କନକ ବ୍ୟୁରୋ : ମାଟ୍ରିକ ଫେଲ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ କେନ୍ଦ୍ରାପଡା ସ୍ଥିତ ବାସଭବନରେ କମିସନରେଟ ପୁଲିସର ଚଢାଉ । ରମେଶଙ୍କ ପୈତୃକ ଗାଁ ଡେରାବିଶର ଇନ୍ଦଳ ପଂଚାୟତର ସିଂହଳ ଗାଁରେ ପୁଲିସ ଚଢାଉ କରୁଛି । ରମେଶ ସ୍ୱାଇଁଙ୍କ ଫାର୍ମ ହାଉସକୁ ସିଲ କରି ତାଙ୍କ ମାଆ ଓ ଦୁଇ ଭାଇଙ୍କୁ ପଚରାଉଚରା କରିଛି । ଗତକାଲି ସକାଳେ ରମେଶଙ୍କ ଭଉଣୀଙ୍କୁ ତରତ ଅଂଚଳରୁ ଉଠାଇ ଆଣିଥିଲା ପୁଲିସ । ୧୮ ଜଣ ମହିଳାଙ୍କ ବିବାହ କରି ଠକେଇ କରିଥିବା ରମେଶଙ୍କୁ, ଠକେଇରେ ଭଉଣୀ ସହଯୋଗ କରିଥିବା ସୂଚନା ପାଇ ପୁଲିସ ତାଙ୍କୁ ମଧ୍ୟ ଗିରଫ କରିଛି ।
ଓଡ଼ିଶା, ଆନ୍ଧ୍ର, କୋଲକାତା, କେରଳ, ଝାଡ଼ଖଣ୍ଡ, ଛତିଶଗଡ଼ ଏମିତି ୧୩ ରାଜ୍ୟକୁ ଲମ୍ବିଛି ରମେଶର ଠକେଇ ଚେର। ଆନ୍ଧ୍ରର ଚାରା ଓ ଫଳ ବ୍ୟବସାୟୀଙ୍କୁ ୪ଲକ୍ଷ ଟଙ୍କାର ଚୂନ ଲଗାଇଛି ରମେଶ । ଠକାମିର ଶିକାର ହୋଇଥିବା ଭେଙ୍କଟ ରମଣ ଭୁବନେଶ୍ବରରେ ପହଞ୍ଚି ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରମେଶ ନିଜକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉପମହାନିର୍ଦ୍ଦେଶକ ପରିଚୟ ଦେଇ ଚାରା ଅର୍ଡର୍ କରିଥିଲା । ୪ଲକ୍ଷ ଟଙ୍କାର ଚାରା ଆଣିଥିଲା । ଏ ବାବଦରେ ଯେଉଁ ଚେକ୍ ଦେଇଥିଲା, ତାହା ବାଉନ୍ସ କରି ଯାଇଥିଲା । ରମେଶର ଗିରଫଦାରୀ ପରେ ପୁଲିସ ତା’ର ମୋବାଇଲ ଫୋନ୍ ଚାଟିଂରୁ ତଥ୍ୟ ପାଇ ଭେଙ୍କଟଙ୍କ ସହ ଯୋଗାଯୋଗ କରିବା ପରେ ଠକେଇ ସଂକ୍ରାନ୍ତରେ ଜଣାପଡ଼ିଥିଲା ।
ରମେଶ ୮ଟି ତରିକାରେ ଠକେଇ କରିଥିବା ସାମ୍ନାକୁ ଆସିଲାଣି । ମିଛ କହି ମହିଳାଙ୍କୁ ବିବାହ, ପ୍ରତାରଣା କରିବା, ମେଡିକାଲ ଆଡମିସନ୍, ଚାକିରି ନାଁରେ ଠକେଇ, ବ୍ୟବସାୟୀଙ୍କୁ ଠକେଇ, ଗାଡ଼ି ଭଡ଼ା ନ ଦେବା, କ୍ଲିନିକରେ ଡାକ୍ତରଙ୍କୁ ନିଯୁକ୍ତି ଦେଇ ତାଙ୍କୁ ଦରମା ନ ଦେବା ଭଳି ଠକେଇ ସାମ୍ନାକୁ ଆସିଲାଣି । ଖଣ୍ଡଗିରି, ଭରତପୁର, ମହିଳା ଥାନାରେ ରୁଜୁ ହୋଇଥିବା ମାମଲା ଆଧାରରେ ପୁଲିସ ପୁଣି ରମେଶକୁ ରିମାଣ୍ଡରେ ଆଣିବ ବୋଲି ଜଣେ ଅଧିକାରୀ କହିଛନ୍ତି ।
ଠକ ରମେଶର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ସିଂହାଳ ଗ୍ରାମରେ ଥିବା ଘରେ ଆଜି ବିଳମ୍ବିତ ରାତିରେ କମିସନରେଟ୍ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ କରିଛି । ଚଢ଼ଉ ସମୟରେ ଘରେ ଥିବା ମା’, ଭାଇଙ୍କୁ ପୁଲିସ ପଚରାଉଚରା କରିଛି । ସେହିପରି ସେଠାରେ କରିଥିବା ଏକ ଫାର୍ମ ହାଉସ୍ରେ ମଧ୍ୟ ଚଢ଼ଉ କରି ତଦନ୍ତକାରୀ ଟିମ୍ ସିଲ୍ କରିଦେଇଥିବା ଜଣାଯାଇଛି ।