କନକ ବ୍ୟୁରୋ : ଏଣିକି କେସ୍ ଡାଏରୀ ଦାଖଲ କରିବାକୁ ତଦନ୍ତକାରୀ ଅଫିସରଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ । ଇଂରାଜୀ ଅପେକ୍ଷା ଓଡ଼ିଆରେ ଲେଖିବାକୁ ଅଧିକ ସହଜ ମନେ କରୁଥିବା ଅଫିସରମାନେ ଓଡିଆରେ ମଧ୍ୟ କେସ୍ ଡାଏରୀ ଲେଖିପାରିବେ । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଏସପି ଏବଂ କମିଶନରେଟ ପୋଲିସର ଡିସିପିଙ୍କୁ ନୋଟିସ୍ ଜାରି କରି ଅବଗତ କରାଯାଇଛି ।

Advertisment

କେସ୍ ଡାଏରୀ ସହ ଫାଇନାଲ ରିପୋର୍ଟ ମଧ୍ୟ ଓଡ଼ିଆ ଭାଷାରେ ଲେଖିପାରିବେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । କେସ୍ ଡାଏରୀରେ ସାକ୍ଷୀଙ୍କ ବୟାନ, ଜବତ ହୋଇଥିବା ସାମଗ୍ରୀ, ଜିମାନାମା ଆଦି ଅନେକ ବିଷୟରେ ଲେଖିବାକୁ ପଡିଥାଏ । କିନ୍ତୁ ଇଂରାଜୀ ଭାଷାରେ କେସ୍ ଡାଏରୀ ଲେଖିବାକୁ ଅନେକ ତଦନ୍ତକାରୀ ଅଫିସର ସହଜ ମନେକରନ୍ତି ନାହିଁ । ଫଳରେ ସେମାନେ ଲେଖିବାକୁ ଚାହୁଁଥିବା ରିପୋର୍ଟ ସଠିକ୍ ଭାବେ ଇଂରାଜୀରେ ଲେଖିପାରନ୍ତି ନାହିଁ ।

ନିଜ ମାତୃଭାଷା ଓଡ଼ିଆରେ କେସ୍ ଡାଏରୀ ଲେଖିଲେ ତଦନ୍ତକାରୀ ଅଫିସରମାନଙ୍କୁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ ଆଶା କରାଯାଉଛି । କୋର୍ଟ ମଧ୍ୟ ଓଡ଼ିଆ ଭାଷାକୁ ସ୍ୱୀକୃତି ପ୍ରଦାନ କରିଥିବାରୁ ଏଥିରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି କୁହାଯାଇଛି ।