କନକ ବ୍ୟୁରୋ : ପାଣ୍ଡୋରା ପେପର୍ସ ଲିକର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ ଅର୍ଥାତ ସିବିଡିଟିର ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏକାଧିକ ଏଜେନ୍ସିକୁ ନେଇ ଏକ ତଦନ୍ତ ଟିମ୍ ଗଠନ କରାଯାଇଛି । ଆୟକର ବିଭାଗ, ପ୍ରବର୍ତନ ନିର୍ଦ୍ଦେଶାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଆର୍ଥିକ ଗୁଇନ୍ଦା ଶାଖା ଭଳି ଏଜେନ୍ସିକୁ ତଦନ୍ତ ଟିମ୍ରେ ସାମିଲ କରାଯାଇଛି । ଏବେ ସିବିହିଟି ଅଧ୍ୟକ୍ଷ ଭାବେ ଜେ ବି ମହାପାତ୍ର କାର୍ଯ୍ୟ କରୁଛନ୍ତି । ଗତକାଲି ତଦନ୍ତକାରୀ ସାମ୍ବାଦିକଙ୍କ ଆନ୍ତର୍ଜାତିକ କନ୍ସୋଟିୟମ ପକ୍ଷରୁ ଆର୍ଥିକ ସେବା କ୍ଷେତ୍ରର ସବୁଠୁ ବଡ ଲିକ ଭାବେ ପାଣ୍ଡୋରା ପେପର୍ସକୁ ଜାରି କରାଯାଇଥିଲା । ଏଥିରେ ବ୍ୟବସାୟୀ ଅନିଲ ଅମ୍ବାନି, ବାୟୋକନ୍ ମୁଖ୍ୟ କିରଣ ମଜୁମ୍ଦାର ସ’ଙ୍କ ସ୍ୱାମୀ, ନିରବ ମୋଦୀଙ୍କ ଭଉଣୀ, କ୍ରିକେଟ୍ କିମ୍ବଦନ୍ତ୍ରୀ ସଚ୍ଚିନ ତେନ୍ଦୁଲକର, କର୍ପୋରେଟ ଲବିଷ୍ଟ ନିରା ରାଡିଆ, ବିନୋଦ ଆଦାନି, ଅଭିନେତା ଜ୍ୟାକି ଶ୍ରଫ୍ ଓ ସତୀଶ ଶର୍ମାଙ୍କ ଭଳି ୩୮୦ରୁ ଅଧିକ ଚର୍ଚ୍ଚିତ ତଥା ହାଇପ୍ରୋଫାଇଲ୍ ଭାରତୀୟଙ୍କ ନାମ ରହିଛି ।
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆଜି କୁହାଯାଇଛି ଯେ ପାଣ୍ଡୋରା ପେପର୍ସରେ ପ୍ରଘଟ ହୋଇଥିବା ତଥ୍ୟକୁ ସରକାର ବିଚାରକୁ ନେଇଛନ୍ତି। ତଦନ୍ତ ଏଜେନ୍ସିଗୁଡ଼ିକୁ ତଦନ୍ତ ଦାୟିତ୍ବ ଦିଆଯାଇଛି। ସେମାନେ ପ୍ରଚଳିତ ନିୟମ ଅନୁସାରେ ତଦନ୍ତ କରିବେ। ପୂର୍ବରୁ ପ୍ରଘଟ ହୋଇଥିବା ଆଇସିଆଇଜେ, ଏଚ୍ଏଚ୍ବିସି, ପାନାମା ପେପର୍ସ ଓ ପାରାଡାଇଜ୍ ପେପର୍ସ ଭଳି ଲିକ୍ ମାମଲାକୁ ସରକାର ବିଚାରକୁ ନେଇ ତଦନ୍ତ ନିର୍ଦେଶ ଦେଇଥିଲେ। କଳାଧନ ବିରୋଧୀ ଆଇନ ଆଧାରରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପାନାମା ପେପର୍ସ ଓ ପାରାଡାଇଜ୍ ପେପର୍ସରେ ଥିବା ତଥ୍ୟ ଆଧାରରେ ତଦନ୍ତ କରି ୨୦,୩୫୨ କୋଟି ଟଙ୍କାର ବେଆଇନ ଆୟ ଚିହ୍ନଟ କରାଯାଇଥିଲା ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଗତକାଲି