ୟୁଟ୍ୟୁବରେ ଲୋକପ୍ରିୟ ଖାନ୍ ସାରଙ୍କ ନାଁରେ ମାମଲା ରୁଜୁ । ଜାଣନ୍ତୁ କଣ ରହିଛି ପୂରା କାରଣ?

2,138

କନକ ବ୍ୟୁରୋ : ରେଳବାଇ ନିଯୁକ୍ତି ବୋର୍ଡ ପରୀକ୍ଷା ଫଳାଫଳରେ ଅନିୟମିତତାକୁ ନେଇ ଛାତ୍ରଛାତ୍ରୀଙ୍କ ଉନ୍ମତ୍ତକାଣ୍ଡ ।ବିହାରରେ ରେଲୱେ ରିକ୍ୟୁଟମେଂଟ ବୋର୍ଡ ଆୟୋଜିତ ନନ୍ ଟେକ୍ନିକାଲ ପରୀକ୍ଷାର ଫଳାଫଳକୁ ନେଇ ୩ଦିନ ଧରି ଆନ୍ଦୋଳନକୁ ଓହ୍ଲାଇଥିଲେ ପରୀକ୍ଷାର୍ଥୀ । ହେଲେ ବୁଧବାର ପରୀକ୍ଷାର୍ଥୀ ଉତ୍ୟକ୍ତ ହେବା ସହ ଗୟା ଷ୍ଟେସନରେ ଥିବା ଟ୍ରେନର ଏକ ବଗିରେ ନିଆଁ ଲଗାଇଦେଇଥିଲେ । ତେବେ ଏହି ଘଟଣାରେ ୟୁଟ୍ୟୁବରେ ବେଶ ଲୋକପ୍ରିୟ ଥିବା ଖାନ୍ ସାରଙ୍କ ସମେତ ୪୦୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

ସୋମବାର ଓ ମଙ୍ଗଳବାର ଯେଉଁ ହିଂସାକାଣ୍ଡ ଦେଖାଦେଇଥିଲା ତାହାକୁ ଆଧାର କରି ଖାନ୍ ସାରଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ହିଂସାକାଣ୍ଡ ସମୟରେ ପୋଲିସ ଧରିଥିବା ଛାତ୍ରଛାତ୍ରୀଙ୍କ ବୟାନ ଆଧାରରେ ଖାନ୍ ସାରଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି । ଆନ୍ଦୋଳନରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବା ପରେ ଏହି ଆନ୍ଦୋଳନ ଉଗ୍ର ରୂପ ନେଇଥିଲା । ଯେଉଁ ଭିଡ଼ିଓରେ ଖାନ୍ ସାର ଆରଆରବି ଏନଟିପିସି ପରୀକ୍ଷା ରଦ୍ଦ ନହେବା ଯାଏଁ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇବାକୁ ଉସକାଉଥିବା ଦେଖିବାକୁ ମିଳିଥିବା କୁହାଯାଉଛି ।

ଅନ୍ୟପଟେ ଖାନ୍ ସାର୍ କହିଛନ୍ତି, ଆରଆରବି ଏବେ ଯେଉଁ ନିଷ୍ପତ୍ତି ନେଲା ତାହା ଯଦି ୧୮ ତାରିଖରେ ନେଇଥାନ୍ତା ତେବେ ଏଭଳି ଆନ୍ଦୋଳନ ହୋଇନଥାନ୍ତା । କିନ୍ତୁ ବିଳମ୍ବରେ ହେଉ ପଛେ ଆରଆରବି ଏକ ଭଲ ନିଷ୍ପତ୍ତି ନେଇଛି ଏବଂ ୧୬ ଫେବ୍ରୁଆରୀ ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କ ମତାମତ ମାଗିଛି ।

କଣ ଥିଲା ପୂରା ମାମଲା :
ଆରଆରବି ଏନଟିପିସିର କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷା ୧ ବା ସିବିଟି-୧ ପରୀକ୍ଷା ଫଳ ଗତ ୧୫ ତାରିଖରେ ପ୍ରକାଶ ପାଇଥିଲା । ସେଥିରେ କମ୍ପ୍ୟୁଟର ପରୀକ୍ଷା ୨ ବା ସିବିଟି-୨ ପରୀକ୍ଷା ପାଇଁ ଚୂଡାନ୍ତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯାଇଥିଲା । ରେଲୱେର ଏହି ନନ୍ ଟେକ୍ନିକାଲ ପୋଷ୍ଟ ପାଇଁ ହୋଇଥିବା ପରୀକ୍ଷା ଫଳରେ ତାଳମେଳ ରହୁନଥିବା ଅଭିଯୋଗ କରି ଛାତ୍ରମାନେ ବିହାରର ଶରିଫ୍ ରେଳ ଷ୍ଟେସନ, ଗୟା ଷ୍ଟେସନରେ ବିକ୍ଷୋଭ ପ୍ରର୍ଦଶନ କରିଥିଲେ । ଶତାଧିକ ଛାତ୍ର କୋଲକତା-ନୁଆଦିଲ୍ଲୀ ମୁଖ୍ୟ ରେଳ ଲାଇନକୁ ରାଜେନ୍ଦ୍ର ନଗର ଟର୍ମିନାଲରେ ଅବରୋଧ କରି ଧାରଣାରେ ବସିଥିଲେ । ଯହା ଫଳରେ ଟ୍ରେନ ଚଳାଚଳ ବଧାପ୍ରାପ୍ତ ହୋଇଥିଲା । ପରେ ମାମଲାର ଯାଂଚ ପାଇଁ କମିଟି ଗଠନ କରିଛି ରେଳ ବିଭାଗ । ପରିକ୍ଷାର୍ଥୀଙ୍କ ସମସ୍ୟା ସମାଧାନ ପାଇଁ ରେଲୱେ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ପରୀକ୍ଷାର୍ଥୀଙ୍କୁ ଆଇନ୍ ହାତକୁ ନନେବାକୁ କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଲୋଚନା କରି ସମସ୍ୟାର ସମାଧାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରେଳମନ୍ତ୍ରୀ ।