ହିରୋଇନ୍ ବନୁଛନ୍ତି ଶଯ୍ୟାସଂଗୀନି : ଓଲିଉଡର ବଡ ଖୁଲାସା

87

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଓଲିଉଡରେ କାଷ୍ଟିଂ କାଉଚ୍ । ଟାଲେଂଟ ନୁହେଁ କମ୍ପ୍ରୋମାଇଜ୍ । ଫିଲ୍ମରେ ବ୍ରେକ୍ ଦେବା ନାଁରେ ଲୁଟ୍ ହେଉଛି ଯୁବତୀଙ୍କ ଇଜ୍ଜତ । ରାତି କଟାଇଲେ ମିଳୁଛି ବଡ ପରଦାର ଟିକେଟ୍ । ପ୍ରଲୋଭନ ଦେଖାଇ ଫିଲ୍ମ ଦୁନିଆକୁ ଆସୁଥିବା ଯୁବତୀଙ୍କ ଦେହକୁ ନିଲାମ କରାଯାଉଛି । ଆଉ ଏ ସବୁର କାର୍ପଟଦାର୍ ସାଜୁଛନ୍ତି ନିଜକୁ କଳାର ସମ୍ରାଟ କହୁଥିବା କଳାଧନର ମାଲିକ । ଏଭଳି ସଂଗୀନ୍ ଅଭିଯୋଗ ଆଣିଛନ୍ତି ଫିଲ୍ମ ରଙ୍ଗିଲା ବାବାର ହିରୋହିନ୍ ସୋନିକା ରୟ ।

ଚିଟଫଣ୍ଡ ଓ ରିୟଲ ଇଷ୍ଟେଟ୍ ଦଲାଲରୁ ପ୍ରଯୋଜକ ବନିଥିବା ଏ ନାରୀଲୋଭି ମଣିଷଙ୍କ ଜାଲରେ ଯିଏ ପଡୁଛି ସିଏ ହେଉଛି ହିରୋଇନ୍ । ଆଉ ଓଡିଆ ଝିଅ ରାଜି ନହେଲେ , ପଡୋଶୀ ରାଜ୍ୟରୁ ଇମ୍ପୋଟ୍ କରାଯାଉଛି । କାଷ୍ଟିଂ କାଉଚ୍ । ବଲିଉଡରୁ ଓଲିଉଡ୍ ମୁହାଁ ହୋଇଥିବା ଏହା ଏକ ଚର୍ଚ୍ଚା ନା ଏଥିରେ ରହିଛି ବାସ୍ତବତା ?

ଓସ୍କାର ମାଲିକ ପ୍ରଭାସ ରାଉତ ଗିରଫ ହେବା ପରେ ଓଲିଉଡରେ କଳାକାରବାର କଥା ପଦାକୁ ଆସୁଛି । କୁହାଯାଉଛି ଏ ଦଲାଲମାନେ ଅଭିନେତାଙ୍କୁ ସାଥୀରେ ଧରି ଲୋକଙ୍କ ବିଶ୍ୱାସ ଜିତୁଥିଲେ । ଆଉ ଅଭିନେତ୍ରୀଙ୍କ ସହ ଅୟେଶ କରୁଥିଲେ । କୁହାଯାଉଛି ସୁରତରେ ଷ୍ଟାରଙ୍କୁ ନେଇ ଷ୍ଟେଜ୍ ସୋ କରି ଗରିବ ଦାଦନମାନଙ୍କ ଠାରୁ ପ୍ରଭାସ ଲୁଟ୍ କରିଛନ୍ତି କୋଟି କୋଟି ଟଙ୍କା । ଆଉ ଏ ଟଙ୍କାରେ ନିର୍ମାଣ ହେଉଥିଲା ଓଡିଆ ଫିଲ୍ମ ଆଉ ଅୟେଶ କରୁଥିଲେ ପ୍ରଯୋଜକ ।