ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ । ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷାଙ୍କ ଏତଲା ଭିତିରେ ମାମଲା ରୁଜୁ କଲା ପୋଲିସ ।

99

କନକ ବ୍ୟୁରୋ : କିଛି ଦିନ ତଳେ ଅନୁଭବ-ବର୍ଷାଙ୍କ ଏକ ଯୁକ୍ତି ତର୍କର ଭିଡିଓ ଭାଇରାଲ ହୋଇଥିଲା । ସେହି ଭାଇରାଲ ଭିଡିଓକୁ ନେଇ କଟକ ପୁରୀଘାଟ ଥାନାରେ ଏତଲା ଦେଇଥିଲେ ବର୍ଷା ପ୍ରିୟଦର୍ଶିନୀ । ଅଭିଯୋଗ କରିଥିଲେ, ଏପରି ଭିଡିଓ ଭାଇରାଲ କରି ତାଙ୍କ ବିରୋଧରେ ଅପପ୍ରଚାର କରାଯାଉଛି । ତାଙ୍କୁ ଭୁଲ ଭାବେ ଚିତ୍ରଣ କରିବାକୁ ଉଦ୍ୟମ ହେଉଛି । ଏହାପରେ ଶନିବାର ସଂଧ୍ୟାରେ ପୁଣିଥରେ ଥାନାକୁ ଯାଇ ତାଙ୍କ ରୁମରେ ତାଲା ପକା ଯାଇଥିବା ଅଭିଯୋଗ ଆଣିଥିଲେ ବର୍ଷା ।

ବର୍ଷାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ପୋଲିସ । ଆଇପିସି ଧାରା ୪୯୮(ଏ) ଅର୍ଥାତ୍ ସ୍ୱାମୀ କିମ୍ବା ସ୍ୱାମୀଙ୍କ ସଂପର୍କୀୟମାନେ ନିର୍ଯାତନା ଦେବା, ଧାରା ୩୪୧ ଅର୍ଥାତ୍ ଜଣଙ୍କୁ ବେଆଇନ ଭାବେ ଅଟକାଇବା, ଧାରା ୫୦୬ ଅର୍ଥାତ୍ ଧମକ ଦେଇ ଭୟଭୀତ କରିବା, ଏହିସବୁ ଦଫା ଲଗାଇ ମାମଲା ରୁଜୁ କରାଯାଇଛି ।

ସେପଟେ ପୁଲିସ ଡିଜିଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି ସାଂସଦ ଅନୁଭବ ମହାନ୍ତି । ଏଥିରେ ସେ ଅଭିଯୋଗ କରିଛନ୍ତି, ତାଙ୍କ ଓ ତାଙ୍କ ପରିବାର ପ୍ରତି ଷଡଯନ୍ତ୍ର ଚାଲିଛି । ଚିଠି ସହ ପୁଲିସ ମୁଖ୍ୟଙ୍କ ନିକଟରେ କିଛି ଘଟଣା ଦର୍ଶାଇଛନ୍ତି ଅନୁଭବ । କିଛି ଦିନ ତଳେ ବର୍ଷା, ବର୍ଷାଙ୍କର ଦୁଇ ଉଭଣୀଙ୍କ ସହିତ ଫୋନ କଥା ହେଉଥିବାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଷଡଯନ୍ତ୍ର ହେଉଥିବା ଅଭିଯୋଗ ଆଣିଛନ୍ତି ଅନୁଭବ । ଏହି ଅଡିଓର ସତ୍ୟାସତ୍ୟ ଯାଂଚ କରିବାକୁ ସେ ଦାବି କରିଛନ୍ତି ।