କନକ ବ୍ୟୁରୋ : ଶୁକ୍ରବାର ଦିନ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସାଂସଦ ପଦ ରଦ୍ଦ ହୋଇଛି । କ୍ୟାସ ଫର କ୍ୱେରୀ ବା ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତାଙ୍କ ବିରୋଧରେ ଦୋଷ ପ୍ରମାଣିତ ହୋଇଛି । ଏନେଇ ଲୋକସଭାର ଏଥିକ୍ସ କମିଟି ତାଙ୍କ ସଦସ୍ୟତା ରଦ୍ଦ କରିବାକୁ ସୁପାରିଶ କରିଥିଲା । ଏଥିକ୍ସ କମିଟି ରିପୋର୍ଟ ଆଧାରରେ ତାଙ୍କ ସଦସ୍ୟତା ରଦ୍ଦ କରାଯାଇଛି ।

Advertisment

ଏହି ରିପୋର୍ଟ ଲୋକସଭାରେ ଉପସ୍ଥାପନ କରାଯିବା ପରେ ଏହି ମାମଲାର ଯାଂଚ କରିବାକୁ ଟିଏମସି ତରଫରୁ ୪୮ ଘଣ୍ଟା ସମୟ ମଗାଯାଇଥିଲା । ହେଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହାକୁ ଖାରଜ କରିଦେଇଥିଲେ  । ଏହାସହ ସଂସଦରେ ମହୁଆ ମୋଇତ୍ରଙ୍କୁ କହିବାର ମଧ୍ୟ ସୁଯୋଗ ଦିଆଯାଇ ନଥିଲା ।

ଏହି ରିପୋର୍ଟ ଉପରେ ଲୋକସଭାରେ ଭୋଟିଂ ହୋଇଥିଲା । ହେଲେ ଧ୍ୱନୀ ମତରେ ମହୁଆ ମୋଇତ୍ରଙ୍କର ପରାଜୟ ହୋଇଥିଲା । ଏହା ସଂସଦୀୟ ଗଣତନ୍ତ୍ରରେ ପ୍ରଥମ ମାମଲା ନୁହେଁ । ଏହା ପୂର୍ବରୁ ମଧ୍ୟ ସମାନ ମାମଲାରେ ଅନେକ ସାଂସଦଙ୍କ ସଦସ୍ୟତା ରଦ୍ଦ ହୋଇଛି । ଏହାପୂର୍ବରୁ ୨୦୦୫ ମସିହାରେ ଏଭଳି ଏକ ମାମଲା ଆସିଥିଲା, ହେଲେ ୧୧ ଜଣ ସାଂସଦ ଏଥିରେ ସଂପୃକ୍ତ ଥିଲେ ।

୨୦୦୫ ମସିହାରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ୧୧ ଜଣ ସାଂସଦଙ୍କ ବିରୋଧରେ ଦୋଷ ପ୍ରମାଣିତ ହୋଇଥିଲା । ସେତେବେଳେ ସେମାନଙ୍କ ସାଂସଦ ପଦ ମଧ୍ୟ ରଦ୍ଦ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଜଣେ ରାଜ୍ୟସଭା ସାଂସଦ ମଧ୍ୟ ସଂପୃକ୍ତ ଥିଲେ ।

୨୦୦୫ ଡିସେମ୍ବର ୧୨ ତାରିଖରେ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ ଏକ ଷ୍ଟିଙ୍ଗ ଅପରେଶନ କରିଥିଲା । ଗୁପ୍ତ କ୍ୟାମେରା ସହାୟତାରେ କିଛି ସାଂସଦ ସଂସଦରେ ପ୍ରଶ୍ନ ପଚାରିବାକୁ ଟଙ୍କା ନେଉଥିବାର ଭିଡିଓ ସୁଟିଂ କରାଯାଇଥିଲା । ସବୁଠାରୁ ବଡ କଥା ହେଉଛି ଏହି ୧୧ ଜଣ ସାଂସଦ ଗୋଟିଏ ରାଜନୈତିକ ଦଳର ନଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣ ବିଜେପି ସାଂସଦ, ୩ ଜଣ ବିଏସପି ସାଂସଦ ଓ କଂଗ୍ରେସ ଓ ଆରଜେଡିରୁ ଜଣେ ଲେଖାଏଁ ସାଂସଦ ସଂପୃକ୍ତ ଥିଲେ ।

ବିଜେପିରୁ ସୁରେଶ ଚନ୍ଦେଲ, ଆନ୍ନା ସାହେବ ପାଟିଲ, ଚନ୍ଦ୍ର ପ୍ରତାପ ସିଂ, ଛତ୍ରପାଲ ସିଂ ଲୋଧ, ବାଇ ଜୀ ମହାଜନ ଓ ପ୍ରଦୀପ ଗାନ୍ଧୀ । ବିଏସପିରୁ ନରେନ୍ଦ୍ର କୁମାର କୁଶୱାହା, ରାଜା ରାମପାଲ ଓ ଲାଲଚନ୍ଦ୍ର । ସେହିଭଳି ଆରଜେଡିରୁ ମନୋଜ କୁମାର ଓ କଂଗ୍ରେସରୁ ରାମ ସେବକ ସିଂ ସାମିଲ ଥିଲେ ।

ଏହା ମାମଲା ସାମ୍ନାକୁ ଆସିବାର ୧୨ ଦିନ ପରେ ଅର୍ଥାତ ୨୦୦୫ ଡିସେମ୍ବର ୨୪ ତାରିଖରେ ଏହି ସାଂସଦମାନଙ୍କର ସଦସ୍ୟତା ରଦ୍ଦ କରିବାକୁ ସଂସଦରେ ଭୋଟିଂ ହୋଇଥିଲା । ଏହି ଭୋଟିଂରେ ଅନ୍ୟସବୁ ରାଜନୈତିକ ଦଳମାନେ ସାଂସଦଙ୍କ ପଦ ରଦ୍ଦ କରିବାକୁ ସହମତି ହୋଇଥିବା ବେଳେ କେବଳ ବିଜେପି ସାଂସଦମାନେ ସଂସଦ ଛାଡି ପଳାଇଥିଲେ । ଏହି କ୍ରମରେ ଲାଲକୃଷ୍ଣ ଆଡଭାନୀ କହିଥିଲେ କି ଏହା ନିଶ୍ଚିତ ଭାବେ ଅକ୍ଷମଣୀୟ ଅପରାଧ ହେଲେ ସଦସ୍ୟ ପଦ ରଦ୍ଦ କରିବା ଅତି କଠୋର ଦଣ୍ଡ ।