ବଦଳୁଛି ରାଜ୍ୟ ରାଜନୀତିର ଚରିତ୍ର । ବିକାଶ ଓ ସ୍ଥାନୀୟ ପ୍ରସଙ୍ଗକୁ ପଛରେ ପକାଇ ଧସେଇ ପଶୁଛି ଜାତି ଓ ଧର୍ମର ମୁଦ୍ଦା ।

 ଶ୍ରୀମନ୍ଦିର ପରିକ୍ରମା ଯୋଜନା ଏବଂ ଓବିସି ସଂରକ୍ଷଣ ନେଇ ବିଜେପି-ବିଜେଡି କଥା କଟାକଟି ।

193

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ଯୋଜନା ନେଇ ଗତ ୨୭ ତାରିଖରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୩ଟି ସଂକଳ୍ପ ପ୍ରସ୍ତାବ ଦଳମତ ନିର୍ବିଶେଷରେ ପାରିତ ହୋଇଥିଲା । ଗୃହରେ ଉଭୟ ବିଜେପି ଓ କଂଗ୍ରେସ ଏହାକୁ ସମର୍ଥନ ଦେଇଥିଲେ । ଶ୍ରୀମନ୍ଦିରର ବିକାଶ ପାଇଁ ସମସ୍ତ ଜଗନ୍ନାଥ ପ୍ରେମୀ ଅବଦାନ ଦେବାକୁ ମଧ୍ୟ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଗଜପତିଙ୍କୁ ସେ ପ୍ରଶଂସା ମଧ୍ୟ କରିଥିଲେ ।

ଏପଟେ କିନ୍ତୁ ଶ୍ରୀମନ୍ଦିରର ବିକାଶ ପାଇଁ ୧ ଲକ୍ଷ ଟଙ୍କା ଦାନ କରିବା ପରେ ପୁରୀ ଗଜପତିଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମର୍ପଣ ନିଧି ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିବା ସହ ଏହି ଅଭିଯାନକୁ ସ୍ୱେଚ୍ଛାକୃତ ଜନ ଆନ୍ଦୋଳନ ଭାବେ ପରିଣତ କରିବା ପାଇଁ ଗଜପତିଙ୍କ ସହଯୋଗ ଲୋଡିଛନ୍ତି ଧର୍ମେନ୍ଦ୍ର । ବିଶ୍ୱର ପ୍ରତିଟି ହିନ୍ଦୁ ଏବଂ ସାଢେ ଚାରିକୋଟି ଓଡିଆ, ଜଗନ୍ନାଥଙ୍କ ସେବା କରିବାର ସୁଯୋଗ ପାଇବେ ବୋଲି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ।

ତେବେ ଧର୍ମ ଓ ଜାତି ନାଁରେ ଓଡିଶାରେ କେବେ ବି ରାଜନୀତି ହୋଇନାହିଁ । କିମ୍ବା ଏହା କେତେବେଳେ ବଡ଼ ରାଜନୈତିକ ପ୍ରସଙ୍ଗ ପାଲଟିନାହିଁ । ଏବେ କିଛି ଘଟଣାକ୍ରମ, ଏଥିରେ ନୂଆ ମୋଡ଼ ଆଣିବା ଭଳି ସ୍ଥିତି ସୃଷ୍ଟି କରିଛି । ଓବିସି ଗଣନା ପାଇଁ ରାଜ୍ୟ ସରକାର ଓବିସି କମିସନ ଗଠନ କଲେ । ଆଉ ଖୁବଶ୍ରୀଘ୍ର ଗଣନା କରି ଜୁନ ୧୧ ତାରିଖରେ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରାଯିବ । ଯାହାର ଲକ୍ଷ୍ୟ ହେଉଛି, ପଛୁଆ ବର୍ଗର ଆର୍ଥିକ ବିକାଶ କରିବା । ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରେ ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ । ମଣ୍ଡଳ କମିସନରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିବା ବେଳେ, କାହିଁକି ଓଡ଼ିଶାରେ ଲାଗୁ ହୋଇନି ବୋଲି ସେ ପ୍ରଶ୍ନ ଉଠାଇଲେ । ସେହିପରି ଆର୍ôଥକ ଅନଗ୍ରସର ସବର୍ଣ୍ଣଙ୍କ ପାଇଁ ଥିବା ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କଥା ଉଠାଇଲେ । ଯାହାର ଜବାବ ମଧ୍ୟ ରଖିଥିଲା ବିଜେଡି ।

କିଛି ଦିନ ଧରି ଜାତି-ଧର୍ମକୁ ନେଇ ଦଳ ଦଳ ମଧ୍ୟରେ କଥା କଟାକଟି, ବେଶ ରୋଚକ ମୋଡ ନେବାରେ ଲାଗିଛି । ଅବଶ୍ୟ ଏହା ରାଜ୍ୟ ରାଜନୀତିକୁ କେତେ ପ୍ରଭାବିତ କରିବ, ତାହାର ଉତ୍ତର କେବଳ ସମୟ ହିଁ ସ୍ପଷ୍ଟ କରିବ ।