‘ଜାତି’ ପ୍ରସ୍ତାବରେ ରାଜନୀତି ରଙ୍ଗ ! ବିଜେପିର ପ୍ରଶ୍ନ ୨୦ ବର୍ଷ ଶାସନ ପରେ କାହିଁକି ମନେପଡିଲା ପଛୁଆ ବର୍ଗଙ୍କ କଥା ? ବିଜେଡି କହିଲା ଭୋଟ ବ୍ୟାଙ୍କ ନୁହେଁ ସେବା କରୁଛି ଆମ ସରକାର

258

କନକ ବ୍ୟୁରୋ: ଜାତିଭିତ୍ତିକ ଜନଗଣନା ପ୍ରସ୍ତାବକୁ ନେଇ ଆରମ୍ଭ ହେଲା ରାଜନୀତି । ଯଦିଓ ଜାତି ରାଜନୀତି ଯୁଦ୍ଧ ଜୋର ଧରିନି ତଥାପି ରାଜ୍ୟ ସରକାରଙ୍କ କ୍ୟାବିନେଟ ପ୍ରସ୍ତାବ ପରେ ‘ଜାତି’ ଜନଗଣନାରେ ରାଜନୀତିର ରଙ୍ଗ ମାରିବା ଆରମ୍ଭ କରି ଦେଲେଣି ବିରୋଧୀ । ପଛୁଆ ବର୍ଗଙ୍କୁ ସୁବିଧା ସୁଯୋଗ ଦେବା ପାଇଁ ୨୦୨୧ରେ ଜାତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ପ୍ରସ୍ତାବ ଦେବା ପରେ ଏହାକୁ ଗ୍ରହଣ କରିପାରିନି ବିଜେପି । ଯଦିଓ ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ କଂଗ୍ରେସ ସ୍ୱାଗତ କରିଛି ମାତ୍ରା ବିଜେପି ଆଦୌ ପାଖ ପୂରାଇ ଦେଉନି ।

ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବକୁ ସିଧାସିଧା ବିରୋଧ ନକରିଥିଲେ ବି ଗଣମାଧ୍ୟମରେ ରଖିଥିବା ପରୋକ୍ଷ ପ୍ରତିକ୍ରିୟା ତାଙ୍କ ବିରୋଧୀ ଭାଷାର ସଂକେତ ଦେଉଥିଲା । ମଣ୍ଡଳ କମିଶନ କଥା ଉଠାଇ ଓଲଟା ପଛୁଆ ବର୍ଗଙ୍କୁ ନେଇ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଆଉ ଆଜି ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନର ପାହାଡ ଲଦି ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ରାଜ୍ୟ କ୍ୟାବିନେଟରେ ଜାତିଭିତିକ ଜନଗଣନା ପ୍ରସ୍ତାବ ପାରିତ ପରେ ଏହାକୁ ନେଇ ବିଜେପି ପ୍ରଶ୍ନ କରିଥିବା ବେଳେ ତୁରନ୍ତ ଓବିସି କମିଶନ ନିଯୁକ୍ତି କରିବାକୁ ଦାବି ହୋଇଛିି । ଏହାସହ ପଛୁଆ ବର୍ଗ ପାଇଁ ଥିବା ୨୭ ଶତକଡା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛନ୍ତି ପୃଥ୍ୱୀରାଜ । ତେବେ ୨୦ ବର୍ଷ ଶାସନ କଲା ପରେ ଆଜି ହଠାତ କଣ ପାଇଁ ପଛୁଆ ବର୍ଗଙ୍କ କଥା ରାଜ୍ୟ ସରକାରଙ୍କ ମନେ ପଡିଗଲା ବୋଲି ପ୍ରଶ୍ନ କରିଛି ବିଜେପି ।

ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗକୁ ସଂରକ୍ଷଣ ଦେବା ପାଇଁ ନ୍ୟାୟଳୟରେ ମୁହଁ ଲୁଚାଉଛନ୍ତି ରାଜ୍ୟ ସରକାର । ଯେତେବେଳେ ଯେମିତି ସୁହାଇବ ସମ୍ବିଧାନକୁ ସେମିତି ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି । ରାଜନୀତି ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ତ୍ରୁଟିପୂର୍ଣ୍ଣ ତାଲିକା ପ୍ରସ୍ତୁତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୃଥ୍ୱୀରାଜ ।

ଯଦି ରାଜ୍ୟ ସରକାର ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ନକରନ୍ତି ତେବେ ବିଧାନସଭା ଭିତରେ ଓ ବାହାରେ ବିରୋଧ କରାଯିବ । ତା ସହ ସାରା ପ୍ରଦେଶରେ ଲୋକଙ୍କ ପାଖକୁ ଯାଇ ପ୍ରତିବାଦ କରିବ ବିଜେପି । ଆର୍ଟିକଲ ୧୬ ସେକ୍ସନ ୪କୁ ନେଇ ରାଜ୍ୟ ସରକାର ଜାତିଭିତିକ ଜନଗଣନା ପାଇଁ ଦାବି କରୁଛନ୍ତି । କିନ୍ତୁ ଏହି ଧାରା କହୁଛି ରାଜ୍ୟ ସରକାର ପଛୁଆ ବର୍ଗକୁ ସମସ୍ତ ସୁବିଧା ଦେଇପାରିବେ । ତେବେ ଜାତିଭିତ୍ତିକ ଜଣଗଣନା କଣ ପାଇଁ ବୋଲି ପ୍ରଶ୍ନ କରିବା ସହ ଓବିସି କମିଶନ ପାଇଁ ଦାବି କରିଛନ୍ତି ।

ସେପଟେ ବିଜେପିର ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା । ଭୋଟ ବ୍ୟାଙ୍କ ପାଇଁ ନୁହେଁ ବିଜେଡି ସରକାର ସବୁବେଳେ ପଛୁଆ ବର୍ଗଙ୍କ ପାଇଁ କାମ କରୁଛି । ସେମାନଙ୍କ ଶିକ୍ଷାର ଉନ୍ନତି ପାଇଁ ଅନେକ ହଷ୍ଟେଲ ନିର୍ମାଣ ହୋଇଛି । ଓବିସି କମିଶନ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ସରକାର ଅନୁସୂଚିତ ଜାତି ଓ ଜନଜାତି ସହ ପଛୁଆ ବର୍ଗଙ୍କ ପାଇଁ କାମ କରୁଛନ୍ତି ବୋଲି କହି ବିଜେପି ଅଭିଯୋଗର ଜବାବ ଦେଇଛନ୍ତି ମନ୍ତ୍ରୀ ସାରକା ।