କଅଁଳା ପିଲାଙ୍କ ମୁହଁରେ କଳା ବୋଳିଦେଲେ କର୍ତ୍ତୃପକ୍ଷ : ପରୀକ୍ଷାରେ କମ୍ ନମ୍ବର ରଖିବାରୁ ଛାତ୍ରଙ୍କ ମୁହଁରେ କାଳି ବୋଳି ସ୍କୁଲରେ ବୁଲାଇଲେ କର୍ତ୍ତୃପକ୍ଷ ।

328

ପରୀକ୍ଷାରେ କମ୍ ନମ୍ବର ରହିବାରୁ ସ୍କୁଲ କର୍ତ୍ତୃପକ୍ଷ କୁନି କୁନି ଛାତ୍ରଙ୍କ ମୁହଁରେ କାଳି ବୋଳି ସ୍କୁଲରେ ବୁଲାଇଛନ୍ତି । ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ହରିୟାଣାର ହିସାର ଅଞ୍ଚଳରୁ । ହିସାରର ମହାବୀର କଲୋନୀ ଅଏଲ ଡିପୋଠାରେ ଥିବା ଏକ ଘରୋଇ ସ୍କୁଲରେ ଟେଷ୍ଟ ପରୀକ୍ଷାରେ କମ୍ ନମ୍ବର ଆସିଥିବାରୁ ଶ୍ରେଣୀରେ ପଢୁଥିବା ଛାତ୍ରଙ୍କ ମୁହଁରେ କାଳି ବୋଳି ସେମାନଙ୍କୁ ସ୍କୁଲ ପରିସରରେ ବୁଲାଇଛନ୍ତି କର୍ତ୍ତୃପକ୍ଷ ।

ସୂଚନାନୁସାରେ, ସ୍କୁଲର ଅଧ୍ୟକ୍ଷ ୪ର୍ଥ ଶ୍ରେଣୀ ପିଲାଙ୍କର ଇଂରାଜୀ ପରୀକ୍ଷା କରାଇଥିଲେ । ଏଥିରେ ୬ ଜଣ ଛାତ୍ର ମୋଟ ୧୦ ନମ୍ବରରୁ ୮ ରୁ କମ୍ ନମ୍ବର ରଖିଥିଲେ । ଜଣେ ଛାତ୍ରଙ୍କ ୭ ନମ୍ବର ଥିବା ବେଳେ ଅନ୍ୟ ୫ ଜଣଙ୍କ ମଧ୍ୟ ୮ ତଳକୁ ନମ୍ବର ରହିଥିଲା । ଏହା ପରେ ଅଧ୍ୟକ୍ଷ ପିଲାମାନଙ୍କୁ ଛିଡା କରାଇ ପିଅନକୁ ଡକାଇ କୁନି କୁନି ଛାତ୍ରଙ୍କ ମୁହଁରେ କାଳି ବୋଳିଥିଲେ । ଏହା ପରେ ସମ୍ପୃକ୍ତ ଛାତ୍ରମାନଙ୍କୁ ସ୍କୁଲର ସମସ୍ତ ଶ୍ରେଣୀ ଗୃହ ବୁଲାଇଥିଲେ । ଏଥିରେ ଛାତ୍ରମାନେ ବହୁ ଅପମାନିତ ହୋଇଥିଲେ । ଜଣେ ଛାତ୍ର ଏ ନେଇ ଘରେ ଅଭିଯୋଗ କରିଥିଲେ । ଶନିବାର ଉକ୍ତ ଛାତ୍ରଙ୍କ ଅଭିଭାବକ ସ୍କୁଲରେ ପହଞ୍ଚି କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ । ମାତ୍ର କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଦୁର୍ବ୍ୟବହାର କରିଥିବା କଥା କୁହାଯାଉଛି । ସ୍କୁଲ୍ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଅଭିଭାବକ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ପରେ ଅଭିଭାବକ ଏ ନେଇ ଡିଏସପିଙ୍କୁ ଜଣାଇବା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହେବା ସହିତ ପୀଡିତ ଛାତ୍ରଙ୍କ ବୟାନ ରେକର୍ଡ କରାଯାଇଛି ।