ପ୍ରକାଶ ପାଇଥିବା ପାଣ୍ଡୋରା ପେପର୍ସରେ ୨୦୦ରୁ ଅଧିକ ଦେଶର ନେତା, କୋଟିପତି, ଶିଳ୍ପପତି, ସେଲିବ୍ରିଟି ତଥା ସେମାନଙ୍କ ସମ୍ପର୍କୀୟମାନଙ୍କର ବିଦେଶରେ ଅଚଳାଚଳ ଗୁପ୍ତ ସମ୍ପତ୍ତି ରହିଥିବା ଦାବି କରାଯାଇଛି। ବିନା ବା ନିମ୍ନ ଟିକସ ହାରରେ ଜାଲ୍ କମ୍ପାନି, ଟ୍ରଷ୍ଟ, ଫାଉଣ୍ଡେସନ ଓ ଅନ୍ୟ ସଂସ୍ଥା ଗଠନ କରିବାକୁ ଚାହୁଁଥିବା ଧନୀ ଲୋକଙ୍କୁ ପେସାଦାର ସେବା ଯୋଗାଉଥିବା ୧୪ଟି ବିଦେଶୀ ସଂସ୍ଥାଙ୍କ ଲିକ୍ ହୋଇଥିବା ଗୋପନୀୟ ଦଲିଲକୁ ଭିତ୍ତି କରି ଏହି ତଦନ୍ତ କରାଯିବ ବୋଲି ସରକାରୀ ବିବୃତିରୁ ଜଣାପଡ଼ିଛି । ତଦନ୍ତ ଫଳାଫଳକୁ ଭିତ୍ତି କରି ଦୋଷୀ ବ୍ୟକ୍ତିମାନଙ୍କ ବିରୋଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଭାବୀ ତଦନ୍ତକୁ ସୁନିଶ୍ଚିତ କରିବା ଲାଗି ସରକାର ମଧ୍ୟ ବିଦେଶୀ ସରକାର ଓ ଅନୁଷ୍ଠାନଗୁଡ଼ିକ ସହ ଯୋଗଯୋଗ କରି ସମ୍ପୃକ୍ତ ଟିକସଦାତା/ସଂସ୍ଥା ସମ୍ପର୍କରେ ତଥ୍ୟ ହାସଲ କରିବାକୁ ପଦକ୍ଷେପ ନିଆଯିବ ।
ପାଣ୍ଡୋରା ପେପର୍ସରେ ବିଶ୍ବର ୩୩୦ ଜଣ ରାଜନେତାଙ୍କ ନାମ ରହିଛି। ଜୋର୍ଡାନ୍ର ରାଜା ଅବଦ୍ଦୁଲା ଦ୍ବିତୀୟ, ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଚେକ୍ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ୍ ବାବିସ୍, କେନିଆର ରାଷ୍ଟ୍ରପତି ୟୁ କେନ୍ୟାଟା, ଇକ୍ବେଡର୍ର ରାଷ୍ଟ୍ରପତି ଗୁଲଲେର୍ମୋ ଲାସୋ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଓ ତାଙ୍କର କିଛି କ୍ୟାବିନେଟ୍ ମନ୍ତ୍ରୀ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର୍ ପୁନିଟ୍ଙ୍କ ଭଳି ବିଶ୍ବର ବିଭିନ୍ନ ନେତାଙ୍କ ନାମ ଏହି ତାଲିକାରେ ରହିଛି । ଧନୀମାନଙ୍କ ମଧ୍ୟରେ ତୁର୍କୀର କନଷ୍ଟ୍ରକ୍ସନ କଂପାନିର ଏର୍ମାନ୍ ଇଲିକାକ୍ ଓ ସଫ୍ଟଓୟାର କଂପାନି ରେନଲ୍ଡସ୍ ଆଣ୍ଡ୍ ରେନଲ୍ଡସ୍ର ପୂର୍ବତନ ସିଇଓ ରବର୍ଟ ଟି ବ୍ରୋକମ୍ୟାନ୍ଙ୍କ ନାମ ରହିଛି । ପାଣ୍ଡୋରା ପେପର୍ସରେ ଭାରତର ୬ ଜଣ ଏବଂ ପାକିସ୍ତାନର ସାତ ଜଣ ରାଜନେତାଙ୍କ ନାମ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/3-7.jpg)