କ୍ୟାସଲେସ୍ ହେବ କରୋନା ଚିକିତ୍ସା । ବୀମା କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେଲେ “ଆଇଆରଡିଏଆଇ”

287

କନକ ବ୍ୟୁରୋ : ସାରା ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହାରି ମଧ୍ୟରେ ବୀମା ବିନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ସହଯୋଗ କରିବାକୁ ଏକ ବଡ ଘୋଷଣା କରିଛନ୍ତି । ଏବେ କରୋନା ରୋଗୀ ମାନେ ଅନ୍ୟ ରୋଗୀ ମାନଙ୍କ ଭଳି କ୍ୟାସଲେସ୍ ଚିକିତ୍ସା ପାଇପାରିବେ । ଆଇଆରଡିଏଆଇ ବୀମା କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ବୀମା କମ୍ପାନୀ ମାନେ ସେମାନଙ୍କ ଗ୍ରାହକଙ୍କୁ କମ୍ପାନୀ ମାନଙ୍କ ଦ୍ୱାରା ସ୍ଥିରିକୃତ ହୋଇଥିବା ହସ୍ପିଟାଲରେ କରୋନା ରୋଗୀଙ୍କୁ କ୍ୟାସଲେସ୍ ଚିକିତ୍ସାର ସୁବିଧା ଯୋଗାଇ ଦେବେ । ଏନେଇ ଆଇଆରଡିଏଆଇ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି । ଅନ୍ୟପଟେ ଆଇଆରଡିଏଆଇ ର ଏଭଳି ନିର୍ଦ୍ଦେଶକୁ ସ୍ୱାଗତ କରାଯାଇଛି ।

ଆଇଆରଡିଏଆଇର ନିର୍ଦ୍ଦେଶ ମୁତାବକ ଏହି ଯୋଜନା ମାଧ୍ୟମରେ ସେହିମାନଙ୍କୁ ସହାୟତା ମିଳିବ, ଯେଉଁମାନେ ସ୍ୱାସ୍ଥ୍ୟବୀମା କରାଇଛନ୍ତି ଓ ତାହା ମାଧ୍ୟମରେ ସେମାନେ କରୋନାର ଚିକିତ୍ସା କ୍ୟାସଲେସ୍ କରିବାକୁ ଚାହୁଁଛନ୍ତି । ଅନ୍ୟପଟେ ଯେଉଁ ହସ୍ପିଟାଲମାନେ ସ୍ୱାସ୍ଥ୍ୟବୀମା କରାଇଥିବା ଲୋକମାନଙ୍କର ଅନ୍ୟ ରୋଗ ପାଇଁ କ୍ୟାସଲେସ୍ ଚିକିତ୍ସା କରାଉଛନ୍ତି, ସେମାନେ କରୋନା ରୋଗର କ୍ୟାସଲେସ ଚିକିତ୍ସା କରାଇବାକୁ ବାଧ୍ୟ ।

ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ଏପ୍ରିଲ ୨୨ ତାରିଖରେ ଆଇଆରଡିଏଆଇ ର ନିର୍ଦ୍ଦେଶକ ଏମ୍ ସି ଖୁଣ୍ଟିଆ ଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ଯେଉଁ ହସ୍ପିଟାଲ ମାନେ ସ୍ୱାସ୍ଥ୍ୟବୀମା କରାଇଥିବା କରୋନା ରୋଗୀଙ୍କର କ୍ୟାସଲେସ୍ ଚିିକିତ୍ସା ନ କରାଉଛନ୍ତି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ଅର୍ଥାତ୍ ଏନେଇ ଯଦି କୌଣସି ରୋଗୀ ବୀମା କମ୍ପାନୀ ମାନଙ୍କ ବିରୋଧରେ ଅଭିଯୋଗ ଆଣେ, ତେବେ ସେହି କମ୍ପାନୀ ବିରୋଧରେ ଆଇଆରଡିଏଆଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଅନ୍ୟପଟେ ସ୍ୱାସ୍ଥ୍ୟବୀମା କରିବା ବେଳେ ଏସବୁ କଥାକୁ ଜରୁରୀ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ପ୍ରଥମତ, ଏହି ବୀମା ଦ୍ୱାରା କମ୍ପାନୀ ଆପଣଙ୍କୁ କେଉଁ କେଉଁ ରୋଗ ଉପରେ କଭର ଦେଉଛି । ଏଥିପାଇଁ ସ୍ୱାସ୍ଥ୍ୟବୀମା ଯୋଜନାର ଲିଷ୍ଟ ଚେକ୍ କରନ୍ତୁ । ଏହା ବ୍ୟତୀତ ସ୍ୱାସ୍ଥ୍ୟବୀମା କମ୍ପାନୀର କ୍ଲେମ୍ ସେଟଲମେଣ୍ଟ ଇସ୍ୟୁ ଚେକ୍ କରନ୍ତୁ । ଏଥିରୁ ସ୍ପଷ୍ଟ ହୋଇଯିବ କି, କମ୍ପାନୀ କେତେ ଲୋକଙ୍କୁ ଚିକିତ୍ସା ଅର୍ଥ ପ୍ରଦାନ କରିଛି ।