କନକ ବ୍ୟୁରୋ: ନିର୍ବାଚନ ପ୍ରକ୍ରିୟା ଭିତରେ ଯେଉଁ ଦିଗ ଆଜିଯାଏଁ ରାଜ୍ୟ ରାଜନୀତିକୁ ଛୁଇଁ ପାରିନଥିଲା, ତାର ମୁଳଦୁଆ ଧୀରେ ଧୀରେ ପଡୁଥିବା ଅନୁମାନ କରାଯାଉଛି, ଯେତେବେଳେ ଶାସକ ଦଳ ଜାତି ଆଧାରିତ ରାଜନୀତି ଉପରେ ଜୋର୍ ଦେଇଛି ।
ପଛୁଆ ବର୍ଗଙ୍କୁ ନ୍ୟାୟ ଦେବା ପାଇଁ ଲଢେଇ କରିବାକୁ ଆହ୍ୱାନ ଦେଇ ବିଜେଡି କହିଛି
- ଜାତିଭିତିକ ଜନଗଣନା ହେବା ସହ ୫୦% ସଂରକ୍ଷଣର ସର୍ବୋଚ୍ଚ ସୀମାକୁ ହଟାଯାଉ
- ଓଡିଶାର ଏହି ଲଢେଇରେ ସାମିଲ ହେବାକୁ ରାଜ୍ୟ ବିଜେପି ନେତାଙ୍କୁ ଆହ୍ୱାନ
- ଦାବି ହାସଲ ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ ହେବ
ପଛୁଆବର୍ଗଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବାକୁ ହଠାତ୍ ବିଜେଡି କ୍ରିୟାଶୀଳ ହୋଇଛି । ନିର୍ଦ୍ଧିଷ୍ଟ ଯୋଜନା ପ୍ରସ୍ତୁତ ପୂର୍ବରୁ ସେମାନଙ୍କ ସଂଖ୍ୟା ଜାଣିବା ନିହାତି ଦରକାର, ଏଥିପାଇଁ ଜାତିଭିତିକ ଜନଗଣନା ପାଇଁ ଯୁକ୍ତି ରଖୁଥିବା ଶାସକ ଦଳ କହିଛି ।
ବଡ କଥା ହେଉଛି, ସଂରକ୍ଷଣର ସର୍ବୋଚ୍ଚ ସୀମା ୫୦% ଯାହା ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଛି ତାକୁ ହଟାଇବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିବାକୁ ବିଜେଡି ଯୁକ୍ତି ରଖିଛି । ରାଜ୍ୟରେ ଓବିସି ଏବଂ ଏସଇବିସିଙ୍କ ସଂଖ୍ୟା ମୁତାବକ ସେମାନଙ୍କୁ ସଂରକ୍ଷଣ ଦିଆଯାଇ ପାରୁନି, କାରଣ ଏମାନଙ୍କ ସଂଖ୍ୟା ମୁତାବକ କୋଟା ଦେବାକୁ ହେଲେ ବାଧକ ସାଜୁଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଯେହେତୁ ଏହା କେନ୍ଦ୍ର କ୍ଷମତାର ପରିସରଭୁକ୍ତ, ଏଥିରେ ପରିବର୍ତନ କରିବାକୁ କେନ୍ଦ୍ର ବ୍ୟବସ୍ଥା ଗ୍ରହଣ କରୁ ।
ଓଡିଶାରେ ଜାତି ଆଧାରିତ ରାଜନୀତି ଦେଖିବାକୁ ମିଳେନାହିଁ । ହେଲେ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଜାତିଭିତିକ ଜନଗଣନା ପାଇଁ ପ୍ରଥମେ ନବୀନ ହିଁ ଦାବି କରିଥିଲେ । ଆଉ ଏବେ ୫୦% ସଂରକ୍ଷଣର ସର୍ବୋଚ୍ଚ ସୀମା ହଟାଇବାକୁ ଦାବି କରି ଦଳ ଜାତି ରାଜନୀତିକୁ ଆଗକୁ ବଢାଉଥିବା ଚର୍ଚ୍ଚା ହେଉଛି ।
୯୦ ଦଶକରେ ବିଜୁ ପଟ୍ଟନାୟକ କହିଥିଲେ, ଗରୀବର ଜାତି ନାହିଁ । ଅର୍ଥାତ୍ ଯିଏ ଗରୀବ ସେ ସରକାରୀ ଯୋଜନାରେ ସାମିଲ ହେବ, ସେତେବେଳେ ସେ କେଉଁ ଜାତିର ଦେଖାଯିବ ନାହିଁ । ଏପରିକି ମଣ୍ଡଳ କମିଶନ ବିରୋଧରେ ମଧ୍ୟ ସେ କୋର୍ଟ ଯାଇଥିଲେ । ହେଲେ ଆଜିର ଦିନରେ ବିଜୁ ଜନତା ଦଳ ଜାତି ଭିତିକ ଗଣନା ପାଇଁ ଦାବି କରି, ସେହି ଆଧାରରେ ପ୍ରସଙ୍ଗ ସୃଷ୍ଟି କାରିବାକୁ ଚେଷ୍ଟା କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।