କନକ ବ୍ୟୁରୋ: ଏଟିଏମ୍କୁ ସ୍ପର୍ଶ ନକରି ଟଙ୍କା ଉଠାଇବାର ବ୍ୟବସ୍ଥା ଖୁବ୍ଶୀଘ୍ର ଦେଶରେ କାର୍ଯ୍ୟକାରୀ ହେବ। ଏଜିଏସ୍ ଟ୍ରାଞ୍ଜାକ୍ଟ ଟେକ୍ନୋଲୋଜିସ୍ ନାମକ ସଂସ୍ଥା ପକ୍ଷରୁ ସ୍ପର୍ଶବିହୀନ ଏଟିଏମ୍ର ଏକ ନମୁନା ବିକଶିତ କରାଯାଇଛି। ବ୍ୟାଙ୍କର ମୋବାଇଲ୍ ଆପ୍କୁ ବ୍ୟବହାର କରି ଗ୍ରାହକମାନେ ଏଟିଏମ୍ ମେସିନ୍ ସହିତ ଯୋଗାଯୋଗ ସ୍ଥାପନ କରିପାରିବେ। ଏଟିଏମ୍ ସ୍କ୍ରିନ୍ରେ ଏକ କ୍ୟୁଆର୍ କୋଡ୍ ପ୍ରଦର୍ଶିତ ହେବ। ତାହାକୁ ସ୍କାନ୍ କରି ଗ୍ରାହକମାନେ ଏଟିଏମ୍ ସ୍କ୍ରିନ୍ରେ ଦେଉଥିବା ତଥ୍ୟଗୁଡ଼ିକୁ ମୋବାଇଲ୍ ଆପ୍ରେ ଦେଇ ଟଙ୍କା ଉଠାଇପାରିବେ। ସାଧାରଣରେ ଏଟିଏମ୍ରୁ ଟଙ୍କା ଉଠାଇବା ବେଳେ କାର୍ଡ ଭର୍ତି କରାଯାଏ।
ଏହା ପରେ ଗ୍ରାହକ ନିଜର ଖାତା ପ୍ରକାରକୁ ଚୟନ କରିବା ପରେ ପିନ୍ ଓ ଉଠାଇବାକୁ ଚାହୁଥିବା ଟଙ୍କାର ପରିମାଣ ଲେଖିବା ପରେ ମେସିନ୍ରୁ ଟଙ୍କା ବାହାରିଥାଏ। ମାତ୍ର ସ୍ପର୍ଶବିହୀନ ଏଟିଏମ୍ ବ୍ୟବହାର କରିବା ଲାଗି ଗ୍ରାହକମାନଙ୍କୁ ନିଜ ବ୍ୟାଙ୍କର ମୋବାଇଲ୍ ଆପ୍ ବ୍ୟବହାର କରିବାକୁ ପଡ଼ିବ। ସାରା ଦେଶରେ ଏଜିଏସ୍ ଟ୍ରାଞ୍ଜାକ୍ଟ ୭୦,୦୦୦ରୁ ଅଧିକ ଏଟିଏମ୍ର ପରିଚାଳନା କରୁଛି। ବର୍ତ୍ତମାନ ଏହା ଦୁଇଟି ବ୍ୟାଙ୍କ ଲାଗି ସ୍ପର୍ଶବିହୀନ ଏଟିଏମ୍ ବିକଶିତ କରିବା କାର୍ଯ୍ୟ କରୁଛି। ଆଉ ଚାରିଟି ବ୍ୟାଙ୍କ ସହ ଏହା କଥାବାର୍ତା ଆରମ୍ଭ କରିଛି।
ଏଟିଏମ୍ ମେସିନ୍ରେ ଥିବା ସଫ୍ଟଓୟାରରେ ପରିବର୍ତ୍ତନ କରି ତାହକୁ ସ୍ପର୍ଶବିହୀନ ଏଟିଏମ୍ରେ ପରିଣତ କରାଯିବ। ଏଥିପାଇଁ ଆଠ ସପ୍ତାହ ସମୟ ଲାଗିବ। ପୂର୍ବରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କର କେତେକ ନିର୍ଦିଷ୍ଟ ଏଟିଏମ୍ରେ ସ୍ପର୍ଶବିହୀନ ଉଠାଣ ସୁବିଧା ମିଳୁଥିଲା। ତେବେ କେବଳ ବ୍ୟାଙ୍କର ନିଜ ଗ୍ରାହକମାନେ ଏହି ସୁବିଧା ପାଉଥିଲେ। ମାତ୍ର ଏଜିଏସ୍ ଟ୍ରାଞ୍ଜାକ୍ଟ ବିକଶିତ କରୁଥିବା ଏଟିଏମ୍ରେ ବିଭିନ୍ନ ବ୍ୟାଙ୍କର ଗ୍ରାହକ ଟଙ୍କା ଉଠାଇପାରିବେ।