ଭାରତର ପଳାତକ ବ୍ୟବସାୟୀ ମେହୁଲ ଚୌକସି ପ୍ରତ୍ୟର୍ପଣ ଉଦ୍ୟମକୁ ଝଟକା । କୋର୍ଟ କହିଲା ଆଣ୍ଟିଗୁଆକୁ ଫେରାଯାଇପାରିବ । ଖସିଯିବା ବେଳେ ଡୋମିନିକାରେ ଧରାପଡିଥିଲା ମେହୁଲ ଚୌକସି ।

199

କନକ ବ୍ୟୁରୋ: ମେହୁଲ ଚୌକସିଙ୍କ ପ୍ରତ୍ୟାର୍ପଣ ଉଦ୍ୟମକୁ ଝଟକା । ଭାରତକୁ ପ୍ରତ୍ୟାର୍ପଣ ଉପରେ ରୋକ ଲଗାଇଲେ କୋର୍ଟ । ପଳାତକ ହୀରା ବେପାରୀ ମେହୁଲ ଚୌକସିଙ୍କ ପ୍ରତ୍ୟାର୍ପଣ ଉପରେ ରୋକ ଲଗାଇଛନ୍ତି ଡୋମିନିକା କୋର୍ଟ । ମେହୁଲ ଚୌକସି ଡୋମିନିକାର ନାଗିରକ ନୁହଁନ୍ତି ଆଂଟିଗୁଆର ନାଗରିକ, ତେଣୁ ଭାରତକୁ ପ୍ରତ୍ୟାର୍ପଣ କରାଯାଇ ପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । କ୍ୟୁବାକୁ ଆଂଟିଗୁଆରୁ ଫେରାର ବେଳେ ଡୋମିନିକାରେ ଧରାପଡିଥିଲା ପଞ୍ଜାବ ନେସନାଲ ବ୍ୟାଙ୍କ ଠକେଇର ମାଷ୍ଟର ମାଇଣ୍ଡ । ଏବେ ମେହୁଲକୁ ଡୋମିନିକାରୁ ଆଂଟିଗୁଆକୁ ପଠାଯିବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଅନୁପ୍ରବେଶକାରୀ ଦଫାରେ ମେହୁଲ ଚୌକସିଙ୍କୁ ଗିରଫ କରିଛି ଡୋମିନିକା ପୁଲିସ । ହେଲେ ଆଂଟିଗୁଆରୁ ମେହୁଲଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଡେମିନିକା କୋର୍ଟରେ ଲଢୁଥିବା ମେହୁଲଙ୍କ ଓକିଲ ୱାନେ ମାର୍ସ । ଜାହାଜରେ ଡୋମିନିକା ପହଂଚିବା ପରେ ମେହୁଲ ଚୌକସି ପ୍ରମାଣ ନଷ୍ଟ କରିବାକୁ କାଗଜପତ୍ର ପାଣିରେ ଫୋପାଡୁଥିଲେ । ସନ୍ଦିଗ୍ଧ ହାବଭାବ ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେବା ପରେ ଧରାପଡିଥିଲେ ମେହୁଲ ଚୌକସି । ହେଲେ ଏହି ଅଭିଯୋଗକୁ ମନଗଢା ବୋଲି କହିଛନ୍ତି ଚୌକସିଙ୍କ ଓକିଲ ।

ଆଂଟିଗୁଆରୁ ଷଡଯନ୍ତ୍ର ରଚି ମେହୁଲ ଚୌକସିଙ୍କୁ ଡୋମିନିକ ନେବା ପରେ ପୁଲିସ ଥାନାରେ ନିର୍ଯାତନା ଦିଆଯାଇଥିବା କହିଛନ୍ତି ମେହୁଲ ଚୌକସିଙ୍କ ଓକିଲ । ପିଏନବି ଠକେଇର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୌକସିଙ୍କୁ ଭାରତ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି । ଏହାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଜାରି ରହିଛି ।

ଭାରତ ସରକାରଙ୍କ ପକ୍ଷରୁ ମୋଷ୍ଟ ୱାଂଟଡେ ମେହୁଲ ଚୌକସିଙ୍କୁ ପ୍ରତ୍ୟାର୍ପଣ କରିବା ପାଇଁ କୁଟନୈତିକ ସ୍ତରରେ ଉଦ୍ୟମ କରାଯାଉଛି । ଜାଲ କାଗଜପତ୍ର ଦେଇ ପଞ୍ଜାବ ନେସନାଲ ବ୍ୟାଙ୍କରୁ ୧୩ହଜାର ୫ଶହ କୋଟି ଟଙ୍କା ଠକେଇ କରି ୨୦୧୮ରୁ ଫେରାର ହୋଇଯାଇଛନ୍ତି ମେହୁଲ ଚୌକସି । ଏବେ ଆଂଟିଗୁଆରୁ କ୍ୟୁବାକୁ ଜାହାଜରେ ଫେରାର ହେଉଥିବା ବେଳେ ଡୋମିନିକାରେ ଧରାପଡିଛନ୍ତି ।