ମୂର୍ତ୍ତି ବିସର୍ଜନ କରିବାକୁ ଯାଉଥିବା ଲୋକଙ୍କ ଉପରେ ମାଡିଗଲା କାର । ଜଣେ ମୃତ, ୧୬ ଆହତ

154

କନକ ବ୍ୟୁରୋ : ଛତିଶଗଡ ଜଶପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏଠାରେ ମାତା ଦୁର୍ଗାଙ୍କ ମୂର୍ତ୍ତି ବିଷର୍ଜନ କରିବାକୁ ଯାଉଥିବା ଲୋକଙ୍କ ଉପରେ ଏକ କାର ମାଡିଯିବାରୁ ଜଣଙ୍କର ମୃତ୍ୟୁ ହେବା ସହ ୧୬ ଜଣ ଗୁରୁତର ହୋଇଛନ୍ତି । ଏଭଳି ଦୁର୍ଘଟଣା ଘଟାଇ କାରଟି ପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ଲୋକମାନେ ତାକୁ ପିଛାକରି ଧରିଛନ୍ତି । ଉତ୍ୟକ୍ତ ଲୋକମାନେ ଗାଡି ଚାଳକକୁ ପ୍ରବଳ ପିଟିବା ସହ କାରରେ ନିଆଁ ଲଗାଇ ଦେଇଛନ୍ତି ।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଚିକିତ୍ସା ଅଧିକାରୀ ଜେମ୍ସ ମିଞ୍ଜ କହିଛନ୍ତି କି ଦ୍ରୁତ ଗତିରେ ଆସୁଥିବା କାରଟି ଲୋକଙ୍କ ଉପରେ ମାଡି ଯାଇଥିଲା । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଏବେ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଘଟଣା ବାବଦରେ ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକମାନଙ୍କୁ ଉଦ୍ଧାର କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିଛି । ଅଭିଯୁକ୍ତ ଦୁଇଜଣ ମଧ୍ୟପ୍ରଦେଶର ବାସିନ୍ଦା ହୋଇଥିବା ବେଳେ ସେମାନେ କୌଣସି କାମରେ ଛତିଶଗଡ ଆସିଥିଲେ ।

ଦୁର୍ଘଟଣାର ସୂଚନା ପାଇବା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି କି ଏହା ଏକ ହୃଦୟ ବିଦାରକ ଘଟଣା । ସେ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।