କନକ ବ୍ୟୁରୋ : ମାପିହେଉନି ରାମରହିମଙ୍କ ପାପର ଗଭୀରତା । ବାବା ଜେଲ ଯିବା ପରେ ଖୋଲୁଛି ତାଙ୍କର ଗୋଟିଏ ପରେ ଗୋଟିଏ ପାପ ଚିଠାର ପୃଷ୍ଠା । ସାମନାକୁ ଆସୁଛି ବଳାତ୍କାରୀ ବାବାଙ୍କ କୁକର୍ମର ଫର୍ଦ୍ଦ । ଗୋଟିଏ ପଟେ ମହିଳା ସାଧ୍ୱୀଙ୍କୁ ବଳାତ୍କାର, ଅନ୍ୟପଟେ ଅପରେସନ କରି ପୁରୁଷଙ୍କୁ ନପୁଂସକ ବନାଉଥିଲେ ରାମରହିମ । ଯିଏ ପ୍ରତିବାଦ କରୁଥିଲା, ତା ଉପରେ ହେଉଥିଲା ଅକଥନୀୟ ଅତ୍ୟାଚାର ।

Advertisment

ସମାଜ ସେବା ନାଁରେ ଆଶ୍ରମ ଭିତରେ ବାବା ଚଳାଇଥିଲେ ଯାବତୀୟ ଅପକର୍ମ । ଡାକ୍ତରଖାନା ଖୋଲି ମାନବସେବାର ବାହା ବାହା ନେଉଥିଲେ ରାମରହିମ । ହେଲେ ଏହି ଡାକ୍ତରଖାନାରେ ଯାହା ଚାଲିଥିଲା, ତାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଡାକ୍ତରଖାନାରେ ବାବା ତାଙ୍କ ଅନୁଗତ ଡାକ୍ତରମାନଙ୍କ ଦ୍ୱାରା ଅତି ଅମାନବୀୟ କାର୍ଯ୍ୟ କରୁଥିଲେ । ପାଖାପାଖି ୪୦୦ ଭକ୍ତଙ୍କୁ ଅପରେସନ୍ କରି ନପୁଂସକ କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ମାମଲା ମଧ୍ୟ ଚାଲିଛି କୋର୍ଟରେ ।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅନେକ ଭକ୍ତ ଖୋଲିଛନ୍ତି ବାବାଙ୍କ ଏହିସବୁ ଅପକର୍ମର ଚିଠା । ଜଣେ ଡେରା ଅନୁଗାମୀ କହିଛନ୍ତି, ସେ ଅସୁସ୍ଥ ଥିବାରୁ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ମାତ୍ର ସକାଳୁ ଉଠି ଜାଣିଲେ ତାଙ୍କର ଅଣ୍ଡକୋଷକୁ କାଟି ଦିଆଯାଇଛି । ଏହାର ପ୍ରତିବାଦ କରିବାରୁ ତାଙ୍କୁ ନିସ୍ତୁକ ପିଟିଥିଲେ ରାମରହିମଙ୍କ ଗୁଣ୍ଡାବାହିନୀ ।

ପୁରୁଷ ଭକ୍ତଙ୍କୁ ବୁଝାଯାଉଥିଲା, ବହ୍ମଚର୍ଯ୍ୟ ପାଳନ ପାଇଁ ଏଭଳି ନିଷ୍ପତି ନିଆଯାଇଛି । ଆଶ୍ରମ ଭିତରେ ସତମାର୍ଗରେ ରହି ଇଶ୍ୱର ପ୍ରାପ୍ତି କରିବାକୁ ହେଲେ ନପୁଂସକ ହେବା ଜରୁରୀ । ରାମରହିମଙ୍କ ଗୁଣ୍ଡାଙ୍କ ଭୟରେ ଏହା ବିରୋଧରେ ପ୍ରତିବାଦ କରିପାରୁନଥିଲେ ଭକ୍ତ । ଆସ୍ଥା ନାଁରେ ସବୁ ସହିବା ଛଡ଼ା କିଛି ଉପାୟ ନଥିଲା କାହା ପାଖରେ । ୱାନ ୱେ ଟ୍ରାଫିକ ଭଳି ଥିଲା ଆଶ୍ରମର ରୀତିନୀତି । ଥରେ ଆଶ୍ରମ ଭିତରକୁ ଗଲେ ରାମରହିମଙ୍କ ଆଦେଶ ପାଳିବା ବ୍ୟତୀତ ଅନ୍ୟ ବାଟ ନଥିଲା । କୁହାଯାଉଛି, ଅସହାୟ ମହିଳା ସାଧ୍ୱୀଙ୍କ ଯୌନ କେଳେଙ୍କାରୀରେ ରାମରହିମ ଲିପ୍ତ ଥିବାବେଳେ କାଳେ ଅନ୍ୟ ପୁରୁଷ-ମହିଳାଙ୍କ ମଧ୍ୟରେ ସଂପର୍କ ସୃଷ୍ଟି ହୋଇଯିବ ଏହି ଭୟ ଘାରିଥିଲା ବଳାତ୍କାରୀ ବାବାଙ୍କୁ ।