କମିସନରେଟ ପୁଲିସ ହାତରେ କାର ଲୁଟେରା ଗ୍ୟାଙ୍ଗ। ୩ଟି କାର, ୨ଟି ବାଇକ୍ ଓ ଦୁଇଟି ବନ୍ଧୁକ ସହ ୪ ଜଣ ଗିରଫ

143

କନକ ବ୍ୟୁରୋ: କମିଶନରେଟ ପୁଲିସ ହାତରେ କାର ଲୁଟେରା ଗ୍ୟାଙ୍ଗ । ଭୁବନେଶ୍ୱରରୁ ଲୁଟ ହେଉଥିବା କାର ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ । ଏହି ଲୁଟରେ ସଂପୃକ୍ତ ଥିବା ୪ଜଣ ଯୁବକଙ୍କୁ ମଧ୍ୟ ଗିରଫ କରିଛି ପୁଲିସ । ସେମାନଙ୍କଠାରୁ ୩ଟି କାର, ୨ଟି ବାଇକ୍ ଏବଂ ଦୁଇଟି ବନ୍ଧୁକ ଜବତ କରିଛି ପୁଲିସ । ଭୁବନେଶ୍ୱର, କଟକ ଏବଂ ଆଠଗଡ ଅଂଚଳରୁ ହେଉଥିବା ଲୁଟରେ ଏମାନଙ୍କର ସଂପୃକ୍ତିଥିବା ପୁଲିସ ପକ୍ଷରୁ କୁହାଯାଇଛି । ଏହି ଗ୍ୟାଙ୍ଗ ଚୋରା ଗାଡି ଲୁଟରେ ବ୍ୟବହାର କରୁଥିଲେ ଏବଂ ପରେ ସେଇ ଗାଡିକୁ ୩୦ରୁ ୪୦ ହଜାର ଟଙ୍କାରେ ବିକ୍ରି କରିଦେଉଥିଲେ ।

ଏମାନଙ୍କ ନାଁରେ ବିଭିନ୍ନ ଜିଲ୍ଲାରେ ଲୁଟ୍, ରାହାଜାନି ଭଳି ଅନେକ ସଙ୍ଗୀନ ମାମଲା ରହିଥିବା ପୁଲିସ କହିଛି । ତେବେ ଏହି ଲୁଟେରା ଗ୍ୟାଙ୍ଗର ଆଉ କିଛି ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ଗତ ମାସ ୮ ତାରିଖରେ ନୟାପଲ୍ଲୀ ଅଂଚଳରୁ ଜଣେ ବ୍ୟବସାୟୀଙ୍କଠାରୁ ଇନୋଭା ଲୁଟ କରୁଥିବା ବେଳେ ବାଣୀବିହାରଠାରେ ଆର୍ଟିଓ ଚେକିଂ ବେଳେ ଧରାପଡିଥିଲେ ଓ ଗାଡି ଛାଡି ଏମାନେ ଫେରାର ହୋଇଯାଇଥିଲେ । ତେବେ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ସ୍ଥାନରେ ହେଉଥିବା ଗାଡି ଚୋରିରେ ଏମାନେ ସଂପୃକ୍ତ ଥିବା ପୁଲିସ କହିଛି । ଏମାନେ ମୁଖ୍ୟତଃ ତିନୋଟି ଗ୍ୟାଙ୍ଗ ତଥା, ଲୋକାଲ, ଆନ୍ତ ଜିଲ୍ଲା ଓ ଆନ୍ତ ରାଜ୍ୟ ଗ୍ୟାଙ୍ଗ ଭାବେ ସକ୍ରିୟ ରହି ଗାଡି ଚୋରି କରୁଥିବା କହିଛି କମିଶନରେଟ ପୁଲିସ ।