କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ନାଟ ମଣ୍ଡପ ଭିତର ଫାଟ ବିମର ତୁରନ୍ତ ମରାମତି କରାଯିବା ଆବଶ୍ୟକ । ନଚେତ ଏହା ହୁଏତ ଭୁଶୁଡ଼ି ପଡ଼ିବ । ତେଣୁ ତୁରନ୍ତ ନାଟପଣ୍ଡପର ମରାମତି ଦିଗରେ ପଦକ୍ଷେପ ନେବାକୁ ଏଏସ୍ଆଇକୁ ନିର୍ଦ୍ଦେଶ ଦିଆଯାଉ ବୋଲି ହାଇକୋର୍ଟରେ ଏକ ଅନ୍ତରୀଣ ଆବେଦନ ଦାୟର ହୋଇଛି । ଆବେଦନକାରୀ ଅଭିଷେକ ଦାସଙ୍କ ତରଫରୁ ଦାୟର ଅନ୍ତରୀଣ ଆବେଦନରେ ଦର୍ଶାଯାଇଛି ଯେ ପୂର୍ବରୁ ଏଏସ୍ଆଇ ହାଇକୋର୍ଟରେ ଦାଖଲ କରିଥିବା ତଥ୍ୟରେ ନାଟମଣ୍ଡପ ମରାମତି କାର୍ଯ୍ୟ ସାଂପାଦନ କରାଯାଇଛି ବୋଲି କୁହାଯାଇଥିଲା ।

Advertisment

ନାଟ ମଣ୍ଡପ ପ୍ରତି କୌଣସି ବଡ଼ ବିପଦ ପ୍ରସଂଗରେ ଏଏସଆଇ କେବେ କହି ନଥିଲା । କିନ୍ତୁ ପରେ ୨୦୨୩ ଅଗଷ୍ଟ ୧୪ରେ ଆମିକସ୍ କ୍ୟୁରି ଦାଖଲ କରିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ ନାଟ ମଣ୍ଡପ ଭିତର ଫଟା ବିମ୍ ସଂକଟାପନ୍ନ ଅବସ୍ଥାରେ ରହିଛି । ଯେକୌଣସି ସମୟରେ ଆକସ୍ମିକ ଦୁର୍ଘଟଣା ହୋଇପାରେ । ଏଭଳି ସ୍ଥିତିରେ ତୁରନ୍ତ ନାଟମଣ୍ଡପର ଫଟା ବିମର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଅନ୍ତରୀଣ ଆବେଦନରେ ଉଲ୍ଲେଖ କରାଯାଇଛି ।

ତେବେ ଏ ସଂପର୍କିତ ମୂଳ ଜନସ୍ୱାର୍ଥ ଆବେଦନର ଆସନ୍ତାକାଲି ହାଇକୋର୍ଟରେ ଶୁଣାଣି ହେବ । ନାଟମଣ୍ଡପର ଫାଟି ଯାଇଥିବା ବିମ୍ ମରାମତି ପ୍ରସଂଗରେ ଆମିକସ୍ କ୍ୟୁରି ମଧ୍ୟ ପୂର୍ବରୁ ଏଏସ୍ଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଥିଲେ । ୨୦୧୮ ଅଗଷ୍ଟରୁ ଏହି ପ୍ରସଂଗ ବିଚାରାଧୀନ ରହିଛି । ନାଟମଣ୍ଡପ ମରାମତି କାର୍ଯ୍ୟକୁ ଗୁରୁତ୍ୱର ସହିତ ନିଆଯିବ ବୋଲି ଏଏସ୍ଆଇ ଡିଜି ପ୍ରତିଶ୍ରୁତି ଦେଇଥିଲେ ।