ଭୋଟ ଦିଅନ୍ତୁ ପୁରସ୍କାର ଜିତନ୍ତୁ । ନଗଦ ଟଙ୍କା ସାଙ୍ଗକୁ ମାଗଣାରେ ମିଳିବ ଟି-ସାର୍ଟ ଓ ପେନଡ୍ରାଇଭ । ଜାଣନ୍ତୁ କେଉଁଠି ଆରମ୍ଭ ହେଲା ଏଭଳି ବ୍ୟବସ୍ଥା

315

ମଧ୍ୟପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ମତଦାତାମାନଙ୍କୁ ଭୋଟ୍ ଦେବା ପାଇଁ ପ୍ରେରିତ କରିବାକୁ ଏକ ନୂଆ ବାଟ ଆପଣାଇଛନ୍ତି । କିଛି ଲୋକ ସୁବିଧା ଥାଇ ମଧ୍ୟ ଭୋଟ୍ ଦେବାକୁ ଯାଉ ନଥିବା ଦେଖି ମୁଖ୍ୟ ନିର୍ବାଚନ ଅଧିକାରୀ ଉପହାରର ବ୍ୟବସ୍ଥା କରିଛନ୍ତି । ମତଦାତାମାନେ ଭୋଟ୍ ଦେଲେ ସେମାନଙ୍କୁ ନଗଦ ଟଙ୍କା ଏବଂ ଅନେକ ଜିନିଷ ଉପହାରରେ ମିଳିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ଘୋଷଣା କରାଯାଇଛି । ଏହି ଉପହାରକୁ ପାଇବା ପାଇଁ ମତଦାତାମାନଙ୍କୁ ଭୋଟ୍ ଦେବା ପରେ ଭୋଟ୍ କାଳି ଲାଗିଥିବା ଆଙ୍ଗୁଠିର ଫଟୋ ଉଠାଇ ନିର୍ବାଚନ ଅଧିକାରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବାକୁ ହେବ । ସେ ମଧ୍ୟରୁ କିଛି ମତଦାତାମାନଙ୍କୁ ବାଛି ନିର୍ବାଚନ ଅଧିକାରୀ ୫,୦୦୦ଟଙ୍କା ଏବଂ କିଛି ଜିନିଷ ଉପହାରରେ ଦେବେ ବୋଲି ଜଣା ପଡ଼ିଛି ।

ସୂଚନା ମୁତାବକ, ରାଜ୍ୟରେ ମତଦାନର ପ୍ରତିଶତ ବଢ଼ାଇବା ପାଇଁ ଏଭଳି ଘୋଷଣା କରାଯାଇଛି । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ହ୍ଵାଟସଆପ୍ ଗ୍ରୁପ୍ ମଧ୍ୟ ତିଆରି କରିଛନ୍ତି । ମତଦାତାମାନଙ୍କୁ ନିଜର ଫଟୋ ହ୍ଵାଟସଆପ୍ ଗ୍ରୁପ୍ ବା ନିର୍ବାଚନ ଅଧିକାରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବାକୁ ହେବ । ଏହା ପରେ ଉପହାର କେଉଁ ଜିନିଷକୁ ଆଧାର କରି ଦିଆଯିବ, ସେ ନେଇ ନିଷ୍ପତ୍ତି ନେବେ ନିର୍ବାଚନ ଅଧିକାରୀ ।