କନକ ବ୍ୟୁରୋ : କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲରେ ଫସିଥିବା ପ୍ରଜ୍ୱଳ ରେବନ୍ନାଙ୍କ ପରେ ଏବେ ତାଙ୍କ ଭାଇ ସୁରଜ ରେବନ୍ନାଙ୍କୁ ପୋଲିସ ଗିରଫ କରିଛି । ପ୍ରଜ୍ୱଳଙ୍କ ଭଳି ସୁରଜଙ୍କ ଉପରେ ମଧ୍ୟ ସମାନ ଅଭିଯୋଗ ଆସିଛି । ଦଳର ଜଣେ କାର୍ଯ୍ୟକର୍ତ୍ତା ଅଭିଯୋଗ କରିଛନ୍ତି କି, ସୁରଜ ତାଙ୍କ ସହ ଜୋର ଜବରଦସ୍ତ ସମଲିଙ୍ଗୀ ସଂପର୍କ ରଖିଛନ୍ତି । ଅଭିଯୋଗ ଆଣିଥିବା ଯୁବକ ଜଣଙ୍କ ଦାବି କରିଛନ୍ତି କି, ଜୁନ ୧୬ ତାରିଖରେ ସୁରଜ ତାଙ୍କୁ ଜେଡିଏସର ଫାର୍ମ ହାଉସକୁ ଡାକିଥିଲେ । ସେଠାରେ ସୁରଜ ତାଙ୍କ ସହ ଜୋର ଜବରଦସ୍ତ ସମଲିଙ୍ଗୀ ସଂପର୍କ ସ୍ଥାପନ କରିଥିଲେ । ଏନେଇ ଯୁବକ ଜଣଙ୍କ ଶନିବାର ଦିନ ସୁରଜଙ୍କ ବିରୋଧରେ ହାସନ ଜିଲ୍ଲା ହୋଲେନରସୀପୁରା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ସୁରଜଙ୍କ ବିରୋଧରେ ଆଇପିସିର ଧାରା ୩୭୭,୩୪୨ ଓ ୫୦୬ କ୍ରମରେ ମାମଲା ରୁଜୁ କରିଛି ।

Advertisment

ହାସନର ପୂର୍ବତନ ସାଂସଦ ପ୍ରଜ୍ୱଳ ରେବନ୍ନା ଓ ଜେଡିଏସ ବିଧାୟକ ସୁରଜ ରେବନ୍ନା ଏଚଡି ରେବନ୍ନାଙ୍କର ଦୁଇପ୍ରୁଅ । ଏହାସହ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି ମଧ୍ୟ । କିଛି ଦିନ ତଳେ ପ୍ରଜ୍ୱଳ ରେବନ୍ନାଙ୍କ ନାମରେ ସେକ୍ସ ଭିଡିଓ କରିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ କର୍ଣ୍ଣାଟକ ରାଜନୀତି ସରଗରମ ହୋଇଥିଲା । ପ୍ରଜ୍ୱଳ ରେବନ୍ନା ଏବେ ଜେଲରେ ଅଛନ୍ତି । ଏପଟେ ସୁରଜଙ୍କ ନାମରେ ଅଭିଯୋଗ ଆଣିଥିବା ଯୁବକ ଜଣଙ୍କ କହିଛନ୍ତି କି, ଏହି ଘଟଣା ପରେ ସୁରଜ ତାଙ୍କୁ ଜୀବନରୁ ମାରି ଦେବାକୁ ବାରମ୍ବାର ଧମକ ଦେଉଛନ୍ତି ।

ସେପଟେ ସୁରଜ ରେବନ୍ନାଙ୍କ ତରଫରୁ ଅଭିଯୋଗକାରୀ ଯୁବକଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି । ଏଥିରେ ଅଭିଯୋଗ ରହିଛି କି, ଯୁବକ ଜଣଙ୍କ ପରିବାର ଚଳାଇବା ପାଇଁ ବାରମ୍ବାର ସୁରଜଙ୍କୁ ଟଙ୍କା ମାଗୁଥିଲେ । ସୁରଜ ଟଙ୍କା ନ ଦେବାରୁ ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ।