ଆତଙ୍କ ସୃଷ୍ଟି କରୁଛି କରୋନା, ଦେଖାଦେଉଛି ଅକ୍ସିଜେନର ଅଭାବ : ଜାଣନ୍ତୁ ଅମ୍ଳଜାନ ଅଭାବ ହେଲେ କ’ଣ କରିବେ ?

703

କନକ ବ୍ୟୁରୋ : କରୋନାର ଦ୍ବିତୀୟ ଲହର ଏବେ ଦେଶବ୍ୟାପୀ ଆତଙ୍କ ସୃଷ୍ଟି କରିଛି । କେଉଁଠି ଚିକିତ୍ସା ପାଇଁ ଶଯ୍ୟା ମିଳୁ ନାହିଁ ତ ଆଉ କେଉଁଠି ଶଯ୍ୟା ମିଳି‌ଲେ ଅମ୍ଳଜାନ ମିଳୁନି। ଅମ୍ଳଜାନ ଅଭାବରୁ ପ୍ରତିଦିନ ଅନେକ ସଂକ୍ରମିତଙ୍କ ଜୀବନ ଚାଲି ଯାଉଛି। ତେବେ ଅନେକ ସଂକ୍ରମିତ ଘରେ ରହି ମଧ୍ୟ ଚିକିତ୍ସିତ ହେଉଛନ୍ତି । ଘରେ ରହିବା ସମୟରେ ଯଦି କୌଣସି ବ୍ୟକ୍ତିଙ୍କ ନିଶ୍ବାସପ୍ରଶ୍ବାସ ନେବା‌ରେ କୌଣସି ସମସ୍ୟା ହୁଏ, ତାହାର ସମାଧାନ ପାଇଁ ବିଶେଷଜ୍ଞମାନେ କେତେକ ଟିପ୍‌ସ ଦେଇଛନ୍ତି । ଜଣେ ସଂକ୍ରମିତଙ୍କୁ ମୁହଁ ମାଡ଼ି ତଳେ ଶୁଆଇବା ଦ୍ବାରା ନିଶ୍ବାସ ପ୍ରଶ୍ବାସରେ ଉନ୍ନତି ଆସିବା ସହିତ ଶରୀରକୁ ଅମ୍ଳଜାନ ମିଳି ପାରିଥାଏ। ଏହି ପ୍ରକ୍ରିୟାକୁ ପ୍ରୋନିଂ କୁହାଯାଏ। କୋଭିଡ୍‌ ରୋଗୀଙ୍କ କ୍ଷେତ୍ରରେ ଏହା ବେଶ୍‌ ଫଳପ୍ରଦ ହେଉଥିବା ବିଶେଷଜ୍ଞମାନେ କହୁଛନ୍ତି। ଜଣେ ବ୍ୟକ୍ତି ନିଜେ ଚାହିଲେ ପ୍ରୋନିଂ କରିପାରିବେ। ଏଥିପାଇଁ ୪-୫ଟି ତକିଆର ଆବଶ୍ୟକତା ରହିଛି।

ପ୍ରୋନିଂ ପାଇଁ ପେଟ ମାଡ଼ି ଶୋଇବା, ବାମ କଡ଼ ଶୋଇବା, ଡାହଣ କଡ଼ ଶୋଇବା ଓ ପୁଣି ଥରେ ପେଟ ମାଡ଼ି ଶୋଇବାକୁ ହୋଇଥାଏ। ଏହିସବୁ ପୋଜିସନ୍ ଅଧଘଣ୍ଟାରୁ ୨ଘଣ୍ଟା ପର୍ଯ୍ୟନ୍ତ କରିପାରିବେ। ହେଲେ ସର୍ବାଧିକ ୩୦ ମିନିଟ୍‌ ପର୍ଯ୍ୟନ୍ତ ଏଭଳି ପୋଜିସନ୍‌ରେ ରହିଲେ ସୁଫଳ ମିଳିଥାଏ। ଖାଇବା ପରେ ଘଣ୍ଟାଏ ପର୍ଯ୍ୟନ୍ତ ପ୍ରୋନିଂ କରିବା ଉଚିତ ନୁହେଁ। ଏପରିକି ଯେତିକି ସମୟ ପର୍ଯ୍ୟନ୍ତ ଶରୀର କଷ୍ଟ ସମ୍ଭାଳି ପାରୁଛି, ସେତିକି ସମୟ ପର୍ଯ୍ୟନ୍ତ ଏହାକୁ କରିବା ଭଲ। ଜଣେ ଚାହିଲେ ଭିନ୍ନଭିନ୍ନ ସମୟରେ ପ୍ରୋନିଂ କରିବା ସହିତ ଏହାକୁ ସର୍ବାଧିକ ୧୬ଘଣ୍ଟା ପର୍ଯ୍ୟନ୍ତ କରିପାରିବାରେ କୌଣସି ସମସ୍ୟା ନାହିଁ। ହେଲେ ଏ ସମୟରେ ଶରୀରରେ ଥିବା କୌଣସି କ୍ଷତ ଉପରେ ନଜର ରଖିବାକୁ ହେବ।

