ଭଲ ଖବର : ଓଡ଼ିଶା ସମେତ ୬ ରାଜ୍ୟରେ ସଂକ୍ରମଣ ହାର ସ୍ଥିର ରହିଛି. ଦେଶରେ ଆରୋଗ୍ୟ ହାର ବଢୁଛି । 

256

କନକ ବ୍ୟୁରୋ : ଓଡ଼ିଶା ସମେତ ଦେଶର ୬ଟି ରାଜ୍ୟରେ ସଂକ୍ରମଣ ହାର ସ୍ଥିର ରହିଛି କିମ୍ବା ହ୍ରାସ ପାଇବା ଆରମ୍ଭ କରିଛି । ଅନ୍ୟ ୫ଟି ରାଜ୍ୟ ହେଲେ ଆନ୍ଧ୍ରପ୍ରଦେଶ, ଆସାମ,ପୁଡୁଚେରୀ, ପଶ୍ଚିମବଙ୍ଗ ଓ ନାଗାଲାଣ୍ଡ । ମେ’ ପ୍ରଥମ ସପ୍ତାହରେ ଓଡ଼ିଶାର ହାରାହାରି ପଜିଟିଭିଟି ହାର ୨୪.୪ ପ୍ରତିଶତ ଥିବାବେଳେ ମେ ଦ୍ୱିତୀୟ ସପ୍ତାହରେ ତାହା ୨୩.୩ ପ୍ରତିଶତକୁ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।

ସେ କହିଛନ୍ତି, ଦେଶରେ କେତେର ରାଜ୍ୟ ଯ଼େପରିକି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ,ମଧ୍ୟପ୍ରଦେଶ, ଛତିଶଗଡ଼ରେ ସଂକ୍ରମଣ ସଂଖ୍ୟା ଓ ପଜିଟିଭିଟି ହାର କମୁଥିବାବେଳେ ତାମିଲନାଡ଼ୁ, ମିଜୋରାମ, ସିକିମ, ତ୍ରିପୁରା, ଅରୁଣାଚଳପ୍ରଦେଶ ଆଦି ରାଜ୍ୟରେ ସଂକ୍ରମଣ ବଢିଚାଲିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯ଼େ, ଦେଶର ଆରୋଗ୍ୟ ହାରରେ ନିୟମିତ ଅଭିବୃଦ୍ଧି ଘଟୁଛି । ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଦେଶ ଆରୋଗ୍ୟ ହାର ଏବେ ୮୫.୬ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୩.୩ ପ୍ରତିଶତ ରହିଛି ।

ଦେଶରେ ପଜିଟିଭିଟି ହାର ପ୍ରାୟ ୧୩ ସପ୍ତାହ ଧରି ବଢିବା ପରେ ଗତ ସପ୍ତାହଠାରୁ କମିବା ଆରମ୍ଭ କରିଛି । ଗତ କାଲି ଏହା ୧୪ ପ୍ରତିଶତକୁ ହ୍ରାସ ପାଇଛି । ସାରା ଦେଶରେ ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ପଜିଟିଭିଟି ହାରକୁ କମାଯ଼ାଇପାରିଛି । ଭାରତରେ ସଂକ୍ରମଣ ବଢୁଥିଲେ ମଧ୍ୟ ତାହା ଜନସଂଖ୍ୟା ତୁଳନାରେ ଅନ୍ୟ ସଂକ୍ରମିତ ଦେଶଙ୍କ ତୁଳନାରେ କମ । ଭାରତର ମୋଟ ଜନସଂଖ୍ୟାର ମାତ୍ର ୧.୮ ପ୍ରତିଶତ ଆକ୍ରାନ୍ତ ହୋଇଥିବାବେଳେ ଆମେରିକାରେ ତାହା ୧୦ ପ୍ରତିଶତ, ଫ୍ରାନ୍ସରେ ୯ ପ୍ରତିଶତ, ବ୍ରାଜିଲରେ ୭.୩ ପ୍ରତିଶତ ରହିଛି ।