ଉହାନରୁ ଓଡ଼ିଶା ଡେଉଁଛି କରୋନା ଭୟ! କଟକ ବଡ଼ ଡାକ୍ତରଖାନାର ଆଇସୋଲେସନ୍ ୱାର୍ଡରେ ଚାଲିଛି ଦୁଇ ଚୀନ ଫେରନ୍ତାଙ୍କ ଚିକିତ୍ସା, ମୁକାବିଲା ପାଇଁ ଅଣ୍ଟା ଭିଡିଲା ରାଜ୍ୟ ପ୍ରଶାସନ ।

524

କନକ ବ୍ୟୁରୋ : କରୋନାକୁ ନେଇ ସାରା ବିଶ୍ୱରେ ସୃଷ୍ଟି ହୋଇଥିବା ଭୟର ବାତାବରଣ ଭିତରେ ଭୂତାଣୁର ମୁକାବିଲା ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ଚାଲିଛି ତୁହାକୁ ତୁହା ବୈଠକ । ଆଉ ଏହାରି ଭିତରେ କଟକ ବଡ ମେଡିକାଲରେ ଚାଲିଛି ଦୁଇ ସନ୍ଦିଗ୍ଧ ରୋଗୀଙ୍କ ଚିକିତ୍ସା । ଏହି ୨ଜଣ ରୋଗୀଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ଏମାନଙ୍କ ପାଖକୁ କାହାରିକୁ ଛଡାଯାଉନାହିଁ । ଏମିତିକି ଚିକିତ୍ସା ପାଇଁ ନିୟୋଜିତ ଥିବା ଡାକ୍ତର ଓ ନର୍ସ ମଧ୍ୟ ପିପି-କିଟ ଲଗାଇ ସ୍ୱତନ୍ତ୍ର ୱାର୍ଡକୁ ଯାଉଛନ୍ତି ।ଏସସିବି କର୍ତୃପକ୍ଷ ଦେଇଥିବା ସୂଚନା ଅନୁସାରେ ଏହି ୨ ସନ୍ଦିଗ୍ଧ ରୋଗୀଙ୍କ ରକ୍ତ ନମୁନା ପଠାଯାଇଛି ।

କରୋନାର କୋକୁଆ ଭୟ ଏବେ ଆହୁରି ବଢ଼ି ଯାଇଛି, ଯେତେବେଳେ ଭାରତରେ ତୃତୀୟ ରୋଗୀ, କରୋନା ଭୁତାଣୁରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କେରଳରେ ତୃତୀୟ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛି । ଆଉ ଠିକ୍ ଏମିତି ବେଳେ କରୋନା ଭୁତାଣୁର ମୁକାବିଲା ପାଇଁ ଅଂଟା ଭିଡିଛି ଓଡ଼ିଶା ।

ଚୀନରେ ମୃତ୍ୟୁ ସଂଖ୍ୟା ୩୬୦ ଟପିଥିବା ବେଳେ ଭାରତରେ ରୋଗୀଙ୍କ ସଂଖ୍ୟା ୩ରେ ପହଂଚିଛି । ଆଉ ଏଭଳି ସ୍ଥିତିରେ କରୋନା ଭୁତାଣୁର ମୁକାବିଲା ପାଇଁ ବେଶ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ କରୋନା ଭାଇରସର ସ୍ଥିତି ନେଇ ସ୍ୱାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଫାଇଭ୍-ଟି ସଚିବ । ଅନ୍ୟପଟେ ଜିଲ୍ଳାସ୍ତରରେ ବି ଚାଲିଛି ବ୍ୟାପକ ପ୍ରସ୍ତୁତି । ଫୁଲବାଣୀରୁ ପାରାଦୀପ ସବୁଠି ସମୀକ୍ଷା ହୋଇଛି ।

ଏପଟେ କଟକ ବଡ଼ ମେଡ଼ିକାଲରେ ଚାଲିଛି ଦୁଇ ସନ୍ଦିଗ୍ଧ ରୋଗୀଙ୍କ ଚିକିତ୍ସା । ଏହି ଦୁଇ ଜଣ ସନ୍ଦିଗ୍ଧ ରୋଗୀଙ୍କୁ ଆଇସୋଲେସନ ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଦୁଇ ଜଣଙ୍କ ମଧ୍ୟରେ
– ଜଣେ ଚୀନରେ ଡାକ୍ତରୀ ପାଠ ପଢୁଛନ୍ତି
– ଅନ୍ୟଜଣେ ଉହାନ୍ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର କରୁଛନ୍ତି
-ଚୀନରୁ ଆସିବା ପରେ ଅସ୍ଥସ୍ଥ ଅନୁଭବ କରିବାରୁ ଏସସିବିରେ ଭର୍ତି କରାଯାଇଛି
-ଏହି ଦୁଇ ଜଣ ସନ୍ଦିଗ୍ଧ ରୋଗୀଙ୍କ ରକ୍ତ ନମୂନା ପୁନେ ପଠାଯାଇଛି ।

ପୂର୍ବରୁ ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ନମୁନା ପୁନେକୁ ପଠାଯାଇଥିଲା । ଏଥିରୁ ଆସିଥିବା ୪ ଜଣଙ୍କ ରିପୋର୍ଟ ନେଗେଟିଭ ରହିଛି । ଆଉ ଏବେ ଚିକିତ୍ସାଧିନ ଥିବା ରୋଗୀଙ୍କ ରକ୍ତ ନମୂନା ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ଏପଟେ କରୋନା ଭାଇରସ୍ ଭୟରେ ପାରାଦୀପ ଉପକୁଳ ମାଡ଼ି ପାରୁ ନାହାଁନ୍ତି ବିଦେଶୀ ଜାହାଜର କର୍ମଚାରୀ । ଚୀନ୍ ଏବଂ ଚୀନର ପଡ଼ୋଶୀ ଦେଶରୁ ଆସୁଥିବା ଜାହାଜ ଉପରେ ରହିଛି ପ୍ରଶାସନର ନଜର । ଆଉ ଏହାରି ଭିତରେ ସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଛି । କରୋନା ଭୁତାଣୁରେ ଚୀନ୍ରେ ୩୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ହଜାରରୁ ଅଧିକ ଲୋକ କରୋନା ଭୁତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଏଭଳି ସ୍ଥିତିରେ ଏହି ଭୁତାଣୁକୁ ନେଇ ସାରା ବିଶ୍ୱରେ ଏକ ଭୟର ବାତାବରଣ ଲାଗି ରହିଛି ।