ସମ୍ବାଦର ବରିଷ୍ଠ କାର୍ଟୁନିଷ୍ଟ କିଶୋର ରଥଙ୍କ ଦେହାନ୍ତ : ୫୮ ବର୍ଷ ବୟସରେ ହୃଦଘାତରେ ପରଲୋକ

Advertisment
ସମ୍ବାଦର ବରିଷ୍ଠ କାର୍ଟୁନିଷ୍ଟ କିଶୋର ରଥଙ୍କ ଦେହାନ୍ତ : ୫୮ ବର୍ଷ ବୟସରେ ହୃଦଘାତରେ ପରଲୋକ

କନକ ବ୍ୟୁରୋ : ପରଲୋକରେ କଟାକ୍ଷ କିଶୋର । ବରିଷ୍ଠ କାର୍ଟୁନିଷ୍ଟ କିଶୋର ରଥଙ୍କ ଦେହାନ୍ତ । ୫୮ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ସମ୍ବାଦରେ କାର୍ଯ୍ୟରତ ଥିଲେ । ତାଙ୍କ ସାମାଲୋଚନା ମୂଳକ କାର୍ଟୁନ ବେଶ ଲୋକପ୍ରିୟ ହୋଇଥିଲା । କଟାକ୍ଷ କିଶୋର ପାଇଁ ସେ ଘରେ ଘରେ ପରିଚିତ ଥିଲେ ।

ବିଭିନ୍ନ ଘଟଣାବଳୀକୁ ନେଇ ଦୈନିକ ଖବର କାଗଜ ସମ୍ବାଦରେ କାର୍ଟୁନ କରି କଟାକ୍ଷ କରୁଥିଲେ କାର୍ଟୁନିଷ୍ଟ କିଶୋର ରଥ । ନିଆରା କାର୍ଟୁନ ମାଧ୍ୟମରେ ସୃଜନଶୀଳତାର ପରିଚୟ ଦେଇଥିଲେ କିଶୋର ରଥ । ଦିନକ ପୂର୍ବରୁ ଦୋଷୀ ଖସିବାକୁ ସାହଣ ମେଳା କାର୍ଟୁନ କରିଥିଲେ । ନିଜ କାର୍ଟୁନ ମାଧ୍ୟମରେ ସାଧାରଣ ଜନତାଙ୍କ ସ୍ୱର ହୋଇପାରିଥିଲେ କିଶୋର ରଥ ।

୧୯୬୩ ମସିହାରେ ଜନ୍ମିତ କିଶୋର ରଥ ରାଜ୍ୟର ଜଣାଶୁଣା କାର୍ଟୁନିଷ୍ଟ ଭାବ‌େ ପରିଚିତ ଥିଲେ । ରାଜ୍ୟର ପୁରାତନ କଳା ଶିକ୍ଷାନୁଷ୍ଠାନ ଖଲିକୋଟ ଆର୍ଟ କଲେଜରୁ ଫାଇନ୍ ଆର୍ଟସରେ ସ୍ନାତକ କରିବା ପରେ ଜଣେ ପେସାଦାର ଶିଳ୍ପୀଭା‌ବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଜଣେ ଚିତ୍ରଶିଳ୍ପୀ ହେବା ସହ ବ୍ୟଙ୍ଗ କବିତା ଲେଖିବାରେ ତାଙ୍କର ଅପୂର୍ବ ଦକ୍ଷତା ଥିଲା ଚିତ୍ର ଓ ଶବ୍ଦ ସଂଯୋଜନାରେ ସମନ୍ବିତ ଦକ୍ଷତା ତାଙ୍କୁ କାର୍ଟୁନ୍ ଆଙ୍କିବା ସହ କ୍ଷୁଦ୍ରକବିତା ଜରିଆରେ ସମାଜକୁ ସକାରାତ୍ମକ ବାର୍ତ୍ତା ଦେବାରେ ସହାୟକ ହୋଇଥିଲା। ତାଙ୍କ ରଚିତ ବହୁ ବ୍ୟଙ୍ଗକବିତା ମଧ୍ୟ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।

ସେ ଦୀର୍ଘ ୩ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ‘ସମ୍ବାଦ’ରେ କାର୍ଯ୍ୟରତ ଥି‌ଲେ। ତାଙ୍କର ପକେଟ କାର୍ଟୁନ୍ ’କଟାକ୍ଷ’ ପାଠକ ମହଲରେ ବେଶ୍ ଲୋକପ୍ରିୟ ଥିଲା । ନିଜ କାର୍ଟୁନ ମାଧ୍ୟମରେ ସାଧାରଣ ଜନତାର ସ୍ବର ହୋଇପାରିଥିଲେ କିଶୋର ରଥ । ସମୟ ସ୍ରୋତରେ ସାମ୍ନାକୁ ଆସିଥିବା ରାଜନୈତିକ, ସାମାଜିକ, ଅର୍ଥନୈତିକ ଆଦି ବିଭିନ୍ନ ପ୍ରସଙ୍ଗକୁ ସେ ’କଟାକ୍ଷ’ ସ୍ତମ୍ଭରେ ଉପସ୍ଥାପିତ କରିଆସୁଥିଲେ ଓ କଡ଼ା ସମାଲୋଚନା ମଧ୍ୟ କରୁଥିଲେ ।

କେତେବେଳେ ମହାଲିଙ୍ଗ ମମିତା ମେହର ମୃତ୍ୟୁ ଘଟଣା ତ ପୁଣି କେତେବେଳେ ତୈଳ ଦର ବୃଦ୍ଧି ପ୍ରସଙ୍ଗ ଏଭଳି ବିଭିନ୍ନ ଘଟଣାବଳି ‘କଟାକ୍ଷ’ରେ ନିୟମିତ ପ୍ରତିଫଳିତ ହେଉଥିଲା । ନିଆରା କାର୍ଟୁନ ମାଧ୍ୟମରେ ସୃଜନଶୀଳତାର ପରିଚୟ ଦେଇଥିଲେ ସେ । ତାଙ୍କ ପରଲୋକରେ ‘ସମ୍ବାଦ’ ପରିବାରରେ ଶୋକର ଛାୟା ଖେଳିଯାଇଛି । ‘ସମ୍ବାଦ ଗ୍ରୁପ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe