ସୌନ୍ଦର୍ଯ୍ୟ ଚର୍ଯ୍ୟାରେ ଗାଜରର କରାମତି । କିଛି ଦିନର ବ୍ୟବହାର ଆଣିବ ଫରକ ।

260

କନକ ବ୍ୟୁରୋ: ଗାଜରର ଉପକାରିତା ବିଷୟରେ ଆପଣ ଅନେକ କିଛି ଜାଣିଥିବେ, ଶୁଣିଥିବେ । ହେଲେ ସୌନ୍ଦର୍ଯ୍ୟ ଚର୍ଯ୍ୟାରେ ବି ଏହାର ଉପକାରିତା କିଛି କମ ନୁହେଁ । ସୌନ୍ଦର୍ଯ୍ୟ ପାଇଁ କେବେ ଏହାର ବ୍ୟବହାର କରିଛନ୍ତି କି? ଏବେ ଜାଣନ୍ତୁ ଆପଣଙ୍କ ଚେହେରାକୁ ଚମକାଇବାରେ ଗାଜର କି କରାମତି କରିପାରେ ।

ପୋଷକ ତତ୍ତ୍ୱରେ ଭରପୁର ଗାଜର । ଏହାକୁ ଖାଇଲେ କେବଳ ଚର୍ମ ନୁହେଁ ଆପଣଙ୍କ କେଶ ମଧ୍ୟ ସୁସ୍ଥ ରହିବ । ଫେସପ୍ୟାକ ହେଉ କିମ୍ବା ହେୟାର ପ୍ୟାକ୍ ହେଉ ସେଥିରେ ଗାଜର ରସ ମିଶାଇ ଲଗାଇଲେ ଆପଣ ନିଶ୍ଚୟ ଫରକ ଅନୁଭବ କରିପାରିବେ ।

କିଛି ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତାନୁସାରେ, ସବୁବେଳେ କିଛି କିଛି ସତେଜ ଗାଜରର ରସ ପାନ କରିବା ଉଚିତ । ହେଲେ ଗୋଟିଏ କଥା ମନେରଖିବେ ଏହାକୁ ଫ୍ରିଜରେ ରଖିବା ବଦଳରେ ବାହାରେ ସାମାନ୍ୟ ତାପାମତ୍ରାରେ ରଖନ୍ତୁ ।

ତ୍ୱଚାରେ ବ୍ରଣ କିମ୍ବା କୌଣସି ଦାଗ ଥିଲେ ଫେସ୍ ପ୍ୟାକରେ ଗାଜର ରସ ମିଶାଇ ଲଗାନ୍ତୁ । କିଛି ସମୟ ରଖି ମୁହଁ ଶୁଖିବା ପରେ ନଖ ଉଷୁମ ପାଣି କିମ୍ବା ସାମାନ୍ୟ ପାଣିରେ ଧୋଇଦିଅନ୍ତୁ । କିଛି ଦିନର ବ୍ୟବହାର ପରେ ଆପଣଙ୍କ ମୁହଁ ଦାଗ ମୁକ୍ତ ହୋଇଯିବ ।

ଗାଜର ରସକୁ ନେଇ ଆପଣ ଘରେ ଟୋନର ପ୍ରସ୍ତୁତ କରିପାରିବେ । ସମ ପରିମାଣର ଗାଜର ରସ ସହ କାକୁଡି ରସ ମିଶାଇ ମୁହଁରେ ଲଗାଇଲେ ତାହା ଟୋନରର କାର୍ଯ୍ୟ କରିଥାଏ ।

ପ୍ରତିଦିନ ଟମୋଟୋ ସହ ଗାଜରର ମିଶ୍ରିତ ଜୁସ୍ ପିଇଲେ ଆପଣଙ୍କ ଚେହେରାରେ ଚମକ ଆସିବ । ଏହାସହ ଆପଣଙ୍କ କେଶ ମୂଳ ମଧ୍ୟ ମଜବୁତ ହେବ ।