ଆମେ ଶତ୍ରୁ ନୁହେଁ ସାଙ୍ଗ… ଭାଙ୍ଗିଲା ଯୁଗ ଯୁଗର ଶତ୍ରୁତାର ସମ୍ପର୍କ । ଖାଦ୍ୟ-ଖାଦକର ଶୃଙ୍ଖଳ ଛିଡାଇ ବନ୍ଧୁତାର ହାତ ବଢାଇଲେ ବିଲେଇ-ମୂଷା । ଗୋଟିଏ ଥାଳିରେ ଏକାଠି ଖାଉଥିବାର ବିରଳ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେଲା ମଣିଷ…

659

କନକ ବ୍ୟୁରୋ: ମିତ ବସିଛି ମୁଁ ମୂଷା ସାଥୀରେ । ବିଲେଇ ପାଲଟିଲା ମୂଷାର ବନ୍ଧୁ । ଶତ୍ରୁ ଯେବେ ସାଙ୍ଗ ସାଜେ, ପରମ ଶତ୍ରୁ ସହ ଯେବେ ସଙ୍ଗାତ ବସେ ସେବେ ଦେଖିବାକୁ ମିଳେ ଏମିତି ବିରଳ ଦୃଶ୍ୟ । ଏଠି ଖାଦ୍ୟକୁ ଖାଉନି ଖାଦକ, ମୂଷାକୁ ମାରୁନି ବିଲେଇ । ଖାଦ୍ୟ-ଖାଦକର ଚିରାଚରିତ ପ୍ରଥାରେ ଲାଗିଛି ବ୍ରେକ୍, ବଢିଛି ବନ୍ଧୁତାର ହାତ । ଆଉ ଗୋଟିଏ ଥାଳିରେ ଦୁଇ ସାଙ୍ଗ ପରି, ଦୁଇ ଭାଇ ପରି ଭାତ ଖାଉଛନ୍ତି ମୂଷା-ବିଲେଇ । ଶତ୍ରୁତାର ପରମ୍ପରା ଭାଙ୍ଗି ଆରମ୍ଭ କରିଛନ୍ତି ନୂଆ ଏକ ସମ୍ପର୍କ…

ମୂଷା-ବିଲେଇର ଏ ବିରଳ ସମ୍ପର୍କ ଦେଖିବାକୁ ମିଳିଛି ପୁରୀ ଦତତୋଟା ଅଞ୍ଚଳରେ । ଦେବଦତ୍ତ ବିଶ୍ୱରଞ୍ଜନ ମିଶ୍ର ଘରେ ଏକ ବିଲେଇ ପାଳିଥିଲେ । ବିଲେଇକୁ ସବୁଦିନ ଖାଇବାକୁ ଦେଇ ତାର ଯତ୍ନ ନେଉଥିଲେ । ହେଲେ ହଠାତ ଦିନେ ଗୋଟେ ମୂଷା ବିଲେଇର ଖାଇବା ଥାଳିରେ ଆସି ଖାଉଥିଲା । ବିଲେଇ ବି କୌଣସି ପ୍ରତିବାଦ କିମ୍ବା ଆକ୍ରମଣାତ୍ମକ ନହୋଇ ଶତ୍ୁ ନୁହେଁ ବରଂ ସାଙ୍ଗ ଭଳି ଖାଉଥିଲା । ସେବେଠାରୁ ଆଜି ଯାଏ ଯେତେବେଳେ ବିଲେଇକୁ ଖାଇବାକୁ ଦିଆଯିବ ମୂଷା ସଙ୍ଗେ ସଙ୍ଗେ ଆସି ସାଥିରେ ଖାଇବ ଆଉ ପୁଣି କୁଆଡେ ଲୁଚିଯାଏ ବୋଲି କହିଛନ୍ତି ଘର ମାଲିକ ।

ତେବେ ଖାଦ୍ୟ-ଖାଦକର କଥା ଉଠିଲେ ସାଧାରଣତ ବାଘ-ହରିଣ, ମୂଷା-ବିଲେଇ, ସାପ-ବେଙ୍ଗ ସହ ଖାଦ୍ୟ ଶୃଙ୍ଖଳ କଥା ମନେପଡେ । ଯେଉଁଠି ଖାଦ୍ୟକୁ ଖାଦକ ଖାଇବା ପାଇଁ ସବୁ କଳା କୌଶଳ ଆପଣାଏ, ହିଂସ୍ର ପାଳଟେ, ଆକ୍ରମଣ କରେ । ହେଲେ ପୁରୀର ଏ ନିଆରା ଚିତ୍ର ଶୃଙ୍ଖଳର ପରିଭାଷାକୁ ବଦଳାଇ ସମ୍ପର୍କରେ ପରିଟଣ କରାଇଛି । ତେବେ ଆଜିର ସମାଜରେ ଯେତେବେଳେ ମଣିଷ ମଣିଷ ମଧ୍ୟରେ ଶତ୍ରୁତା ଚରମ ସୀମାରେ ପହଞ୍ଚୁଛି ଠିକ୍ ସେତିକି ବେଳେ ଏ ଦୁଇ ପଶୁ ମାନବ ଜାତିକୁ ଶତ୍ରୁତା ଭିତରେ ସମ୍ପର୍କର ଶିକ୍ଷା ଦେଉଛନ୍ତି ।