ନିରବ ମୋଦିର ଭାଇ ନାମରେ ଆମେରିକାରେ ରୁଜୁ ହେଲା ମାମଲା । ହୀରା କମ୍ପାନୀରୁ ୧୯ କୋଟି ଟଙ୍କା ଚୋରୀ ଅଭିଯୋଗ

81

କନକ ବ୍ୟୁରୋ : ପଳାତକ ହୀରା ବେପାରୀ ନିରବ ମୋଦିର ଭାଇ ନେହଲ ମୋଦିଙ୍କ ଆସିଛି ସାଂଘାତିକ ଅଭିଯୋଗ । ନେହଲ ମୋଦି ଦୁନିଆର ବଡ ହୀରା କମ୍ପାନୀ ମାନଙ୍କ ମଧ୍ୟରୁ ଗୋଟିଏ କମ୍ପାନୀରୁ ବହୁମୁଖୀ ଯୋଜନା ନାମରେ ୧୯ କୋଟି ଟଙ୍କା ଚୋରୀ କରିଥିବା ଅଭିଯୋଗ ହୋଇଛି ।

ଅସଲରେ ନେହଲ ମୋଦି ଉପରେ ଆମେରିକାର ମେନହାଟନ ଠାରେ ଥିବା ଏକ ହୀରା ହୋଲସେଲିଂ କମ୍ପାନୀ ୨.୬ ମିଲିୟନ ଡଲାର (୧୯ କୋଟି ଟଙ୍କା) ର ହୀରା ଚୋରୀ କରିଥିବା ଅଭିଯୋଗ କରିଛି । ଏନେଇ କମ୍ପାନୀ ପକ୍ଷରୁ ଆମେରିକାର ସୁପ୍ରିମ କୋର୍ଟରେ ଅଭିଯୋଗ କରାଯାଇଛି । ତେଣୁ ଏବେ ନେହଲ ମୋଦିଙ୍କୁ ସୁପ୍ରିମକୋର୍ଟର ଚକ୍କର କାଟିବାକୁ ପଡିବ । ନ୍ୟୁର୍ୟକ ଆଇନ ମୁତାବକ ପ୍ରଥମ ଡିଗ୍ରୀ ର ବଡ ଚୋରୀ ଅପରାଧ ଅର୍ଥାତ (୧ ମିଲିୟନ ଡଲାରରୁ ଅଧିକ ଚୋରୀ) ଅନୁସାରେ ଏହା ଉପରେ ବିଚାର କରାଯିବ ।

ନେହଲ ମୋଦି ୨୦୧୫ ଆରମ୍ଭରୁ ଏଭଳି ଭାବେ କମ୍ପାନୀ ସହିତ ଧୋକ୍କା ଦେବା ଆରମ୍ଭ କରିଥିଲା । ନେହଲ ଏକ କମ୍ପାନୀ ସହିତ ମିଶି ପ୍ରଦର୍ଶନ କରିବା ନାମରେ ନ୍ୟୁର୍ୟକର ଏକ ହୀରା କମ୍ପାନୀ ଠାରୁ ୨.୬ ମିଲିୟନ ଡଲାରର ହୀରା ଗହଣା ଆଣିଥଲେ । ଅଭିଯୋଗ ମୁତାବକ ୨୦୧୫ ମସିହାରେ ଉକ୍ତ କମ୍ପାନୀକୁ ନେହଲ ୮,୦୦,୦୦୦ ଡଲାର ମୂଲ୍ୟର ହୀରା ଦେବାକୁ କହିଥିଲେ । ସେ କହିଥିଲେ କି ଏହି ହୀରା ଗହଣାକୁ ସେ ବିକ୍ରି ପାଇଁ କାଷ୍ଟକୋ ନାମକ କମ୍ପାନୀ ସହିତ ଯୋଗା ଯୋଗ କରିଛନ୍ତି । କାଷ୍ଟକୋ ଏକ ନେଟୱାର୍କ କମ୍ପାନୀ , ଯିଏ କି ନିଜ କମ୍ପାନୀର ସଦସ୍ୟ ମାନଙ୍କୁ କମ୍ ମୂଲ୍ୟରେ ହୀରା ଯୋଗାଇଥାଏ ।

କହିରଖୁ କି ନିରବ ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଯେଉଁ ୧୩.୫୦୦ କୋଟି ଟଙ୍କା ଋଣ ନେଇଛନ୍ତି ସେହି ମାମଲାରେ ବି ନେହଲ ମୋଦିଙ୍କ ନାମ ରହିଛି । ଭାରତ ସରକାର ଲଗାତର ଭାବେ ନିରବ ଓ ନେହଲଙ୍କୁ ଭାରତକୁ ଆଣିବାକୁ ଚେଷ୍ଟା ଚଳାଇଛି । ଭାରତ ସରକାରଙ୍କ ଅନୁରୋଧ କ୍ରମେ ଇଣ୍ଟରପୋଲ ବି ନେହଲ ମୋଦିଙ୍କ ନାମରେ ରେଡ ନୋଟିସ୍ ଜାରି କରିଛି ।