ବଢିଲା ବଲାଙ୍ଗିର ରାଜ ପରିବାରର ଅଡୁଆ । ସିଂଦେଓ ପରିବାର ବିରୋଧରେ ଉତ୍ତରାଖଣ୍ଡ ଡେରାଡୁନରେ ମାମଲା । ପାରିବାରିକ ହିଂସା ଅଭିଯୋଗ ଆଣିଛନ୍ତି ଆଦ୍ରିଜା ମଞ୍ଜରୀ

458

କନକ ବ୍ୟୁରୋ: ବଢିଛି ବଲାଙ୍ଗିର ରାଜ ପରିବାରର ଅଡୁଆ । ପାରିବାରିକ ହିଂସା ଅଭିଯୋଗରେ ଅର୍କେଶ ସିଂହଦେଓଙ୍କ ସହ ଶ୍ୱଶୁର ଅନଙ୍ଗ ଉଦୟ, ଶାଶୁ ବିଜୟଲକ୍ଷ୍ମୀଙ୍କ ସହ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅର୍କେଶଙ୍କ ପତ୍ନୀ ଆଦ୍ରିଜା ମଞ୍ଜରୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି ।

  • ବଢିଲା ବଲାଙ୍ଗିର ରାଜ ପରିବାରର ଅଡୁଆ
  • ସିଂ ଦେଓ ପରିବାର ବିରୋଧରେ ମାମଲା ଦାୟର

ବଲାଙ୍ଗିର ରାଜନୀତିରେ ଦୀର୍ଘବର୍ଷ ହେଲା ପ୍ରଭାବ ବିସ୍ତାର କରିଥିବା ସିଂ ଦେଓ ପରିବାରର ଅଡୁଆ ବଢିଛି । କାରଣ ସାନ ବୋହୂ ଆଦ୍ରିଜା ମଞ୍ଜରୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି । ପାରିବାରିକ ହିଂସା ଅଭିଯୋଗରେ ସ୍ୱାମୀ ଅର୍କେଶ ସିଂ ଦେଓଙ୍କ ସହ ଶ୍ୱଶୁର ଅନଙ୍ଗ ଉଦୟ, ଶାଶୁ ବିଜୟଲକ୍ଷ୍ମୀ, ଦେଢଶୁର କଳିକେଶ ଓ ଯାଆ ମେଘନାଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ଆଦ୍ରିଜା କରିଥିବା ଅଭିଯୋଗ ଅନୁସାରେ ଗତ ବର୍ଷ ଅଗଷ୍ଟ ମାସରୁ ତାଙ୍କୁ ନିର୍ଯାତନା ଆରମ୍ଭ ହୋଇଥିଲା । ଶାଶୂ ଶ୍ୱଶୂର ଯାଆ ଦେଢଶୂର ମଧ୍ୟ ହଇରାଣ କରୁଥିଲେ । ତାଙ୍କ ମା’ଙ୍କ ଦେହ ଖରାପ ହୋଇଥିବାରୁ ସେ ଡେରାଡୁନ ଆସିଥିଲେ । ଏହି ସମୟରେ ଅର୍କେଶ ତାଙ୍କୁ ଛାଡ଼ପତ୍ର ନୋଟିସ୍ ପଠାଇଥିଲେ । ଏପରିକି କ୍ୟାମେରା ଲଗାଇ ତାଙ୍କ ଉପରେ ନଜର ରଖୁଥିଲେ ବୋଲି ଅଭିଯୋଗ କରିଥିଲେ । ଯାହାକୁ ଖଣ୍ଡନ କରିସାରିଛନ୍ତି ସ୍ୱାମୀ ଅର୍କେଶ ସିଂଦେଓ ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଦ୍ରିଜା

  • ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଭେଟିଥିଲେ ଆଦ୍ରିଜା
  • ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଥିଲେ
  • ଏହାପରେ ମୁଖ୍ୟମନ୍ତ୍ରୀ ପୋଲିସକୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି
  • କୌଣସି ଅପରାଧୀଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ
  • ଦୋଷୀ ଯେତେ ପ୍ରଭାବଶାଳୀ ହୋଇଥିଲେ ବି ତଦନ୍ତ ପରିସରଭୁକ୍ତ ହେବେ
  • ଆଦ୍ରିଜା ମଞ୍ଜରୀଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦିଆଯିବ

୨୦୧୭ ମସିହା ନଭେମ୍ବର ମାସରେ ଆଦ୍ରିଜାଙ୍କୁ ବିବାହ କରିଥିଲେ ଅର୍କେଶ ସିଂଦେଓ । ଅଦ୍ରିଜା ହେଉଛନ୍ତି ପୂୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାତୁଣୀ । ଏବଂ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ବୋହୂ ।

୨୦୧୯ ନିର୍ବାଚନରେ ଅର୍କେଶ ବଲାଙ୍ଗିର ବିଧାନସଭା ଆସନ ପାଇଁ ଟିକେଟ୍ ପାଇବା ପରେ ଆଦ୍ରିଜା ତାଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଥିଲେ । ନିର୍ବାଚନରେ ଅର୍କେଶ ପରାସ୍ତ ହେବା ପରେ ଡେରାଡୁନରେ ଥିବା ଅନଙ୍ଗ ଉଦୟଙ୍କ ଘରେ ରହୁଥିଲେ ସ୍ୱାମୀ-ସ୍ତ୍ରୀ । ଉଭୟଙ୍କ ଦାମ୍ପତ୍ୟ ଜୀବନ ଠିକଠାକ୍ ଚାଲିଥିବା ବେଳେ ଗତବର୍ଷ ସେପ୍ଟେମ୍ବରରେ ଆଦ୍ରିଜା ନିର୍ଯାତନା ଅଭିଯୋଗ ଆଣିଥିଲେ । ସ୍ୱାମୀ ତାଙ୍କ ପ୍ରତି ଅତ୍ୟାଚାର କରିଥିବା ଅଭିଯୋଗ ଆଣିଥିଲେ ଆଦ୍ରିଜା । ଏହାପରେ ଆଦ୍ରିଜାଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି ଅର୍କେଶ । ସେ ନିର୍ବାଚନ ପାଇଁ ଟିକେଟ୍ ମାଗୁଛନ୍ତି ଓ ଶହେ କୋଟି ଟଙ୍କା ଦାବି କରୁଥିବା ଅର୍କେଶ ଅଭିଯୋଗ କରିଛନ୍ତି ।