କନକ ବ୍ୟୁରୋ : କୋହଭରା କଣ୍ଠରେ ନିଜ କାହାଣୀ କହୁଛନ୍ତି ନବାଗତା ଅଭିନେତ୍ରୀ ରୂପଶ୍ରୀ ପଣ୍ଡା । କାହାଣୀ କହୁ କହୁ ଆଖି ଛଳଛଳ ହୋଇଯାଉଛି । କାହିଁକି ନା ତାଙ୍କ ସହ ଏମିତି କିଛି ଘଟଣା ଘଟିଛି, ଯାହାକୁ କ୍ୟାମେରା ଆଗରେ କହିବାକୁ ତାଙ୍କ ପାଖରେ ଶବ୍ଦ ନାହିଁ । ଅତୀତରେ ଘଟିଥିବା ଘଟଣାବଳୀକୁ ନେଇ ଆଖିରୁ ଲୁହ ଗଡ଼ାଇ ଦେଉଛନ୍ତି । ଛୋଟିଆ ଗାଁରୁ ଭୁବନେଶ୍ୱର ଆସି ହିରୋଇନ୍ ହେବାରେ ସକ୍ଷମ ତ ହୋଇଛନ୍ତି । କିନ୍ତୁ ଯେଉଁ ସବୁ ରାସ୍ତା ଦେଇ ଆଗକୁ ଆସିଛନ୍ତି, ସେସବୁ ଏବେବି ମନେ ପଡ଼ିଗଲେ ଆଖି ଲୁହରେ ଭର୍ତି ହୋଇଯାଉଛି ।

Advertisment

ରୂପଶ୍ରୀ କହିଛନ୍ତି, ସଂଘର୍ଷର କାହାଣୀ । ୫ମାସ ଧରି ଏକ ପ୍ରତିଷ୍ଠିତ ପ୍ରଡକ୍ସନ ହାଉସର ରିଅଲିଟି ଶୋ’ରେ ହଜାର ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟର ମୁକୁଟ ପିନ୍ଧିଥିଲେ । ଯେଉଁଥିପାଇଁ ତାଙ୍କୁ ଫିଲ୍ମରେ ବ୍ରେକ୍ ଦେଇଥିଲେ ଜଣାଶୁଣା ପ୍ରଯୋଜକ । ଫିଲ୍ମ ପାଇଁ ସ୍କ୍ରିପ୍ଟ, ଏଗ୍ରିମେଂଟ ଏବଂ କଷ୍ଟ୍ୟୁମ ତିଆରି ସରିଥିଲା । ହେଲେ ଶୁଟିଂ ସେଟ୍ରୁ ରୂପଶ୍ରୀଙ୍କୁ ନିରାଶ ହେବାକୁ ପଡ଼ିଥିଲା । ତାଙ୍କ ବଦଳରେ ଆଉଜଣେ ଅଭିନେତ୍ରୀଙ୍କୁ ବ୍ରେକ୍ ଦିଆଯାଇଥିଲା । ନିଜ ପ୍ରତିଭା ବଳରେ ଯେତେ ଆଗକୁ ଆସିଲେ ମଧ୍ୟ କିଛି ଅଭିନେତ୍ରୀ କାଷ୍ଟିଂ କାଉଚ୍ ଯୋଗୁଁ ଫିଲ୍ମରେ ବ୍ରେକ୍ ପାଆନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଆଉ ସ୍ୱାଭିମାନୀ ଝିଅ କମ୍ପ୍ରୋମାଇଜ୍ ନକରି ପ୍ରଯୋଜକଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାରେ ରହିଛନ୍ତି ରୂପଶ୍ରୀ ।

ନବାଗତାଙ୍କ ଭିତରେ ଯେତେ ପ୍ରତିଭା ଥିଲେ ମଧ୍ୟ କାଷ୍ଟିଂ କାଉଚ୍ ଯୋଗୁଁ ସିନେମାରୁ ବଂଚିତ ହେଉଛନ୍ତି । ଆଉ ପ୍ରଯୋଜକମାନଙ୍କ ଏଭଳି ଘୃଣ୍ୟ କାମ ଯୋଗୁଁ ଓଲିଉଡ୍ ବଦନାମ ହେଉଛି ।ବାରମ୍ବାର ଏଭଳି ଅଭିଯୋଗ ଗୋଟିଏ ଜିନିଷ ସୂଚାଇ ଦେଉଛି ଯେ, ଓଲିଉଡରେ କାଷ୍ଟିଂ କାଉଚ୍ ଚାଲିଛି । ଏହାରି ଭିତରେ କିଛି ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ଯୋଗୁଁ ପୂରା ଓଲିଉଡ୍ ବଦନାମ ହେବାରେ ଲାଗିଛି ।