କନକ ବ୍ୟୁରୋ: ବଡ଼ଦାଣ୍ଡର ଖୋଲା ଆକାଶ ତଳେ କାଳିଆର ଚକାନୟନକୁ ଟିକିଏ ମନଭରି ଦେଖିବାକୁ ଅପେକ୍ଷା କରି ରହିଛି ଭକ୍ତର ଭାବଭରା ଆଖି । କିଏ ଦରିଆ ପାରିରୁ ତ କିଏ କୋଷ କୋଷ ବାଟରୁ ଧାଇଁ ଆସିଛି ସେହି ଭାବରେ ବନ୍ଧା ଥିବା ରଥ ଦଉଡି଼କୁ ଛୁଇଁ କାଳିଆ ପାଖରେ ନିଜକୁ ସମର୍ପଣ କରିବାକୁ ଚାତକ ଭଳି ଚାହିଁ ରହିଛି ଭକ୍ତ । ଆଉ କିଏ ଏହି ଅପେକ୍ଷାର ମୁହୂର୍ତ୍ତକୁ କବିତାର ଭାଷାରେ ତ କିଏ ଭାବରେ ଭରାଥିବା ଅକୁହା ଅବେଗରେ ବର୍ଣ୍ଣନା କରିଛି । ତେବେ ଶ୍ରୀଜିଉଙ୍କର ସେହି ଉଜ୍ୱଳମାନ ନୟନକୁ ଦେଖିବାକୁ କେତେ ଭାବଭରା ହୋଇପଡ଼ିଛି ଭକ୍ତ ଆଉ ମନେ ମନେ ଗୁଣୁଗୁଣୁ ହେଉଛ କାଳିଆକୁ ନେଇ ଅତୀତରେ ବର୍ଣ୍ଣିତ ହୋଇଥିବା କିଛି ଜଣାଣ ।
କାଳିଆର ପରମ ଭକ୍ତ ସାଲବେଗ ଏଭଳି କିଛି ଢ଼ଙ୍ଗରେ ଜଗା ପାଇଁ ଜଣାଣ ଗାନ କରି ମନ୍ତ୍ରମୁଗ୍ଧ କରିଛନ୍ତି ।
ଅଣସର ଘରେ ଥିଲ
ଆଜ ବାହାର ହେଲ
ତ୍ରିଭଙ୍ଗୀ ଭଙ୍ଗୀ କରି ଚାହିଁଛ ।
ଶ୍ରୀଭୁଜେ ଭୁଜ ପେଲି
ମତ୍ତଗଜ ପ୍ରାୟେ ଝୁଲି
ମହାପାତକମାନ ଦହୁଛ ।
ଅତି ମୋହନ ବେଶ
ଧରି ନୀଳାଦ୍ରିବାସ
ଚାହିଁ ତିନିପୁରକୁ ତାରୁଛ ।
କହେ ସାଲବେଗ ହୀନ
ଏ ତ ଜଗମୋହନ
ଜଗମୋହନ ରୂପ ଧରିଛ ।
ପଞ୍ଚ ସଖାଙ୍କ ମଧ୍ୟରେ ଅତିବଡ଼ି ଜଗନ୍ନାଥ ଦାସ ମଧ୍ୟ ନିଜ ଭକ୍ତିଭରା ଭାବନାକୁ ବର୍ଣ୍ଣନା କିଛି ଏଭଳି କରିଛନ୍ତି ।
ହଳ ମୂଷଳ ଯେ କରେ ଶୋଭାବନ
ଶିରେ ଶୋହେ ସପ୍ତଫେଣୀ
ଧରଣୀଛଳେ ଶଙ୍କର ଅବତାରେ
ବୋଲାଇଲ ହଳପାଣି
ସେ ରାମ
ରୂପେ ଦିଶନ୍ତି ଅତି ଉପାମ ସେ
ସେ ଯେ ପ୍ରତକ୍ଷେ ଅଟନ୍ତି କାମ ଯେ
କାମ ଦହିଂ କାମପାଳ ନାମ ଯେ
ସେହିପରି ୧୯ଶ ଶତାବ୍ଦୀରେ ଗୌରଚରଣ ଅଧିକାରୀଙ୍କ କବିତା ମଧ୍ୟ ଆଜି ବି ଭକ୍ତର ଭାବକୁ କାଳିଆ କାନରେ ଗୁଣୁଗୁଣୁ କରୁଛି ।
ତୁମ୍ଭେ ପଛରେ ପଛକେ ଆସୁଥାଅ
କରି ନବରଙ୍ଗ ଛଇକି
ମଥା ଦୋହଲାଇ ଟାହିଆ ହଲାଇ
ଠାବେ ଠାବେ ରହି ରହିକି
ଅପଲକ ଦୃଷ୍ଟି କରରେ ମାନସ
ଆଉ ଏ ସମୟ ପାଇ କି?
ଗଉରଚରଣ ପଶିଲା ଶରଣ
ନନ୍ଦିଘୋଷ ରଥ ଛାଇକି
କାଳିଆ କାହ୍ନୁ !
ଆଉ ବିଳମ୍ବ କର କାହିଁକି?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/3-THAKURA_00000.jpg)