏହା ପୂର୍ବରୁ ଅନେକ ଥର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ହୁଏତ ଏହି ଗୋଷ୍ଠୀ ବିବାଦ ଏହି ହତ୍ୟାକାଣ୍ଡର କାରଣ ହୋଇପାରେ ।