କେଉଁମାନଙ୍କୁ ପ୍ରୋନିଂ ମନା- 

ଗର୍ଭବତୀ ମହିଳା, ୪୮ ଘଣ୍ଟା ଭିତରେ ଚିକିତ୍ସିତ ହୋଇଥିବା ଡିପ୍ ଭେନସ ଥେମ୍ବୋସିସ୍(ଡିଭିଟି) ବା ରକ୍ତ ଜମାଟ ବାନ୍ଧିଥିବା ରୋଗୀ, ଜଟିଳ ହୃଦ୍‌ରୋଗ, ମେରୁଦଣ୍ଡ, ଜଙ୍ଘର ହାଡ଼ କିମ୍ବା ପେଲଭିକ ଫ୍ରାକ୍ଚର ଥିବା ବ୍ୟକ୍ତି ପ୍ରୋନିଂ ମନା। ପ୍ରୋନିଂର ଫାଇଦା ‌ତଳକୁ ମୁହଁ ମାଡ଼ି ଶୋଇବା ବା ପ୍ରୋନିଂ ଦ୍ବାରା ନିଶ୍ବାସ ପ୍ରଶ୍ବାସରେ ସୁବିଧା ହୋଇଥାଏ। ଶରୀ‌ରରେ ଅମ୍ଳଜାନ ସ୍ତର ବା ଏସ୍‌ପି୦୨ ୯୪ରୁ ହ୍ରାସ ପାଇବା ଓ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ହେଲେ ପ୍ରୋନିଂର ଆବଶ୍ୟକ ପଡ଼ିଥାଏ। ଘରେ ରହି ଚିକିତ୍ସିତ ହେଉଥିବା ରୋଗୀ କେବଳ ଅମ୍ଳଜାନ ସ୍ତରର ନିରୀକ୍ଷଣ ନ କରି ଶରୀରର ତାପମାତ୍ରା, ରକ୍ତଚାପ, ରକ୍ତ ସର୍କରା ଇତ୍ୟାଦିର ମଧ୍ୟ ନିରୀକ୍ଷଣ କରିବା ଜରୁରୀ। ରକ୍ତରେ ଅମ୍ଳଜାନର ଅଭାବ ଯୋଗୁଁ ହାଇପୋକ୍ସିଆ ହୋଇଥାଏ, ଯାହାକି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଅଧିକ ଜଟିଳ କରିଥାଏ। ତେଣୁ ଠିକ୍ ସମୟରେ ପ୍ରୋନିଂ ସହିତ ନିଶ୍ବାସପ୍ରଶ୍ବାସ ଠିକ୍ ରହିଲେ ଅନେକ ରୋଗୀଙ୍କ ଜୀବନ ରକ୍ଷା ହୋଇପାରିବ।

ତକିଆକୁ କିଭଳି ରଖିବେ ?

ପ୍ରୋନିଂ ପୋଜିସନ୍‌ରେ ଥିବା ବ୍ୟକ୍ତି କିମ୍ବା ତାଙ୍କ ପରିବାରଲୋକ ରୋଗୀଙ୍କ ବେକ ତଳେ ଗୋଟିଏ ତକିଆ ରଖିବା ସହ ଗୋଟିଏ କିମ୍ବା ଦୁଇଟି ତକିଆ ଜଙ୍ଘ ଉପର ଓ ଛାତି ତଳେ ଥିବା ସ୍ଥାନରେ ରଖିବାକୁ ହେବ। ଏହାସହ ଆଉ ଏକ ତିକିଆ ପାଦ/ନଳିହାଡ଼ରେ ରଖିବାକୁ ହେବ।