ରୋଜଗାରର ମାଧ୍ୟମ ପାଲଟିଛି ଫୁଲକୋବି ଚାଷ , ଭୁବନ ଅଞ୍ଚଳର ୯୦ ଭାଗ ଚାଷୀ ହେଉଛନ୍ତି ଉପକୃତ

114

କନକ ବ୍ୟୁରୋ : ଢେଙ୍କାନାଳ କାମାକ୍ଷାନଗର ଉପଖଣ୍ଡରେ ଚାଷୀଙ୍କ ରୋଜଗାରର ମାଧ୍ୟମ ପାଲଟିଛି ଫୁଲକୋବି ଚାଷ । ଚାଷୀଙ୍କ ପରିବାର ପୋଷୁଛି ଫୁଲକୋବି ।  ଜିଲ୍ଲାର କାମାକ୍ଷାନଗର, ପରଜଙ୍ଗ, କଙ୍କଡ଼ାହାଡ଼ ଓ ଭୁବନ ବ୍ଲକର ଅଧିକାଂଶ ଚାଷୀ ଏକର ଏକର ଜମିରେ କରିଛନ୍ତି କୋବି ଚାଷ । ଖରିଫ ହେଉ କିମ୍ବା ରବି ଋତୁ ଲୋକଙ୍କ ଏକ ମାତ୍ର ଭରଷା ଚାଷ । ତେଣୁ ଏହି ଅଂଚଳର ପ୍ରାୟ ୯୦ ଭାଗ ଲୋକ ଚାଷକୁ ନିଜର ଜୀବିକା ଭାବେ ଆପଣେଇଛନ୍ତି । ଜମିକୁ କୋଡ଼ା କୋଷା କରି ଧାଡି ପ୍ରଣାଳୀରେ କୋବି ଚାରା ରୋପଣ କରି ଏହାର ଉପଯୁକ୍ତ ଯତ୍ନ ନେଇଥାଆନ୍ତି ଚାଷୀ । ଶୀତଦିନେ କୋବି ଚାଷ ଚାଷୀଙ୍କ ପାଇଁ ଏକ ଲାଭଦାୟକ ଫସଲ ହୋଇଥିବା ବେଳେ ଆରମ୍ଭରୁ ୪୦ ରୁ ୫୦ ଟଙ୍କାରେ ବିକ୍ରି ହେଉଥଲା । ଏବେ ୨୦ ରୁ ୩୦ ଟଙ୍କାରେ ବିକ୍ରି କରୁଛନ୍ତି । ତେବେ ଚାଷ ପାଇଁ ଜଳସେଚନର ଅସୁବିଧା ଥିବାରୁ ଚାଷୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ସେହିପରି ଶିତଳଭଣ୍ଡାରଟିଏ ନଥିବାରୁ ଲୋକେ ଅମଳ କରିଥିବା ପନିପରିବା ସାଇତି ରଖିପାରୁନାହିଁ   ।

ଖୁବ୍ କମ୍ ଦିନରେ ଭଲ ଅମଳ ହେଉଥିବାରୁ ଏହି ଚାଷକୁ ଆପଣାଇ ଲାଭବାନ ହେଉଛନ୍ତି ଚାଷୀ । ୪୦ରୁ ୪୫ ଦିନ ମଧ୍ୟରେ କୋବି ବିକ୍ରି ଉପଯୋଗୀ ହୋଇଥାଏ । ଉତମ ଜଳବାୟୁ, ଜଳସେଚନ ଓ ଉଚିତ ବଜାର ମୂଲ୍ୟ ମିଳିଲେ ଚାଷୀ ଆହୁରି ଉପକୃତ ହୋଇପାରନ୍ତେ ।

ଶୀତରୁତୁରେ ଫୁଲ, ଫଳ ଓ ବିଭିନ୍ନ ପ୍ରକାରର ପନିପରିବା ଚାଷରେ ସବୁଜିମା ହୋଇଥାଏ ପରିବେଶ । ଏହି ସମୟରେ ରୁତୁକାଳୀନ ଚାଷ କରି ଚାଷୀ ଉପକୃତ ହୋଇଥାଆନ୍ତି । ଆଉ ଏହି ସମୟରେ କୋବି ଚାଷ କରି ଢେଙ୍କାନାଳ ଅଂଚଳର ଚାଷୀ ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ।