କନକ ବ୍ୟୁରୋ: ବିଲେଇକୁ ନେଇ ବିବାଦ । କଥା ଏତେ ଦୂର ଗଲା ଯେ ଉଭୟ ପକ୍ଷ ଥାନାର ଦ୍ୱାରସ୍ଥ ହେଲେ । କିନ୍ତୁ ସେତିକିରେ କଥା ଥମିଲାନି । ବିଲେଇ ମାଲିକ ଓ ଛତ୍ରପୁର ପାଣି କଲୋନୀ ବାସିନ୍ଦା ୨ଗୋଷ୍ଠୀ ଗଞ୍ଜାମ ଏସପି ଜଗମୋହନ ମୀନାଙ୍କୁ ଭେଟି ନିଜ ପକ୍ଷ ରଖିଛନ୍ତି । ଛତ୍ରପୁର ଥାନାରେ ଏନେଇ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ଏସଆଇ ସିଲୁ ଧଳ ।
ଗଂଜାମ ଜିଲ୍ଲା ଛତ୍ରପୁର ଏନଏସି ୱାର୍ଡନମ୍ବର ୧୦ ଶଙ୍କର ମଠ ସାହି ପାଣି କଲୋନୀର ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାକୁ ନେଇ ବିଲେଇଙ୍କୁ ପୋଷିଥିବା ମଞ୍ଜୁବାଳା ପାଣିଗ୍ରାହୀ ଓ ସମ୍ପୃକ୍ତ ୱାର୍ଡର କାଉନସିଲର ବୁନୁ ମିଶ୍ର ଗୋଷ୍ଠୀ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପାଣି କଲୋନୀର ବାସିନ୍ଦା ମଞ୍ଜୁବାଳା ପାଣିଗ୍ରାହୀ ଓ ସ୍ୱାମୀ ବସନ୍ତ କୁମାର ବିଶ୍ୱାସ ରାୟ ୨୦୧୮ ମସିହାରୁ କିଛି ବିଲେଇଙ୍କୁ ପୋଷିଛନ୍ତି । ଏବେ ତାଙ୍କ ଘରେ ୫୦ରୁ ଅଧିକ ବିଲେଇ ରହୁଛନ୍ତି । ସେହି ସାହିର କାଉନସିଲର ଓ କିଛି ମହିଳା ବିଲେଇମାନଙ୍କ ଯୋଗୁଁ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଥିବା ନେଇ ଦୁଇ ଦିନ ତଳେ ଥାନା ଓ ଏନଏସି ଅଫିସରେ ଅଭିଯୋଗ କରିଥିଲେ । ଏହା ପରେ ଏନଏସି କର୍ମଚାରୀମାନେ ସାହିକୁ ଯାଇ ମଂଜୁବାଳାଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ । ବିଲେଇ ତାଙ୍କ ଘରେ ଯତ୍ନର ସହ ଅଛନ୍ତି ଯଦି ତାଙ୍କ ବିଲେଇ ଘରୁ ବାହାର କରିବେ ତାହେଲେ ସାହିର ସମସ୍ତଙ୍କ ଘରୁ କୁକୁର, କୁକୁଡ଼ା, ଗାଈ ମଧ୍ୟ ବାହାର କରିବାକୁ ମଂଜୁବାଳା କହିଥିଲେ ।
ଏସିପିଙ୍କୁ ଭେଟିବା ପରେ ବିଲେଇ ପୋଷିଥିବା ମଂଜୁବାଳା ପାଣିଗ୍ରାହୀ ଓ ତାଙ୍କ ପରିବାର ୨ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । ଏଭଳି ବିବାଦ ପଛରେ ରାଜନୈତିକ ଅଭିସନ୍ଧି ଥିବା କୁହାଯାଉଛି । ଗତ କାଉନସିଲର ନିର୍ବାଚନ ପରଠାରୁ କିଛି ବ୍ୟକ୍ତି ଏହିପରି କରୁଥିବା ଏସପିଙ୍କୁ ଜଣାଇଛନ୍ତି ମଂଜୁବାଳା । କାଉନସିଲର ବିଜେଡିର, ମଂଜୁବାଳା ବିଜେପି ସମର୍ଥିତ ଶ୍ରମିକ ସଂଗଠନ ତଥା ଅଙ୍ଗନବାଡ଼ି ସଂଘ ଗଂଜାମ ଜିଲ୍ଲା ସମ୍ପାଦିକା ଅଛନ୍ତି । ଏଣୁ ଘଟଣାରେ ରାଜନୈତିକ ଗନ୍ଧ ବାରି ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/12-15.jpg)