ପାଇପରୁ ବାହାରିଲା ବିଡା ବିଡା ନୋଟ୍ । ପିଡବ୍ଲୁଡିର ଜୁନିଅର ଇଞ୍ଜିନିୟରଙ୍କ ଘରୁ ସୁନାଗହଣା ସହ ୫୪ ଲକ୍ଷ ଟଙ୍କା ଜବତ ।

1,066

କନକ ବ୍ୟୁରୋ : ପାଣି ପାଇପରୁ ବାହାରୁଛି ବିଡା ବିଡା ନୋଟ୍ । ବାଲଟିରେ କାଢୁଛନ୍ତି ଦୁର୍ନୀତି ନିବାରଣ ବ୍ୟୁରୋ କର୍ମଚାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ କଲାବୁର୍ଗୀରେ । ଜଣେ ପିଡବ୍ଲୁଡି ଜୁନିଅର ଇଂଜିନିୟରଙ୍କ ଘରେ ଚଢାଉବେଳେ ପାଣି ପାଇପ ଭିତରୁ ୧୩ ଲକ୍ଷ ନଗଦ ଟଙ୍କା ବାହାର କରାଯାଇଛି । ସୁନା ବିସକୁଟ୍ ଏବଂ ଗହଣା ସହ ମୋଟ୍ ୫୪ ଲକ୍ଷ ଟଙ୍କା ଜୁନିଅର ଇଂଜିନିୟର ଘରୁ ଜବତ ହୋଇଛି ।

ତେବେ ପାଣି ପାଇପ ଭିତରୁ ନଗଦ ଟଙ୍କା ବାହାରିବା ଦେଖଣାହାରିଙ୍କୁ ଚକିତ କରିଛି । ଏସିବି ଅଧିକାରୀମାନେ ଆଜି କର୍ଣ୍ଣାଟକରେ ଏକକାଳୀନ ଭାବେ ୬୮ଟି ସ୍ଥାନରେ ରେଡ କରିଛନ୍ତି । ବିଭିନ୍ନ ବିଭାଗର ୧୮ଜଣ ବରିଷ୍ଠ ଅଧିକାରୀଙ୍କ ଠିକଣାରେ ଚଢାଉ କରି ଏସିବି ଲକ୍ଷାଧିକ ଟଙ୍କାର ସମ୍ପତି ଜବତ କରିଛନ୍ତି । ସୁନା ରୂପା ଗହଣା ସହ ନଗଦ ଟଙ୍କା ଏହି ସମୟରେ ଜବତ କରାଯାଇଛି ।