ଟଙ୍କାର ଘୋର ଅଭାବ । ବ୍ୟାଙ୍କ ସେବା ଅଚଳ, ଡିଜିଟାଲ କାରବାର ବି ଠପ୍ ।

298

କନକ ବ୍ୟୁରୋ : ସାମୁଦ୍ରିକ ଝଡ ଫୋନି ପ୍ରଭାବରେ ଲୋକେ କେବଳ ବିଦ୍ୟୁତ, ପାଣି କିମ୍ବା ଯୋଗାଯୋଗ ଜନିତ ଅସୁବିଧାର ସମ୍ମୁଖୀନ ହେଉନାହାନ୍ତି । ଆଉ ଏକ ସଙ୍ଗୀନ ସମସ୍ୟା ମଧ୍ୟ ସାମ୍ନାକୁ ଆସିଲାଣି । ବଜାରରେ ନଗଦ ଟଙ୍କାର ଘୋର ଅଭାବ ପରିଲକ୍ଷିତ ହୋଇଛି । ଫୋନି ପ୍ରଭାବରେ ଶୁକ୍ରବାରଠାରୁ ବିଦ୍ୟୁତ, ଇଣ୍ଟରନେଟ୍ ସେବା କଟିଯାଇଥିଲା । ଏଥିଯୋଗୁଁ ବ୍ୟାଙ୍କ ଗୁଡିକର ଲିଙ୍କ ମଧ୍ୟ ଫେଲ୍ ହୋଇଯାଇଛି । ଫଳରେ ଗତ ଶୁକ୍ରବାରଠାରୁ ଭୁବନେଶ୍ୱର, ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଆଦି ସହର ସମେତ ଉପକୂଳବର୍ତ୍ତୀ ଜିଲ୍ଲାର ଅଧିକାଂଶ ସ୍ଥାନରେ ବ୍ୟାଙ୍କିଂ ସେବା ଠପ୍ ହୋଇଗଲାଣି ।

ବ୍ୟାଙ୍କଗୁଡିକ ଗତ ଶନିବାର ଦିନ ଖୋଲାଯାଇଥିଲେ ବି କୌଣସି କାର୍ଯ୍ୟ ହୋଇପାରିନଥିଲା । ଏବଂ ଗତକାଲି ରବିବାର ଥିଲ । ତେଣୁ ଶୁକ୍ରବାରଠାରୁ ୩ ଦିନ ହେଲା ଲୋକେ ଟଙ୍କା ଜମା କରିପାରିନାହାନ୍ତି ଏବଂ ଉଠାଇ ପାରୁନାହାନ୍ତି । ସେହିପରି ଚେକ୍ ମଧ୍ୟ କ୍ଲିୟର ହୋଇପାରୁନାହିଁ ।

ଡିଜିଟାଲ ଆର୍ଥିକ ସେବା ଗଭୀର ମାତ୍ରାରେ ପ୍ରଭାବିତ ହୋଇଛି । ଇଣ୍ଟରନେଟ୍ ନଥିବା କାରଣରୁ ନେଟ୍ ବ୍ୟାଙ୍କିଙ୍ଗ ଏବଂ ପିଓଏସରେ ଲୋକେ କାରବାର କରିପାରୁନାହାନ୍ତି । ଦୋକାନ ଏବଂ ପେଟ୍ରୋଲ ପମ୍ପରେ ପିଓଏସ ମାଧ୍ୟମରେ ଡିଜିଟାଲ ପେମେଣ୍ଟ ହୋଇପାରୁନାହିଁ । ଡାକ୍ତରଖାନା ଏବଂ ବାହାଘର ଭଳି ଜରୁରୀ କାମ ପାଇଁ କିଣାକିଣି କରିବାକୁ ଚାହୁଁଥିବା ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥିତି ମଧ୍ୟ ନିକଟ ଭବିଷ୍ୟତରେ ସୁଧୁରିବା ଦେଖାଯାଉନାହିଁ ।

ଭୁବନେଶ୍ୱରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ୧୦୦ରୁ ଅଧିକ ଏଟିଏମ୍ ଥିବା ବେଳେ କେବଳ ୩ଟି ସ୍ଥାନରେ ଏଟିଏମ୍ କାମ କରୁଛି । ଆଉ ଏହି ଏଟିଏମରେ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡିରେ ଅପେକ୍ଷା କରି ଟଙ୍କା ଉଠାଉଛନ୍ତି ଲୋକେ । ଆଉ ଏଭଳି ସ୍ଥିତିରେ କେବେ ଯେ, ଏହି ଅସୁବିଧାର ସମାଧାନ ହେବେ ତାହା କହିବା ମଧ୍ୟ ମୁସ୍କିଲ ।