ଜାତିଭିତିକ ଜନଗଣନା ପ୍ରସ୍ତାବକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ । ବିଜେଡିର ପ୍ରସ୍ତାବକୁ କଂଗ୍ରେସର ସ୍ୱାଗତ, ବିଜେପିର ଯୁକ୍ତି କାହିଁକି ଏଯାଏଁ ଲାଗୁ ହୋଇନଥିଲା ମଣ୍ଡଳ କମିସନ ।

375

କନକ ବ୍ୟୁରୋ : ଦେଶକୁ ଫେରିବ କି ଜାତି ରାଜନୀତି । ଏହି ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ, ୨୦୨୧ରେ ଜାତିଭିତିକ ଜନଗଣନା ହେଉ ବୋଲି କେନ୍ଦ୍ରକୁ ରାଜ୍ୟ କ୍ୟାବିନେଟ୍ ପ୍ରସ୍ତାବ ଦେବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି । ବିଜେଡିର ଯୁକ୍ତି ହେଉଛି, ଏପରି କରାଗଲେ ଆର୍ଥିକ ଓ ସାମାଜିକ ସ୍ତରରେ ପଛୁଆ ବର୍ଗର ଲୋକେ ସରକାରୀ ଯୋଜନାରେ ସାମିଲ ହୋଇ ପାରିବେ । କଂଗ୍ରେସ ନେତା ଏହି ପ୍ରସ୍ତାବକୁ ସ୍ୱାଗତ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏଭଳି ପ୍ରସ୍ତାବ ଦେବାରେ ଅଧିକାର ରାଜ୍ୟ ସରକାରଙ୍କର ରହିଛି । ତେବେ ମଣ୍ଡଳ କମିସନ ଅନୁଯାୟୀ କାହିଁକି ରାଜ୍ୟ ସରକାର ପଛୁଆ ବର୍ଗକୁ ସଂରକ୍ଷଣ ଦେଇନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର ।

ଦ୍ୱିତୀୟ ଶନିବାର ଛୁଟିଦିନରେ ଅଚାନକ ରାଜ୍ୟ କ୍ୟାବିନେଟ୍ ବସିଲା, ଆଉ ଜାତିଭିତିକ ଜନଗଣନା ପାଇଁ ପ୍ରସ୍ତାବ ପାରିତ ହେଲା, ତାହା ରାଜ୍ୟ ରାଜନୀତିକୁ ଉଷୁମ କରିଦେଇଛି । କାହିଁକି ହଠାତ୍ ନବୀନ ସରକାର ଜାତି କାର୍ଡ ଖେଳିଲେ, ଜାତି ଗଣନା ପାଇଁ ଦାବି ଉଠାଇଲେ, ଏହାକୁ ନେଇ ସରଗରମ ହୋଇଛି ଆଲୋଚନା । ଜାତିଭିତିକ ଜନଗଣନା ହେଲେ ଆର୍ଥିକ ଓ ସାମାଜିକ ସ୍ତରରେ ପଛୁଆ ବର୍ଗର ଲୋକ ସରକାରୀ ଯୋଜନାରେ ସାମିଲ ହୋଇପାରିବେ ବୋଲି ବିଜେଡି ଯୁକ୍ତି ବାଢିଛି । ଏଥିରେ ରାଜନୈତିକ ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି ବିଜେଡି ସାଂସଦ ଭର୍ତୃହରି ମହାତାବ । ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି ପୂର୍ବତନ ସାଂସଦ ତଥା କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝୀ ।

ମଣ୍ଡଳ କମିସନକୁ ନେଇ ସାରା ଦେଶରେ ନିଆଁ ଜଳିବା ପରେ ଜାତିଭିତିକ ଜନଗଣନା ପାଇଁ ସାହସ ଜୁଟାଇ ପାରିନାହାନ୍ତି କେନ୍ଦ୍ର ସରକାର । କଂଗ୍ରେସ ନେତୃତ୍ୱରେ ସରକାର ଗଠନ ହୋଇଛି, ବିରୋଧୀ ଦଳ ଏକାଠି ହୋଇ ସରକାର ଗଢିଛନ୍ତି, ବିଜେପି ନେତୃତ୍ୱରେ ସରକାର କ୍ଷମତାକୁ ଆସିଛି, ହେଲେ ଜାତି ଗଣନା ହୋଇପାରିନାହିଁ । ଏପରି ସ୍ଥିତିରେ ୨୦୨୧ରେ ଜାତିଭିତିକ ଗଣନା ହେଉ ବୋଲି ରାଜ୍ୟ କ୍ୟାବିନେଟର ପ୍ରସ୍ତାବ, ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋଚନା ହେଉଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରତ୍ୟେକ ରାଜ୍ୟର ପ୍ରସ୍ତାବ ଦେବାର ଅଧିକାର ରହିଛି । ତେବେ ୩୦ ବର୍ଷ ତଳୁ ମଣ୍ଡଳ କମିସନ ଲାଗୁ ହୋଇଥିବା ବେଳେ ରାଜ୍ୟରେ କାହିଁକି ଆର୍ଥିକ ଓ ସାମାଜିକ ଅନଗ୍ରସର ବର୍ଗ ଓ ଅନ୍ୟ ପଛୁଆ ଜାତିକୁ ଚାକିରି ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ମିଳୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।

୧୯୩୧ ମସିହାରେ ଜାତି ଭିତିକ ଜନଗଣନା ହୋଇଥିଲା । ୨୦୧୧ରେ ଜାତି ଗଣନା ହୋଇଥିଲେ ବି ତାହା ପ୍ରକାଶ କରାଯାଇନାହିଁ । ୨୦୨୧ ଜନଗଣନାରେ ଜାତିଭିତିକ ଗଣନା ହେଉ ବୋଲି ଓଡ଼ିଶା ସରକାରଙ୍କ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିବ ବୋଲି କୁହାଯାଉଛି । କେବଳ ଓଡ଼ିଶା ନୁହେଁ, ନିକଟରେ ମହାରାଷ୍ଟ୍ର ବିଧାନସଭାରେ ଏ ନେଇ ସଂକଳ୍ପ ପତ୍ର ମଧ୍ୟ ପାରିତ ହୋଇଛି ।